ଭୁବନେଶ୍ବର : ତାତି କରୁଛି ରେକର୍ଡ, ଅସହ୍ୟ ଗରମ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ପ୍ରଚଣ୍ଡ ଗୁଳୁଗୁଳି ଆକ୍ତାମାକ୍ତା କଲାଣି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି । ହିଟ୍ ଇଣ୍ଡେକ୍ସ ୪୪ ଡିଗ୍ରି ରହିଥିବାବେଳେ ଆର୍ଦ୍ରତା ୮୪ ପ୍ରତିଶତ ରହିଛି । ଯାହା ଗୁଳୁଗୁଳିକୁ ଆହୁରି ବଳ ଦେଉଛି । ଗତକାଲି ଏହି ସମୟରେ ତାପମାତ୍ରା ୨୯.୬ ଡିଗ୍ରି ରହିଥିଲା ।
ଗତ ୪ ଦିନ ମଧ୍ୟରେ ଶୁକ୍ରବାର ସକାଳେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ହିଟ୍ ଇଣ୍ଡେକ୍ସ ବି ସର୍ବାଧିକ ରହିଛି । ଯାହା ସାଧାରଣ ଜୀବନକୁ ସାଂଘାତିକ ଭାବେ ପ୍ରଭାବିତ କଲାଣି । ପାଣିପାଗ ବିଭାଗ ପକ୍ଷରୁ ଆଜି ୨୫ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସ୍ଥିତିକୁ ଦେଖି ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ସାରାରାଜ୍ୟକୁ ସତର୍କ କରିଛି ପାଣିପାଗ ବିଭାଗ । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।