କେନ୍ଦୁଝର : କେନ୍ଦୁଝର ‘କଙ୍କାଳ’ ଲଜ୍ଜା ପାଇଁ ବ୍ୟାଙ୍କ୍ ଦାୟୀ RDC ଖୋଲିଦେଲେ ବ୍ୟାଙ୍କ ବିଫଳତାର କଳାଚିତ୍ର ବାରମ୍ବାର ବ୍ୟାଙ୍କ ଦୌଡ଼ିଥିଲେ ଜିତୁ ମୁଣ୍ଡା ହେଲେ ନିୟମର ଦ୍ବାହି ଦେଇ ନିର୍ଦ୍ଦୟ ହୋଇପଡ଼ିଥିଲେ କର୍ମଚାରୀ ଡେଥ୍ ସାର୍ଟିଫିକେଟ ଦେବାରେ ବି ବଡ଼ ଅବହେଳା ।
ସାରା ଦେଶରେ ଆଲୋଡ଼ନ ଖେଳାଇ ଦେଖିଥିବା କେନ୍ଦୁଝର ପାଟଣା ଗଳିତ ମୃତଦେହ ବୁହା ଘଟଣାର ପ୍ରାଥମିକ ଅନୁସନ୍ଧାନ କରି ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର। ଜିତୁ ମୁଣ୍ଡାଙ୍କ ଘରକୁ ଯିବା ସହିତ ମେଡିକାଲ୍ ଓ ବ୍ୟାଙ୍କକୁ ଯାଇ ତନାଘନା ପରେ ସିଧା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ବ୍ୟାଙ୍କ୍ ସିସିଟିଭିକୁ ପ୍ରାୟ ଘଣ୍ଟାଏ ଘାଣ୍ଟିବା ପରେ କର୍ମଚାରୀଙ୍କ ଅବହେଳା ଜଳଜଳ ଦିଶିଛି।
ସେଦିନ ୧୧ଟା ୨୬ରେ ଆସି ବ୍ୟାଙ୍କରେ ୧୧ଟା ୫୮ରେ ପର୍ଯ୍ୟନ୍ତ ରହିଥିଲେ ଜିତୁ। ସେହି ୩୨ ମିନିଟରେ ୪ ଥର ଭେଟିଥିଲେ ବ୍ୟାଙ୍କ କର୍ମଚାରୀଙ୍କୁ। ଶେଷରେ ମ୍ୟାନେଜର ନିରାଶ କରି ଫେରାଇଦେବାରୁ କ୍ଷୁବ୍ଧ ହୋଇ କଙ୍କାଳ ଆଣିବାକୁ ବାଧ୍ୟ ହୋଇଥିଲେ।
ଅନ୍ୟପଟେ ଏତେସବୁ କାଣ୍ଡପରେ ବି ମୃତଦେହକୁ ପୋଲିସ ଗାଡ଼ି ନଦେବା ଓ ପୁଣିଥରେ ଭଉଣୀର ଗଳିତ ଶବକୁ ଭାଇ କାନ୍ଧେଇ କାନ୍ଧେଇ ଘରକୁ ଫେରିବା ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି ଆରଡିସି। .
ଖର୍ଚ୍ଚାନ୍ତ କଲା କିଏ ?
ଏତିକିରେ ସରିନି ଜିତୁଙ୍କ ପ୍ରତି ପ୍ରଶାସନିକ ଅବହେଳାର କାହାଣୀ। ଭଉଣୀର ମୃତ୍ୟୁ ପ୍ରମାଣପତ୍ର ମିଳିବାରେ ବି ବିଳମ୍ବ ହୋଇଥିବା ଜାଣିବାକୁ ପାଇଛନ୍ତି ଆରଡିସି। ଜିତୁଙ୍କ ଭଉଣୀ କଲରା ମୁଣ୍ଡାଙ୍କର ଜାନୁଆରୀରେ ମୃତ୍ୟୁ ହୋଇଥିବାବେଳେ ଫେବ୍ରୁଆରୀରେ ସାର୍ଟିଫିକେଟ୍ ପାଇଁ ପଞ୍ଜିକରଣ ହୋଇଛି। ଆବଶ୍ୟକ ନଥାଇ ବି ଦିଆଯାଇଛି ଆଫିଡେଭିଟ୍। ଏଥିପାଇଁ ତାଙ୍କୁ କିଏ ଖର୍ଚ୍ଚାନ୍ତ କଲା ? କାହିଁକି ସଠିକ ସମୟରେ ମୃତ୍ୟୁ ପ୍ରମାଣପତ୍ର ଦିଆଗଲାନି ତାର ବି ଖୋଳତାଡ଼ ଚାଲିଛି।
ଏପଟେ ଘଟଣାକୁ ନେଇ ତାତିଛି ବିଧାନସଭା। ସ୍ବତନ୍ତ୍ର ଅଧିବେଶନରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ନବୀନଙ୍କ ପ୍ରଶ୍ନ ଉଠାଇଥିବାବେଳେ, ଜବାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଉଥିବାବେଳେ କଣ କରୁଥିଲେ ନବୀନ ?
ସେପଟେ ଭାଇ ଜିତୁ ମୁଣ୍ଡାଙ୍କୁ ଛୁଟୁଛି ସମବେଦନାର ସୁଅ। ବିଭିନ୍ନ ସଂଗଠନ ତରଫରୁ ମିଳୁଛି ଆର୍ଥିକ ସହାୟତା। ଅଲଖ ପାଣ୍ଡେଙ୍କ ଦ୍ବାରା ପ୍ରତିଷ୍ଠିତ ଜଣାଶୁଣା କୋଚିଂ ସେଣ୍ଟର୍ ତରଫରୁ ଜିତୁଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।
ଆଜି ଜିତୁଙ୍କ ପାଖରେ ବ୍ୟାଙ୍କ ପହଞ୍ଚିଲା, ସାରା ଦୁନିଆରୁ ସମବେଦନା ବି ଆସିଲା । ହେଲେ ସେଦିନ କାହିଁକି ଘଟିଗଲା ଏଭଳି ଅଭାବନୀୟ କାଣ୍ଡ ? ପ୍ରାୟ ଅଧଘଣ୍ଟା ଧରି ରହିଥିଲେ ବି କାହିଁକି ବୁଝାଇପାରିଲେନି ବ୍ୟାଙ୍କ କର୍ମଚାରୀ ? ଜିତୁ କଙ୍କାଳ ବୋହୁଥିବାବେଳେ କେଉଁଠି ମରିଗଲା ମାନବିକତା ? ସମସ୍ତେ ଦେଖୁଥିଲେ କିନ୍ତୁ ଅଟକାଉନଥିଲେ କାହିଁକି ?
ମୃତଦେହ ଧରି ଫେରିବା ବେଳେ ଆମ୍ବୁଲାନ୍ସ କି ପୋଲିସ ଗାଡ଼ିଟିଏ ବ୍ୟବସ୍ଥା ହୋଇପାରିଲାନି କଣପାଇଁ ? ଉଭୟ ପୋଲିସ-ପ୍ରଶାସନ ଓ ମାନବିକତା ଉପରେ ଏହା ପ୍ରଶ୍ନ ଚିହ୍ନ ନୁହେଁ କି ?