ପରମାଣୁ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଣବିକ ସମରାଭ୍ୟାସ କରିବାକୁ ରୁଷର ଘୋଷଣା

ମସ୍କୋ : ୟୁକ୍ରେନ ଯୁଦ୍ଧରେ ଆଣବିକ ବୋମାର ପ୍ରୟୋଗ ଆଶଙ୍କା ମଧ୍ୟରେ ରୁଷ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ନିଜର ଆଣବିକ ବାହିନୀର ସମରାଭ୍ୟାସ କରିବ । ଏ ନେଇ ରୁଷ ପକ୍ଷରୁ ଆମେରିକାକୁ ଅବଗତ କରାଯାଇଛି ।

ରୁଷ ଓ ଆମେରିକା ମଧ୍ୟରେ ହୋଇଥିବା ଷ୍ଟାର୍ଟ ଚୁକ୍ତି ଅନୁସାରେ ଉଭୟ ପକ୍ଷ ଆଣବିକ ପରୀକ୍ଷା, କିମ୍ବା ଆଣବିକ ବାହିନୀର ସମରାଭ୍ୟାସ କଲେ ପରସ୍ପରକୁ ପୂର୍ବରୁ ସୂଚୀତ କରିବେ । ଏହି ଚୁକ୍ତିକୁ ପାଳନ କରି ରୁଷ ପକ୍ଷରୁ ଆମେରିକାକୁ ସମରାଭ୍ୟାସ ସମ୍ପର୍କରେ ପ୍ରାକ୍ ସୂଚନା ଦେଇଛି ।

ୟୁକ୍ରେନ ଉପରେ ଆବଶ୍ୟକ ପଡ଼ିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ଧମକ ଦେଇସାରିଛନ୍ତି । ଏହି ଧମକକୁ ନେଇ ସମଗ୍ର ବିଶ୍ବ ଆତଙ୍କିତ ଥିବାବେଳେ ଏହି ସ୍ବତନ୍ତ୍ର ସମରାଭ୍ୟାସ ସ୍ଥିତିକୁ ଜଟିଳ କରିଛି ।

ଗତ ମଙ୍ଗଳବାରଦିନ ରୁଷ ପକ୍ଷରୁ ଜାତିସଂଘରେ କୁହାଯାଇଥିଲା ଯେ ଏକ ଡାର୍ଟି ବମ୍ ପ୍ରୟୋଗ କରିବାକୁ ୟୁ୍କ୍ରେନ ଯୋଜନା କରୁଛି । ଏ ସଂପର୍କରେ ରୁଷ ପକ୍ଷରୁ ଭାରତ ଓ ଚୀନକୁ ବି ଅବଗତ କରାଯାଇଛି । କିନ୍ତୁ ୟୁକ୍ରେନ ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ ରୁଷର ଏହି ଦାବିକୁ ଖାରଜ କରିଦେଇଛନ୍ତି । ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ ରୁଷର ଏହି ଅଭିଯୋଗରୁ ମନେହେଉଛି ରୁଷ ନିଜେ ଏପରି ଏକ ବୋମା ପ୍ରୟୋଗ କରିବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ଆଧୁନିକ ସାମରିକ ଭାଷାରେ ଡାର୍ଟି ବମର ଅର୍ଥ ହେଉଛି ତେଜସ୍କ୍ରିୟ ସାମଗ୍ରୀ ବହନ କରୁଥିବା ଏକ ପାରମ୍ପରିକ ବୋମା ।

Comments are closed.