ମନେ ପଡ଼ନ୍ତି ହକି ଯାଦୁଗର ଧ୍ୟାନଚାନ୍ଦ

ଅର୍ଜୁନୀ ଚରଣ ବେହେରା

ମନେ ପଡ଼ନ୍ତି
ହକି ଯାଦୁଗର ଧ୍ୟାନଚାନ୍ଦ
==============
ଆଜି ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ l ତାଙ୍କୁ ସମ୍ମାନଜଣାଇ ଆମେ ଏ ଦିବସକୁ ରାଷ୍ଟ୍ରୀୟ କ୍ରୀଡ଼ାଦିବସ ଭାବେ ପାଳନ କରୁଛୁ l ତାଙ୍କ ବିଷୟରେ ଦୁଇ କଥା :-
ଶ୍ରୀ ସୋମେଶ୍ୱରଦତ୍ତ ସିଂହ ଓ ଶ୍ରୀମତୀ ଶାରଦା ସିଂହଙ୍କ କୋଳରେ ୧୯୦୫ ଅଗଷ୍ଟ ୨୯ ରେ ଧ୍ୟାନ ଚାନ୍ଦଙ୍କ ଜନ୍ମ ପ୍ରୟାଗରାଜରେ ହୋଇଥିଲା l ପିତା ତାଙ୍କର ଭାରତୀୟ ସେନାରେ କାର୍ଯ୍ୟ କରୁଥିଲେ l ଝାଂସୀ ଥିଲା ତାଙ୍କର ବାସ ସ୍ଥାନ l ପିଲା ବେଳେ ନିଜ ପାଖରେ ହକିଷ୍ଟିକ ନ ଥିବାରୁ ଧ୍ୟାନ ଖଜୁରୀ ଡାଳକୁ ହକିଷ୍ଟିକ କରି ଖେଳୁଥିଲେ l ତାଙ୍କ ଘର ପାଖ ପଡ଼ିଆକୁ ସେନାର ଯବାନ ମାନେ ଅଭ୍ୟାସ କରିବାକୁ ଆସୁଥିଲେ l ସେମାନଙ୍କ ସହ ମିତ୍ରତା କରି ଧ୍ୟାନ ଖେଳୁ ଥିଲେ l ବାଲ୍ୟାବସ୍ଥାରେ ତାଙ୍କର ସେ ଖେଳରେ ସମସ୍ତେ ପ୍ରଭାବିତ ହୋଇ ଥିଲେ l ଥରେ ତାଙ୍କ ବାପାଙ୍କର ସେନା ବିଭାଗର ଜଣେ ବନ୍ଧୁ ଖେଳ ଦେଖିବାକୁ ଆସିଥିଲେ lଷୋଳ ବର୍ଷର ଧ୍ୟାନ ସିଂହଙ୍କ ଖେଳ ଦେଖି ସେ ଚମତ୍କୃତ ହୋଇ ତାଙ୍କୁ ନେଇ ସେନାରେ ପ୍ରବେଶ କରାଇ ଦେଲେ l ଧ୍ୟାନ ସିଂହ ରେଜିମେଣ୍ଟର କାମ ସହ ହକି ଖେଳ
ଅଭ୍ୟାସ ବଜାୟ ରଖିଲେ l
ସେ ସେନାରେ ପ୍ରବେଶ କରିବା ପରେ ମେଜର ବଲେ ତିୱାରୀ ହକି ଷ୍ଟିକଟିଏ ଦେଇ ଧ୍ୟାନ ସିଂଙ୍କୁ ଅଭ୍ୟାସ କରିବାକୁ କହିଲେ l ଖେଳରେ ତାଙ୍କର କୌଶଳ ଦେଖି ସମସ୍ତ ସେନା ଅଫିସର ଆଶ୍ଚର୍ଯ୍ୟ ହେଉଥିଲେ lଦିନେ ସେ ରାତିରେ ଚନ୍ଦ୍ରାଲୋକରେ ଅଭ୍ୟାସ କରୁଥାନ୍ତି lତାଙ୍କୁ ଜଣେ ଇଂରେଜ ସେନା ଅଧିକାରୀ ଦେଖି କହିଲେ,”ଚନ୍ଦ୍ରାଲୋକରେ ଏତେ ଧ୍ୟାନ ସହକାରେ ତୁମେ ଅଭ୍ୟାସ କରୁଛ ନିଶ୍ଚୟ ଦିନେ ତୁମେ ଚନ୍ଦ୍ର ଭଳି ଚମକିବ” l ସେବେଠାରୁ ତାଙ୍କର ନାମ ଧ୍ୟାନ ସିଂହ ପରିବର୍ତ୍ତେ ଧ୍ୟାନଚାନ୍ଦ ହୋଇଗଲା l
