ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା l
ଚକ୍ଷୁରୁନ୍ମୀଳିତଂଯେନ ତସ୍ମୈ ଶ୍ରୀଗୁରଵେ ନମଃ ll
****
ବଶିଷ୍ଟ ସ୍ମୃତି କହନ୍ତି “ତ୍ରିନ୍ୟାହୁରତିଦାନାନି ଗାଵଃ ପୃଥ୍ୱୀ ସରସ୍ବତୀ ଅତି ଦାନାଂ ହି ଦାନାନାଂ ବିଦ୍ୟା ଦାନଂ ତତୋଧିକମ୍ “l ଅର୍ଥାତ ଗାଈ, ଭୂମି ଏବଂ ବିଦ୍ୟା ଦାନ ଅତି ଦାନ ଅଟେ l ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦାନ ବିଦ୍ୟାଦାନ l ବିଦ୍ୟାଦାନ ଯିଏ କରନ୍ତି ସେ ହେଲେ ଗୁରୁ l ଗୁରୁ ବିଦ୍ୟା ଦାନ କଲାବେଳେ ଶିକ୍ଷକ ଶିକ୍ଷା ଦାନ କରିଥାନ୍ତି l ଆଜି ସେପ୍ଟେମ୍ବର ମାସର ପାଞ୍ଚ ତାରିଖ ଗୁରୁ ଦିବସ l ଇଂରାଜୀରେ ଏହାକୁ Teacher’s Day ବା ଶିକ୍ଷକ ଦିବସ କୁହାଯାଏ l ଶିକ୍ଷକ ମାନଙ୍କର ସମ୍ମାନାର୍ଥେ ଏହା ପାଳନ କରାଯାଏ l 1888 ମସିହାରେ ଆଜିର ଦିନରେ ତାମିଲନାଡୁରେ ଜନ୍ମ ଗ୍ରହଣ କରି ଏବଂ ପରବର୍ତ୍ତୀ କାଳରେ ଭାରତର ରାଷ୍ଟ୍ରପତି ପଦକୁ ଅଳଙ୍କୃତ କରିଥିବା ମହାନ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣନ ଦୀର୍ଘ ଚାଳିଶ ବର୍ଷ କାଳ ଶିକ୍ଷା ଦାନ କରିଥିଲେ l ସେ ରାଷ୍ଟ୍ରଦୂତ,ଉପ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଆଦି ପଦରେ ଅଭିଷିକ୍ତ ହୋଇ ଥିଲେ ହେଁ ମୂଳତଃ ସେ ଥିଲେ ଶିକ୍ଷକ ଏବଂ ଶିକ୍ଷାବିତ l ପ୍ରଚଣ୍ଡ ମେଧାର ଅଧିକାରୀ ମହାତ୍ମା ରାଧାକ୍ରିଷ୍ଣନ କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ,ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତି ପଦରେ ଆସୀନ ହୋଇଥିଲେ l ତାଙ୍କର ପ୍ରାଚ୍ୟ,ପାଶ୍ଚାତ୍ୟ ବିଶେଷକରି ବୈଦିକ ଦର୍ଶନରେ ଅଗାଧ ପାଣ୍ଡିତ୍ୟ ଥିଲା lତାଙ୍କୁ ଭାରତର ଦାର୍ଶନିକ ରାଷ୍ଟ୍ରପତି ରୂପେ ଅଭିହିତ କରାଯାଏ l1962ରେ ସେ ରାଷ୍ଟ୍ରପତି ହେବା ପରେ ତାଙ୍କର ଗୁଣ ମୁଗ୍ଧ କିଛି ଛାତ୍ର ତାଙ୍କର ଜନ୍ମଦିନ ପାଳନ କରି ତାଙ୍କୁ ସମ୍ମାନିତ କରିବାକୁ ଚାହିଁଲେ lଏଥିରେ ସର୍ବପଲ୍ଲୀ ପରାମର୍ଶ ଦେଲେ ଏହି ଦିନଟିକୁ ମୋର ଜନ୍ମଦିନ ଭାବେ ପାଳନ ନକରି ଗୁରୁଦିବସ ଭାବେ ପାଳନ କରି ଶିକ୍ଷକମାନଙ୍କୁ ସମ୍ମାନୀତ କରାଯାଉ l ରାଷ୍ଟ୍ର ଗୁରୁଙ୍କ ପରାମର୍ଶରେ ଆମେ ଆଜିର ଏହି ଦିନକୁ ସେବେଠାରୁ ଗୁରୁଦିବସ ବା ଶିକ୍ଷକ ଦିବସ ଭାବେ ପାଳନ କରି ଆସୁଛୁ l ଯିଏ ଆମକୁ ଶିକ୍ଷା ଦିଅନ୍ତି ସେ ଶିକ୍ଷକ ଆଉ ଆମେ ଛାତ୍ର l ଶିକ୍ଷା ଲାଭ ସହ ଆମେ ଶିଖୁ ଚରିତ୍ର ଗଠନ, ଶୃଙ୍ଖଳା, ଶୀଳତା ଓ ଶାଳୀନତା l ଶିକ୍ଷା ଲାଭ ଫଳରେ ଆମର ଈଶ୍ୱର ଦତ୍ତ ଗୁଣର ବିକାଶ ହୁଏ l କ୍ରମେ ଆମ ପ୍ରତିଭାର ପ୍ରକାଶ ପାଏ ଓ ଶିକ୍ଷକ ଆମର ପ୍ରତିଭାକୁ ଜାଣି ପାରନ୍ତି lଶିକ୍ଷକ ଆମକୁ ସେହି ଦିଗକୁ ଆଗେଇବା ପାଇଁ ସହାୟତା କରନ୍ତି, ଆହୁରି ଅଧିକ ଉଚ୍ଚତର ମୂଲ୍ୟବୋଧ ଓ ଚେତନାକୁ ନେଇଯାଆନ୍ତି l ଛାତ୍ର ଜଣେ ମାର୍ଜିତ,ସଂସ୍କୃତି ସମ୍ପନ୍ନ ଓ ପୂର୍ଣ୍ଣ ବ୍ୟକ୍ତିରେ ପରିଣତ ହୁଏ l ଏଇଠି ଶିକ୍ଷକ ପରିଣତ ହୁଅନ୍ତି ଗୁରୁରେ,ଶିକ୍ଷା ପରିଣତ ହୁଏ ଦୀକ୍ଷାରେ ଓ ଛାତ୍ର ଶିଷ୍ୟରେ l ଏତିକି ବେଳେ ଛାତ୍ରଟି କୁହେ “ତସ୍ମୈ ଶ୍ରୀଗୁରଵେ ନମଃ “l ଶିକ୍ଷକ ଛାତ୍ରଟିର କୃତିତ୍ୱରେ ତାର ଗୁରୁ ବୋଲି ଗର୍ବ କରନ୍ତି ଏବଂ ନିଜକୁ ଧନ୍ୟ ମଣିଥାନ୍ତି l ପ୍ରତ୍ୟେକ ମଣିଷର ଶିକ୍ଷାର ଓ ଉତ୍ତମ ଗୁରୁର ଆବଶ୍ୟକତା ରହିଛି ଏହା ଆମକୁ ସ୍ୱୟଂ ଭଗବାନ ଶିଖାଇଛନ୍ତି l ଲୋକଶିକ୍ଷା ପାଇଁ ପ୍ରଭୁ ଶ୍ରୀରାମ ଗୁରୁ ବଶିଷ୍ଠ ଏବଂ କୃଷ୍ଣ ବଳରାମ ଗୁରୁ ସାନ୍ଦୀପନୀଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଥିଲେ l ଅର୍ଜୁନ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ଶିକ୍ଷା ଗ୍ରହଣ କରି ସବ୍ୟସାଚୀ ମହା ଧନୁର୍ଦ୍ଧର ହୋଇ ଥିଲେ l ଛତ୍ରପତି ଶିବାଜୀ ସମର୍ଥଗୁରୁ ରାମଦାସଙ୍କ ଠାରୁ ଶିକ୍ଷାଲାଭ କରି ବୀର ଓ ନିର୍ଭୀକ ଯୋଦ୍ଧା ହୋଇ ପାରିଥିଲେ l ଗୁରୁ ନାନକ ତଥା ଅନ୍ୟ ଶିଖ ଗୁରୁ ମାନେ ଶିଖ ସମ୍ପ୍ରଦାୟକୁ ଏକ ବୀର