ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ ଲଳିତ ମୋହନ ପଣ୍ଡା

ଭୁବନେଶ୍ବର: ଓଡ଼ିଶାର ଗାଇଡ ଲଳିତ ମୋହନ ପଣ୍ଡା ଆଜି ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ ବର୍ଣ୍ଣାଢ଼୍ୟ ଆୟୋଜନରେ ଆଜି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଲଳିତଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ତରଫରୁ ୨୦୧୮-୧୯ ମସିହା ପାଇଁ ଦେଶର ସର୍ବଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଭାବରେ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି। ଯଦିଓ ଶ୍ରେଷ୍ଠ ୱାଇଲ୍ଡ ଲାଇଫ ଗାଇଡ ଶ୍ରେଣୀରେ ପୂର୍ବ, ପଶ୍ଚିମ ଓ କେନ୍ଦ୍ର, ଉତ୍ତର, ଦକ୍ଷିଣ, ଏବଂ ଉତ୍ତର ପୂର୍ବ ଏଇ ୫ ଜୋନରୁ ୫ଟି ପୁରସ୍କାର ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା, କିନ୍ତୁ, ଶେଷରେ ସାରା ଭାରତରୁ ଏକାକୀ ଲଳିତଙ୍କୁ ହିଁ ବଛା ଯାଇଥିଲା।

ଲଳିତଙ୍କ ସମେତ ଦେଶରୁ ସମୁଦାୟ ୨୮ ଜଣଙ୍କୁ ଜାତୀୟ ପର୍ଯ୍ୟଟନ ପୁରସ୍କାର ଆଜି ପ୍ରଦାନ କରାଯିବ। ଶ୍ରେଷ୍ଠ ହୋଟେଲ, ଶ୍ରେଷ୍ଠ ସେଫ୍ (ରୋଷେଇୟା), ଶ୍ରେଷ୍ଠ ଟୁର୍ ଅପରେଟର, ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଇତ୍ୟାଦି ଅନେକ ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ। ହେଲେ ଓଡ଼ିଶାରୁ ଅନ୍ୟ କୌଣସି ଶ୍ରେଣୀରେ ଏଇ ପୁରସ୍କାର କାହାରିକୁ ମିଳି ନାହିଁ। କିନ୍ତୁ, ଇଷ୍ଟ ଜୋନ ପାଇଁ ଆଶା କରି ସାରା ଦେଶରୁ ଏକ ମାତ୍ର ୱାଇଲ୍ଡ ଲାଇଫ ଭାବରେ ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇବା ଓଡ଼ିଶା ପାଇଁ ଗୌରବର ବିଷୟ ନିଶ୍ଚୟ ।

ଲଳିତ ମୋହନ ପଣ୍ଡା ଟୁରିଜିମ୍ ମ୍ୟାନେଜମେଣ୍ଟରେ ଡିଗ୍ରି ଲାଭ କରିବା ପରେ, ପ୍ରଫେସନାଲ ଗାଇଡ ପ୍ରଶିକ୍ଷଣ ନେଇ ଗତ ୮ ବର୍ଷ ଧରି ରାଜ୍ୟ ଗାଇଡ ଭାବରେ ଫ୍ରି ଲାନ୍ସ କାର୍ଯ୍ୟ କରୁଛନ୍ତି। ଗାଇଡ କାମ ସହିତ ସ୍ନେକ ହେଲ୍ପ ଲାଇନର ଏକ ଶୃଙ୍ଖଳିତ ସଦସ୍ୟ ହିସାବରେ ବାଙ୍କୀ ତଥା ଆଖପାଖ ଅଞ୍ଚଳରେ ଅନେକ ଲୋକଙ୍କୁ ସାପ ଉପଦ୍ରବରୁ ମଧ୍ୟ ରକ୍ଷା କରିଛନ୍ତି । ୨୦୧୮ ମସିହାରେ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ମନ୍ଦିର ପ୍ରଶାସନ ତରଫରୁ ନିମନ୍ତ୍ରିତ ୪ ଜଣିଆ ସ୍ନେକ ହେଲ୍ପ ଲାଇନ ଟିମରେ ମଧ୍ୟ ଲଳିତ ଥିଲେ। ଆଗରୁ ଖୋର୍ଦ୍ଧା ସବଡିଭିଜନ ତରଫରୁ ଲଳିତଙ୍କୁ ୨୦୧୮ ମସିହାରେ ସବ ଡିଭିଜନ ସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ପୁରସ୍କାର ପାଇଥିଲେ। ଜାତୀୟ ପର୍ଯ୍ୟଟନ ପୁରସ୍କାର ପାଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଲଳିତଙ୍କୁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସଂସ୍ଥା ତରଫରୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.