ଧ୍ୟାନଚାନ୍ଦ ଇଉନାଇଟେଡ଼ ପ୍ରୋଭିନ୍ସ ସେନା ଶିବିର ପ୍ରତିଯୋଗିତା ମାନଙ୍କରେ ଖେଳ ଖେଳିବା ଆରମ୍ଭ କଲେ l ତାଙ୍କର ଖେଳ କ୍ରମେ ସମସ୍ତଙ୍କୁ ପ୍ରଭାବିତ କଲା l ତା’ ପରେ ସେ ଜାତୀୟ ସ୍ତରର ଖେଳରେ ଭାଗ ନେଇ ରାଷ୍ଟ୍ରୀୟ ସଂଘରେ ଖେଳିଲେ l ଆମଷ୍ଟରଡାମ ୧୯୨୮ ଅଲିମ୍ପିକକୁ ଯିବା ବେଳେ ସେ ଇଂଲଣ୍ଡରେ ଭାରତ ତରଫରୁ ୧୧ ଟି ମ୍ୟାଚ ଖେଳିଥିଲେ l ଏଠାରେ ଭାରତ ୭୩ ଟି ଗୋଲ ସ୍କୋର କରିଥିଲା l ସେହି ଗୋଲ ଭିତରୁ ତିରିଶିଟି ଗୋଲ ଥିଲା ମେ. ଧ୍ୟାନଚାନ୍ଦଙ୍କର l ଧ୍ୟାନଚାନ୍ଦଙ୍କ ଖେଳ ଦେଖି ଅନ୍ୟ ଖେଳାଳି ମାନଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ ଆଶଙ୍କା କରି ବ୍ରିଟିଶ ମାନେ ୧୯୨୮ ରେ ନିଜ ଦଳରୁ ଧ୍ୟାନଚାନ୍ଦଙ୍କୁ ହଟାଇ ଦେଲେ l ସେବେ ଠାରୁ ୧୯୪୭ ପର୍ଯ୍ୟନ୍ତ ସେ ଆଉ ତାଙ୍କ ଦଳରେ ଖେଳି ନଥିଲେ l
୧୯୨୮ଅଲିମ୍ପିକ୍ସରେ ଧ୍ୟାନଚାନ୍ଦ ନିଜ ଖେଳ ଦ୍ଵାରା ପ୍ରଭାବିତ କରିଥିଲେ ଅଷ୍ଟ୍ରେଲିଆ, ଡେ଼ନମାର୍କ, ବେଲ୍ଜିୟମ, ସୁଇଜର ଲ୍ୟାଣ୍ଡ ଇତ୍ୟାଦି ଦେଶକୁ l ଶେଷରେ ହଲାଣ୍ଡକୁ ୩-୦ ଗୋଲରେ ହରାଇ ସେ ସ୍ବର୍ଣ୍ଣ ପଦକ ଜିତିଥିଲ l ୧୯୩୨ ଲସ ଏଞ୍ଜେଲସ ଅଲିମ୍ପିକରେ ଭାରତ ଭଲ ପ୍ରଦର୍ଶନ କରିଥିଲା l ଗୋଟେ ମ୍ୟାଚରେ ଜାପାନକୁ ୧୧ / ୧ ରେ ଓ ଆମେରିକାକୁ ୨୪ /୧ ରେ ହରାଇ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା l ଏଥିରେ ଆମେରିକା ଭାରତର ହକି ଷ୍ଟିକ ଉପରେ ଆପତ୍ତି ଆଣିଥିଲା l ୧୯୩୬ ବର୍ଲିନ ଅଲିମ୍ପିକରେ ଧ୍ୟାନଚାନ୍ଦଙ୍କୁ ଭାରତୀୟ ଦଳ କ୍ୟାପଟେନ କରାଗଲା l ଭାରତ ହଙ୍ଗେରି,ଫ୍ରାନ୍ସ, ଜାପାନ,ଆମେରିକାକୁ ହରାଇ ଜର୍ମାନୀ ସହିତ ଶେଷ ମ୍ୟାଚ ଖେଳିଲା l ସେ ମ୍ୟାଚ ଦେଖିବାକୁ ହିଟଲର ଉପସ୍ଥିତଥିଲେ lଦ୍ଵିତୀୟଭାଗ ଖେଳରେ ମେ.ଧ୍ୟାନଚାନ୍ଦ ନିଜର କୃତିତ୍ୱ ଦେଖାଇଲେ l ସେ ଏକାକି ଛଅ ଗୋଟି ଗୋଲ ହାସଲ କଲେ l ୦୮ -୧ରେ ଭାରତ ଜିତି ତ୍ରିରଙ୍ଗା ଉଡ଼ାଇଲା lଜର୍ମାନୀ ହାରି ଯିବା ଏବଂ ଧ୍ୟାନଚାନ୍ଦଙ୍କ ଖେଳ ହିଟଲରଙ୍କୁ ବହୁତ ପ୍ରଭାବିତ କଲା l ପର ଦିନ ଧ୍ୟାନଚାନ୍ଦଙ୍କୁ ସେ ଜଳପାନ ପାଇଁ ଆମନ୍ତ୍ରଣ କଲେ ଏବଂ ତାଙ୍କୁ ପ୍ରସ୍ତାବ ଦେଲେ ଜର୍ମାନୀ ପକ୍ଷରୁ ଖେଳିବାକୁ l ସେ ଜର୍ମାନୀ ସେନାରେ ଜେନେରାଲ ଫିଲଡ଼ମାର୍ଶାଲ ପଦବୀ ଦେବାକୁ ମଧ୍ୟ ଲୋଭ ଦେଖାଇଲେ l କିନ୍ତୁ ଧ୍ୟାନଚାନ୍ଦ ରୋକ ଠୋକ ମନା କରିଦେଇ କହି ଥିଲେ ମୁଁ ମୋ ଦେଶ ବିକ୍ରି ହେବାକୁ ଦେବି ନାହିଁ l ତାଙ୍କ ରାଷ୍ଟ୍ରଭକ୍ତିର ପରିଚୟ ପାଇ ହିଟଲର ତାଙ୍କୁ ହକିର ଯାଦୁଗର ବୋଲି କହିଥିଲେ l
ପଞ୍ଜାବ ପ୍ରୋଭିନ୍ସ ସହିତ ଏକ ମ୍ୟାଚରେ ଜଣେ ଖେଳାଳୀ ପଞ୍ଜାବ ପକ୍ଷରୁ ଧ୍ୟାନ ଚାନ୍ଦଙ୍କ ମୁଣ୍ଡରେ ଷ୍ଟିକରେ ଆଘାତ କଲା l ଖେଳ ଚାଲିଥିବା ହେତୁ ସେ ତାକୁ କିଛି କହିଲେନାହିଁ l ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପୁଣି ପଡ଼ିଆକୁ ଓଲ୍ହାଇଲେ l ଦଶଟି ଗୋଲ କରି ମ୍ୟାଚ ଜିତିଲେ l ସେ ନିଜେ ଏଥିରେ ଆଠ ଗୋଲ କରିଥିଲେ l ଆଘାତ କରିଥିବା ଖେଳାଳିକୁ କହିଲେ ତୁମେ ଯଦି ମୋତେ ଆଘାତ ନକରିଥାନ୍ତ ତେବେ ମୁଁ ୨ ରୁ ୪ ଟି ଗୋଲ କରିଥାନ୍ତି l ମାତ୍ର ତୁମ ଆଘାତ ପାଇଁ ମୁଁ ୮ଟି ଗୋଲ କରି ପାରିଲି l
ଧ୍ୟାନଚାନ୍ଦ ଥିଲେ ସିଦ୍ଧହସ୍ତ ହକି ଯାଦୁକର l ସେ ଥରେ ଗୋଟିଏ ଖେଳରେ ବିପକ୍ଷ ଦଳକୁ ତିନିଟି ଗୋଲ ମାରିଲେ l ସବୁ ଗୋଲ ପୋଷ୍ଟ ବାହାରକୁ ଗଲା l ସେ ରେଫରୀଙ୍କୁ ଗୋଲ ପୋଷ୍ଟ ଛୋଟ ଥିବା ଅଭିଯୋଗ କଲେ l ଗୋଲ ପୋଷ୍ଟ ମପା ଗଲା l ସତକୁ ସତ ଏହା ଛୋଟ ଥିବାର ଦେଖା ଯାଇ ଥିଲା l ଏହା ଥିଲା ତାଙ୍କ ନିର୍ଭୁଲ ଜ୍ଞାନର ପରିଚାୟକ l ନିଜ ଜୀବନ କାଳ ମଧ୍ୟରେ ସେ ଏକ ହାଜରରୁ ଅଧିକ ଗୋଲ ସ୍କୋର କରିଛନ୍ତି, ଯାହା ଏକ ସର୍ବକାଳୀନ ବିଶ୍ୱ ରେକର୍ଡ l ଥରେ କ୍ରିକେଟ କିମ୍ବଦନ୍ତୀ ସାର ଡନ ବ୍ରାଡ଼ ମ୍ୟାନ୍ କହି ଥିଲେ,“ ଧ୍ୟାନଚାନ୍ଦ ଏଭଳି ଗୋଲ ମାରୁଛନ୍ତି, ଯେପରି ଆମେ କ୍ରିକେଟରେ ରନ ସଂଗ୍ରହ କରୁଁ l” ଧ୍ୟାନଚାନ୍ଦଙ୍କୁ ୫୦ଟି ଦେଶରୁ ୪୦୦ ଟି ପୁରସ୍କାର ପ୍ରାପ୍ତ ହୋଇଛି ଯାହା ଏକ ଚିର ବିରଳ କୀର୍ତ୍ତି l