ଯୋଦ୍ଧା ଜାତି ରୂପେ ଗଢ଼ି ତୋଳିଥିଲେ l ସେହିପରି ମଧ୍ୟ ଆମେ ଉପନିଷଦରେ ଶିଷ୍ୟ ଆରୁଣି,ଉପମନ୍ୟୁ ଓ ଗୁରୁ ଧୌମ୍ୟଙ୍କ କଥା ଶୁଣିଥାଉଁ l ଖାଲି ଶିକ୍ଷା ନୁହେଁ, ଅଧିକନ୍ତୁ ଛାତ୍ରର ଶିକ୍ଷା ଓ ଗୁରୁଙ୍କ ପ୍ରତି ସମର୍ପଣ ଭାବ ଆମକୁ ଏହି ଉପାଖ୍ୟାନ ଗୁଡ଼ିକରୁ ଶିଖିବାକୁ ମିଳିଥାଏ l
ପୂର୍ବ କାଳରେ ଶିକ୍ଷକ ଛାତ୍ର ମାନଙ୍କର ଲୁକ୍କାୟିତ ପ୍ରତିଭା ବିକାଶ ତଥା ଉତ୍ତରଣ ନିମିତ୍ତ ସହାୟତା କରୁଥିଲେ l ଛାତ୍ର ଗୋଟିଏ ମାଟି ପିଣ୍ଡୁଳା ହୋଇ ଶିକ୍ଷକଙ୍କ ପାଖକୁ ଆସୁଥିଲା l ତା’ ଭିତରେ କଣ ଥିଲା ସିଏ ନିଜେ ଜାଣିନଥିଲା l ଗୁରୁଗୃହରୁ ଶିକ୍ଷା ସମାପ୍ତି ପରେ ସେ ସର୍ବଗୁଣ ସମ୍ପନ୍ନ ଏବଂ ସୁନ୍ଦର ମୂର୍ତ୍ତିଟିଏ ହୋଇ ଫେରୁଥିଲା l କଢ଼ଟିଏ ଫୁଟିଲା ଫୁଲପରି ଛାତ୍ରଟି ବିକଶିତ ବ୍ୟକ୍ତିତ୍ୱ ନେଇ ଫେରି ଆସୁଥିଲା l ଶିକ୍ଷା ଦ୍ଵାର ତାର ସମସ୍ତ ସତ୍ତା ବ୍ୟକ୍ତ ହେବାପରେ ସେ ବ୍ୟକ୍ତିରେ ପରିଣତ ହେଉଥିଲା l କୃତଜ୍ଞତାରେ ତା’ର ମୁଣ୍ଡ ନଇଁ ଯାଉଥିଲା ଗୁରୁଙ୍କ ଚରଣରେ ଓ ଶିକ୍ଷକଙ୍କ ଆଖିରେ ଭରି ଦେଉଥିଲା ପରମ ଆନନ୍ଦର ଅଶ୍ରୁ lଗୁରୁ ଶିଷ୍ୟ ନିବିଡ଼ ବନ୍ଧନ ଓ ଅନ୍ତରଙ୍ଗତାକୁ ଲକ୍ଷ୍ୟ କରି ଠାକୁର ଅଭିରାମ ପରମହଂସ କହିଛନ୍ତି –
“ତୁମେ ମୋର ମୁଁ ତୁମର ଆହେ ମୋର ସ୍ବାମୀ l
ତୁମେ କି ଜାଣନା ପ୍ରଭୁ ଗୁରୁ ଅନ୍ତର୍ଯ୍ୟାମୀ ll”
ଶିକ୍ଷକତା ଏକ ବୃତ୍ତିନୁହେଁ ଏହା ଏକ ଉତ୍ସର୍ଗତାର ବ୍ରତ l ବିଦ୍ୟାର ପରିସର ବହୁ ବ୍ୟାପକ l ବିଦ୍ୟା କେବଳ ଆନୁଷ୍ଠାନିକ ବିଦ୍ୟା ନୁହେଁ l ଅନୁଷ୍ଠାନର ବାହାରେ ଯେଉଁଠି ବିଦ୍ୟା ଅଛି ତାହା ସମସ୍ତଙ୍କ ପାଖରେ ପହଞ୍ଚାଇବାପାଇଁ ଗୁରୁ ହିଁ ମାର୍ଗଦର୍ଶକ l ଗୁରୁ ସାକ୍ଷାତ ଈଶ୍ୱର ସ୍ୱରୂପ l ସେ ଅଗାଧ ଜ୍ଞାନର ଭଣ୍ଡାର l ସେ ଜ୍ଞାନ ସମୁଦ୍ରକୁ ମନ୍ଥନ କରି ଆମକୁ ସାର ରତ୍ନ ପ୍ରଦାନ କରନ୍ତି l ତେଣୁ କୁହାଯାଇଛି –
ଗୁରୁଙ୍କୁ ନ ମଣିବ ନର l
ଗୁରୁହିଁ ସାକ୍ଷାତ ଈଶ୍ୱର ll
କିନ୍ତୁ ଆଜିର ଶିକ୍ଷାର ବ୍ୟବସାୟୀକରଣ ଯୁଗରେ ଆମେ ଆମର ଏହି ମୂଲ୍ୟବୋଧ ଗୁଡିକୁ ହଜାଇ ବସିଛୁ lଶିକ୍ଷକଛାତ୍ର ସମ୍ପର୍କ କ୍ରମେ ମଉଳିଯାଇଛି, “ବିଦ୍ୟା ଦଦାତି ବିନୟମ୍” ଗୁଣ ଛାତ୍ରଟିଏ ଠାରେ ଆଉ ଦେଖିବାକୁ ମିଳୁନାହିଁ l ପ୍ରତିହତ ହୋଇଛି ଜ୍ଞାନର ଅସଲ ଉଦ୍ଦେଶ୍ୟ,ଜାଗତିକ ଓ ଆଧ୍ୟାତ୍ମିକ ଉନ୍ନତି l ଏହି ବ୍ୟବସାୟ ମନୋବୃତ୍ତିର ବଶବର୍ତ୍ତୀ ହୋଇ ଆଜି ସତଗୁରୁ ଓ ସତ ଶିଷ୍ୟଟିଏ ମିଳିବା ଦୁର୍ଲଭ ହୋଇ ପଡ଼ିଛି l ଆମର ମୂଲ୍ୟବୋଧ ତଥା ନୈତିକତା ଓ ପରମ୍ପରା ଅଧୁନା ଅବକ୍ଷୟ ମୁଖୀ l ସବୁଠାରୁ ବେଶୀ ଚିନ୍ତା କରିବାର ବିଷୟ ହେଉଛି ଶିକ୍ଷାର ବିସ୍ତାର ହେଉଛି, ଅଥଚ ଏହା ମଣିଷର ସର୍ବାଙ୍ଗୀନ ଉନ୍ନତିରେ ସହାୟ ହୋଇପାରୁ ନାହିଁ କାହିଁକି?
ଆଜି ଆମର ଏ ଦିନଟି ସମାଜ ଗଠନ ଓ ମଣିଷ ତିଆରି କରିବାରେ ଗୁରୁଙ୍କର ଭୂମିକାକୁ ସ୍ମରଣ କରିବାର ଦିନ l ଶିକ୍ଷା ଯେଉଁ ଦିନ ଜ୍ଞାନ ପ୍ରଦାନ କରିବା ସହ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେବ ସେଦିନ ବୁଝିବା ଶିକ୍ଷାର ଅସଲ ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି l ଏ ଦିଗରେ ଗୁରୁ ଏବଂ ଶିଷ୍ୟ ଉଭୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରେ l ଏହା ଧ୍ରୁବ ସତ୍ୟ, ଗୁରୁ ଆଦର୍ଶ ନ ହେଲେ ଛାତ୍ର ଆଦର୍ଶ ହୋଇ ପାରିବ ନାହିଁ l ଆସନ୍ତୁ ଆଜି ଏହି ପବିତ୍ର ଦିନରେ ପ୍ରଣାମ କରିବା ଆମର ରାଷ୍ଟ୍ରଗୁରୁ ରାଧାକୃଷ୍ଣନଙ୍କୁ ଏବଂ ଆମକୁ ସମର୍ଥ କରି ଜୀବନ ସଂଗ୍ରାମକୁ ସଫଳ ଭାବେ ସମ୍ମୁଖୀନ ହେବାପାଇଁ ତିଆରି ଥିବା ସେହି ଗୁରୁ ମାନଙ୍କୁ l ଆଉ ପ୍ରଣାମ କରି ନିବେଦନ କରିବା ଶିକ୍ଷକଙ୍କୁ ଏବଂ ପରାମର୍ଶ ଦେବା ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ସେ ଦିନର ସେ ମହାନ ଗୌରବମୟ ପରମ୍ପରା ଫେରି ଆସୁ l
ଓଁ ଗୁରୁ ଗୋବିନ୍ଦାୟଃ ନମଃ
🙏🙏🙏
ଅର୍ଜୁନୀ
————–
ମୋ – 7693091971
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.