ରାୟଗଡ଼ାରେ ଗଡ଼ିଲା ୫୨ ଲକ୍ଷ୍ମୀ ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ ଶୁଭାରମ୍ଭ କରିଛନ୍ତି। ‌ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ। ଲକ୍ଷ୍ମୀ ଯୋଜନା ଘରେଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ବସ୍‌ ପାