ଏସ୍‌ସିବିରେ ବିଚିତ୍ର ସ୍ଥିତି

ଅର୍ଥୋପେଡିକ୍‌ ୱାର୍ଡରେ ଘରୋଇ ସଂସ୍ଥାର ବେପାର

କଟକ: କଟକ ବଡ଼ ମେଡିକାଲ ୱାର୍ଡ ଭିତରେ ଏକ୍ସରେ ବେପାର କରୁଛନ୍ତି ଘରୋଇ ସଂସ୍ଥା। ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର କର୍ମଚାରୀ ପୋର୍ଟେବୁଲ ଏକ୍ସରେ ଧରି ୱାର୍ଡରେ ବୁଲୁଛନ୍ତି। ୨ଶହ ଟଙ୍କା ନେଇ ଏକ୍ସରେ କରିବା ସହିତ ରୋଗୀଙ୍କୁ ଆଣି ୱାର୍ଡରେ ରିପୋର୍ଟ ବି ଦେଉଛନ୍ତି। ଏଥିପାଇଁ କେଉଁ ନିୟମ ଆଧାରରେ ଅନୁମତି ଦିଆଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏସ୍‌ସିବିର ୱାର୍ଡ ଭିତରକୁ ବିନା ପାସ୍‌ରେ କାହାକୁ ଅନୁମତି ନାହିଁ। ଏପଟେ ସରକାର ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ୩ ହଜାରରୁ ଅଧିକ କୋଟି ବ୍ୟୟରେ ‌ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏସ୍‌ସିବିରେ ଆବଶ୍ୟକ ଏକ୍ସରେ ଅଥବା ରେଡିଓଗ୍ରାଫର ବି ନାହାନ୍ତି। ଫଳରେ ସରକାରଙ୍କ ମାଗଣା ଚିକିତ୍ସା ସେବା ଘୋଷଣାର ଇଏ କ’ଣ ବାସ୍ତବ ଚିତ୍ର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଏସ୍‌ସିବି କର୍ତ୍ତୃପକ୍ଷ ଏଭଳି ଘରୋଇ ଡାଇଗ୍ନୋଷ୍ଟିକ୍‌ ସଂସ୍ଥାକୁ ୱାର୍ଡ ଭିତରେ ଟଙ୍କା ନେଇ କାମ କରିବାର ସୁଯୋଗ ଦେବା ଘଟଣା ଏବେ ବିବାଦର କାରଣ ହୋଇଛି। ଏସ୍‌ସିବିରେ ଯଦି ଏଭଳି ସ୍ଥିତି, ସେଥିରେ ରାଜ୍ୟର ଅନ୍ୟ ସରକାରୀ ମେଡିକାଲରେ ରୋଗୀ ସେବା ସ୍ଥିତି କ’ଣ, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ତଥ୍ୟ ଅନୁଯାୟୀ ଏସ୍‌ସିବି ଅର୍ଥୋପେଡିକ୍‌ ବିଭାଗର ଦୁଇଟି କୋଠାରେ ୬ଟି ୱାର୍ଡ, ଟ୍ରମା, ଆଇସିୟୁ ରହିଛି। ପ୍ରତି ଦିନ ଓପିଡିକୁ ହାରାହାରି ଭାବେ ୬ଶହ ରୋଗୀ ଆସିଥାନ୍ତି। କିନ୍ତୁ ଯଦି କାହାର ଏକ୍ସରେ ଆବଶ୍ୟକତା ପଡୁଛି ତାହେଲେ ରୋଗୀଙ୍କୁ ଟେକି ଟେକି ନେବାକୁ ପଡ଼ୁଛି। ସେଥିପାଇଁ କେତେବେଳେ ପାଳି ପଡ଼ିବ, ସେକଥା ରୋଗୀ ସଂପର୍କୀୟ ବି ଜାଣିପାରୁ ନାହାନ୍ତି। କିନ୍ତୁ ଏଭଳି ବ୍ୟବସ୍ଥାରୁ ବେଶ୍‌ ଫାଇଦା ଉଠାଉଛି ଏକ ନିର୍ଦ୍ଦିଷ୍ଟ ଘରୋଇ ଡା‌ଇଗ୍ନୋଷ୍ଟିକ୍‌ ସେଣ୍ଟର। ଉକ୍ତ କେନ୍ଦ୍ରର କର୍ମଚାରୀ ପ୍ରତିଦିନ ୱାର୍ଡରେ ଆସି ପୋର୍ଟେବୁଲ ଏକ୍ସରେ ଧରି ଘୁରି ବୁଲୁଛନ୍ତି। ରୋଗୀଙ୍କ ଏକ୍ସରେ କରିବା ସହ ଏଥିପାଇଁ ୨ଶହ ଟଙ୍କା ନେଉଛନ୍ତି। କିନ୍ତୁ ଏଭଳି ଘଟଣା ସଂପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ। ଏ ସଂପର୍କରେ ସେ ତଦନ୍ତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଅନ୍ୟପଟେ ଅର୍ଥୋପେଡିକ୍‌ ବିଭାଗରେ କେବଳ ୱାର୍ଡ ପାଇଁ ମେଡିକୋ ଲିଗାଲ କେଶ ପାଇଁ ଜଣେ ରେଡିଓଗ୍ରାଫର ରହିଥିବା ବେଳେ ଓଟିରେ ସିଆର୍ମ ମେସିନ୍‌ ପାଇଁ ୨ଜଣ ରେଡିଓଗ୍ରାଫର ରହିଛନ୍ତି।

Comments are closed.