ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବିଜ୍ଞାନ ପ୍ରଦର୍ଶନୀ ଓ ଶିଶୁ ଦିବସ ପାଳିତ ।

0

ଗଜପତି, ୧୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାର ପାରସମ୍ବାସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପୂର୍ଣ୍ଣପୀଠ ପରିସରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଓ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ପ୍ରତିଭାର ପରିଚୟ ଦେଇ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁକୁଣ୍ଡାଗୁଡ଼ା ସରକାରୀ ମହିଳା ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସନି ବଡ଼ମୁଣ୍ଡି, ସିଆରସିସି ଶ୍ରୀ କେ. ଭାଗ୍ୟରାଜ ଏବଂ ଜୀବା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଯୋଗ ଦେଇଥିଲେ। ଅତିଥିମାନେ ଶିଶୁ ଦିବସର ମହତ୍ତ୍ୱ ଓ ବିଜ୍ଞାନ ଶିକ୍ଷାର ଉପାଦେୟତା ସମ୍ପର୍କରେ ବହୁ ମୂଲ୍ୟବାନ ତଥ୍ୟ ଓ ଉପଦେଶ ପ୍ରଦାନ କରିଥିଲେ। ଏଥିସହ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଶିଭୂଷଣ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଶ୍ରୀ ଗୋପୀନାଥ ପାଢ଼ୀ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମାତୃପୀଠର ସଭାପତି ବଳରାମ ଭାଇଙ୍କ ସମେତ ହରି ଭାଇ, ଗୀତା ଅପା ଓ ଅନ୍ୟାନ୍ୟ ଅପା-ଭାଇମାନେ ଉପସ୍ଥିତ ରହି ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପରିଦର୍ଶନ କରିଥିଲେ।ଏହି ପ୍ରଦର୍ଶନୀରେ ବିଭିନ୍ନ ଅନୁଷ୍ଠାନର ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁସନ୍ଧାନମୂଳକ ମନୋଭାବ, ଆତ୍ମବିଶ୍ୱାସ ଓ ସୃଜନଶୀଳତା ବିକାଶରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ସୀମାଞ୍ଚଳ ଶତପଥୀ ସମସ୍ତ ଅତିଥିବୃନ୍ଦ, ଅଭିଭାବକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଅନୁଷ୍ଠାନର ସମସ୍ତ ଅପା-ଭାଇ ସହଯୋଗ କରିଥିଲେ।

Leave A Reply

Your email address will not be published.