ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି ।

ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି  । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ଦାଦନ ଖଟିଯିବାକୁ ଉଚିତ୍‌ ମନେକରୁଛି  । ଜିଲାରେ ୮୫ ହଜାର ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଏବେ ପ୍ରାୟ ୫୮ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ସ୍ଥାୟୀ ଜଳସେଚନର ସୁବିଧା ନଥିବାରୁ ପ୍ରତିବର୍ଷ ବୃଷ୍ଟିପାତରେ ଅନିୟମିତତା ସହିତ ରୋଗ ପୋକ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ବର୍ଷର ଅଧା ସମୟ ଗରିବ ଚାଷୀ ପରିବାର ମାନଙ୍କ କ୍ଷତିପୂରଣ ପ୍ରଦାନ ଦାବି କରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ ଚାଷୀ ମାନେ ସରକାରୀ କାର୍ଯ୍ୟାଳୟକୁ ଦଉଡି ଦଉଡି ସମୟ ଚାଲିଯାଉଛି । ଫଳରେ ଜିଲାରେ ଚାଷୀମାନଙ୍କ ଆର୍ଥିକ ପ୍ରଗତି ହୋଇପାରୁନଥିବା ବେଳେ ଅନେକ ଚାଷୀ ପରିବାର ଜମିବାଡି ଠିକାରେ ଦେଇ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଯେଉଁମାନେ ନିଜ ଜମିବାଡିରୁ ଫସଲ ଅମଳ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କେତେବେଳେ ଅଭାବୀ ଧାନ ବିକ୍ରିର ଶିକାର ହେଉଛନ୍ତିତ ଆଉ କେତେବେଳେ ମରୁଡିର ଶିକାର ହୋଇ ସରକାରୀ ୧ ଟଙ୍କିଆ ଚାଉଳ ଆଶାରେ ପରିବାର ପ୍ରତିପୋଷଣ କରୁଛନ୍ତି ।

ତେବେ ବୃଷ୍ଟିପାତରେ ଅନିୟମିତତା ଯୋଗୁଁ ପାଣିର ସୁଷମ ଉପଯୋଗ କରି ଅଳ୍ପ ପାଣି ବ୍ୟବହାର କରି ଚାଷୀମାନେ ପାରମ୍ପରିକ ଧାନଚାଷ ଛାଡି ପନିପରିବା ଓ ଅନ୍ୟ ଅର୍ଥକାରୀ ଫସଲ ଉତ୍ପାଦନ କରିବାକୁ ସରକାରୀସ୍ତରରେ ବିଭିନ୍ନ ସଭା ସମିତି ଜରିଆରେ ସଚେତନ ଓ ପ୍ରୋତ୍ସାହନ କରାଯାଉଛି । କିନ୍ତୁ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଅର୍ଥକାରୀ ଫସଲ ପାଇଁ ସରକାର ଉପଯୁକ୍ତ ବଜାର ସୃଷ୍ଟି କରିବାରେ ବିଫଳ ହେଉଥିବାରୁ ଚାଷୀମାନେ ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇବାରୁ ବଞ୍ଚିତ ହେବା ସହିତ ଦଲାଲ ଜରିଆରେ ଫସଲ ବିକ୍ରୟ କରି କ୍ଷତିରେ ପଡି ଋଣ ବୋଝରେ ପେଶି ହେବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧଜିଲାର କାପା ଚାଷୀମାନେ ବର୍ତ୍ତମାନ ସେହିଭଳି ପରିସ୍ଥିତିର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଗତ କେତେ ବର୍ଷ ହେଲା ଜିଲାର ବିଭିନ୍ନ ଅଂଚଳରେ କପାଚାଷ ବ୍ୟାପକ ଭାବରେ ଚାଲିଛି । ହେଲେ କପାମଣ୍ଡି ଖୋଲୁନଥିବାରୁ କପାଚାଷୀ ମାନେ ଅଭାବୀ ବିକ୍ରିର ସମ୍ମୁଖିନ ହେଉଛନ୍ତି । କପାଚାଷରେ ଅଧିକ ମାତ୍ରାରେ ବ୍ୟୟ ହେଉଥିବା ବେଳେ ଶେଷରେ ଅନେକ ଚାଷୀ ଗାଡି ଭଡା କରି ବଲାଙ୍ଗୀରକୁ ବିକ୍ରୟ କରିବାକୁ ନେବାକୁ ପାଖରେ ଟଙ୍କା ନଥିବା ଯୋଗୁଁ ଅଳ୍ପ ମୂଲ୍ୟରେ ଦଲାଲକୁ ବିକିବାକୁ ବାଧ୍ୟ ହେଉଛନ୍ତି ।

ଚଳିତବର୍ଷ ଏହି କପାଚାଷ ଆହୁରି ବ୍ୟାପକ ଭାବରେ କରାଯାଇଛି । ଢିପ ଜମି ଗୁଡିକରେ ଧାନ ଚାଷ କଲେ ବ୍ୟାପକ ମାତ୍ରାରେ ପାଣି ଆବଶ୍ୟକ ହେଉଥିବାରୁ ଚାଷୀମାନେ ଏହି ଜମିରେ କପାଚାଷ କରୁଛନ୍ତି । ତିଲେଶ୍ୱର, ହରେକୃଷ୍ଣପୁର, ବାମଣ୍ଡା, ବଢ଼ିଗାଁ, ବଘିଆପଡା, ଗୁଡଭେଲିପଦର, ବିଳାସପୁର, ଶୁଣ୍ଢିପଦର, ବରଗୋଛା, ଶଗଡା, ଗୁନ୍ଦୁଳିଆ, ଆମ୍ବଝରୀ, ଗୋଛାପଡା, ବାଉଁଶୁଣୀ ଆଦି ପଞ୍ଚାୟତ ଗୁଡିକରେ ୫୦୦୦ରୁ ଊର୍ଦ୍ଧ୍ଵ ହେକ୍ଟର ଜମିରେ କପାଚାଷ କରାଯାଇଛି । ଚଳିତବର୍ଷ ଠିକ୍‌ ଭାବରେ ବର୍ଷା ହୋଇଥିବାରୁ କପା ଅମଳ ବୃଦ୍ଧି ପାଇବ ବୋଲି ଚାଷୀମାନେ ଅଶା ପ୍ରକାଶ କରିଛନ୍ତି । ଏପରିକି ଶଗଡାର ଆଭ୍ୟନ୍ତରୀଣ ଅଂଚଳରେ ଗଂଜେଇ ଚାଷୀମାନେ ଧରପଗଡର ଅତିଷ୍ଠ ହୋଇ ଶେଷରେ କପାଚାଷକୁ ଆଦରି ନେଉଥିବା ଦେଖାଯାଇଛି । ଏପରିକି ଜଣେ ଜଣେ କପାଚାଷୀ ଶହେ ଏକରରୁ ଊର୍ଦ୍ଧ୍ଵ ଜମି ଠିକାରେ ନେଇ ସେଥିରେ କପାଚାଷ କରିଛନ୍ତି । ହେଲେ ନିକଟରେ କପାମଣ୍ଡି ନଥିବାରୁ ଚାଷୀ ଅଭାବୀ ବ୍ରିକିରେ ଶିକାର ହୋଇ ଦଲାଲଙ୍କ ଚକ୍ରାନ୍ତରେ ପଡି କ୍ଷତିଗ୍ରସ୍ତ ହେଉଛନ୍ତି । ଜିଲାରେ ଅତି କମ୍‌ରେ ୩ଟି କପାମଣ୍ଡି ଖୋଲାଗଲେ ଏହି ଅଂଚଳର ଶହଶହ କପାଚାଷୀ ସହଜ ଓ ସୁବିଧାରେ ସେମାନଙ୍କର କଷ୍ଟ ଉପାର୍ଜିତ ଉତ୍ପାଦକୁ ବିକ୍ରି କରିପାରିନ୍ତେ । ତେଣୁ କପାଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କପାମଣ୍ଡି ଖୋଲିବାକୁ  କପା ଚାଷୀମାନେ ଦାବି କରିଛନ୍ତି ।

Comments are closed.