ବାଲେଶ୍ଵରରେ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ୨.୫ କୋଟିର ସାଇବର ଠକେଇ, ୩ ଗିରଫ

•ସୋର ହୋଟେଲରୁ ତାମିଲନାଡୁର ବ୍ୟକ୍ତି ଗିରଫ; ଯାଜପୁରରୁ ଆକାଉଣ୍ଟଧାରୀ ଦମ୍ପତି ଧରାପଡ଼ିଲେ, ୨ ମୋବାଇଲ ଜବତ

0
ବାଲେଶ୍ୱର, ୨୩ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ପ୍ରାୟ ୨.୫ କୋଟି ଟଙ୍କାର ସାଇବର ଠକେଇ ମାମଲାରେ ବାଲେଶ୍ୱର ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ସମେତ ଯାଜପୁର ଜିଲ୍ଲାର ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଠକେଇ ପଛରେ ଏକ ବଡ଼ ସାଇବର ଅପରାଧ ନେଟୱର୍କର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ପୁଲିସ ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଏହି ସାଇବର ଠକେଇ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ସାଇବର ଥାନା ପୁଲିସ ସୋର ଥାନା ଅଞ୍ଚଳର ଏକ ହୋଟେଲରେ ଚଢ଼ାଉ କରିଥିଲା। ସେଠାରୁ ତାମିଲନାଡୁର ହରିନାଥ କେ (୪୯)ଙ୍କୁ ଗିରଫ କରାଯାଇଥିଲା। ଠକେଇ ଟଙ୍କାର କାରବାରକୁ ସହଜ କରିବା ଉଦ୍ଦେଶ୍ୟରେ ସେ ହୋଟେଲରେ ରହୁଥିବା ପୁଲିସ ଅଭିଯୋଗ କରିଛି।
ପଚରାଉଚରା ସମୟରେ ହରିନାଥଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା। ତାଙ୍କ କହିବା ଅନୁଯାୟୀ, ଗତ ୧୪ ଅକ୍ଟୋବରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଆକାଉଣ୍ଟ ଜରିଆରେ ପ୍ରାୟ ୨.୫ କୋଟି ଟଙ୍କାର ଠକେଇ ସମ୍ପର୍କିତ କାରବାର ହୋଇଥିଲା। ତାଙ୍କ ମାଲିକଙ୍କ ନିର୍ଦ୍ଦେଶରେ ସେ ବାଲେଶ୍ୱର ଆସି ଏହି କାରବାରରେ ସହଯୋଗ କରୁଥିଲେ ବୋଲି ପୁଲିସକୁ କହିଥିବା ଜଣାପଡ଼ିଛି।
ଏହି ସୂତ୍ରରେ ତଦନ୍ତ କରି ପୁଲିସ ଠକେଇରେ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରିଚୟ ଜାଣିବାକୁ ପାଇଥିଲା। ପରେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ଆଣ୍ଟିଆ ଗ୍ରାମର ବସନ୍ତ କୁମାର ଜେନା (୫୫) ଓ ଝରଣା ଜେନା (୪୦)ଙ୍କୁ ଗିରଫ କରାଯାଇଥିଲା। ଏହି ଦମ୍ପତିଙ୍କ ବ୍ୟାଙ୍କ ଆକାଉଣ୍ଟ ଠକେଇ କାରବାରରେ ବ୍ୟବହୃତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ, ହରିନାଥ ୨୦୦୫ ମସିହାରୁ ଚୀନ୍‌ରେ ରହୁଥିବା ଏବଂ ସେଠାରେ ଜଣେ ଚୀନ୍‌ ନାଗରିକଙ୍କୁ ବିବାହ କରିଥିବା ପୁଲିସକୁ କହିଥିବା ଜଣାପଡ଼ିଛି। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
ଏହି ମାମଲାରେ ମ୍ୟୁଲ୍‌ ଆକାଉଣ୍ଟର ବ୍ୟବହାର ସାଇବର ଠକେଇର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମ୍ନାକୁ ଆଣିଛି। ଅନ୍ୟମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାର ଲେଣଦେଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଆକାଉଣ୍ଟଧାରୀମାନେ ଜାଣିଶୁଣି ଏହି କାରବାରରେ ସାମିଲ ଥିଲେ ନା ସେମାନଙ୍କ ଅଜାଣତରେ ଆକାଉଣ୍ଟ ବ୍ୟବହାର ହୋଇଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ବାଲେଶ୍ୱର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପରେଶ ରାଉତ ଓ ସାଇବର ଥାନା ଅଧିକାରିଣୀ ରୀନା ବିନ୍ଧାଣୀ ଏହି ସୂଚନା ଦେଇଥିଲେ। ଠକେଇର ଟଙ୍କା କେଉଁଠାକୁ ଯାଇଛି, ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହା ପଛରେ ବଡ଼ ନେଟୱର୍କ କାମ କରୁଛି କି ନାହିଁ, ସେନେଇ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।
Leave A Reply

Your email address will not be published.