ତାଙ୍କୁ ବିଶ୍ବରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ତଥା ଦେଶର ସମର୍ପିତ ଖେଳାଳୀ ଭାବେ ବହୁ ସମ୍ମାନ ମିଳିଛି l ତାଙ୍କୁ ବୃହତ ସମ୍ମାନ ପଦ୍ମବିଭୂଷଣ ଦ୍ୱାରା ସମ୍ମାନିତ କରାଯାଇଛି l ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ କର କମଳରେ ଏହା ତାଙ୍କୁ ପ୍ରଦାନ କରାଯାଇ ଥିଲା l
ଖେଳ ଥିଲା ତାଙ୍କର ଜୀବନ l୧୯୭୩ ମସିହାରେ ଧ୍ୟାନଚାନ୍ଦ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି ହୋଇ ଥାଆନ୍ତି lସେତେବେଳେ ଗୋଟିଏ ଖେଳର ଶେଷ ମ୍ୟାଚ ଚାଲୁଥାଏ l ମ୍ୟାଚ ଦେଖିବା ପାଇଁ ବ୍ୟଗ୍ର ଧ୍ୟାନଚାନ୍ଦ ଡାକ୍ତରଖାନା ଛାଡି ଆସି ଖେଳ ପଡ଼ିଆରେ ପହଞ୍ଚି ଗଲେ l ସେତେବେଳେ ତାଙ୍କ ଆଖିକୁ ଦେଖା ଯାଉ ନଥାଏ l ତାଙ୍କୁ ପଡ଼ିଆରେ ଦେଖି ଲୋକେ କହିଲେ, ” ଆପଣଙ୍କୁ ତ ଦେଖା ଯାଉ ନାହିଁ l ଆପଣ ଆସିଛନ୍ତି କାହିଁକି? ” ସେ ଜବାବ ଦେଇଥିଲେ,ଏହା ସତ୍ୟ ମୋତେ ଦେଖା ଯାଉ ନାହିଁ,କିନ୍ତୁ ଲୋକଙ୍କ ଶବ୍ଦରୁ ମୋତେ ଜଣା ପଡ଼ି ଯାଉଛି ଯେ ବଲ କେଉଁ ପଟକୁ ଯାଉଛି l
ଖେଳରୁ ଅବ୍ୟାହତି ନେଲା ପରେ ବହୁ ଦେଶ ତାଙ୍କୁ କୋଚ ଭାବେ ନେବାପାଇଁ ଆଗ୍ରହ ପ୍ରକାଶ କରିଥିଲେ l ମୋ ଦେଶ ପାଇଁ ଖେଳାଳୀ ପ୍ରସ୍ତୁତ କରିବି କହି, ସେ ଏ ସବୁକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ l ମେଜର ଧ୍ୟାନଚାନ୍ଦ ଜଣେ ଉତ୍ତମ ଖେଳାଳି ସହ ଥିଲେ ଜଣେ ପ୍ରଚଣ୍ଡ ଦେଶଭକ୍ତ l କ୍ରୀଡ଼ାରେ ସେ ଯେଉଁ ଖେଳୁଆଡ଼ ମନୋବୃତ୍ତିର ପରିଚୟ ଦେଇ ଯାଇଛନ୍ତି ତାହା ବିଶ୍ୱ କ୍ରୀଡ଼ା ଇତିହାସରେ ଚିର କାଳ ସ୍ଵର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିଥିବ l
🙏🙏🙏
ଅର୍ଜୁନୀ
———————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.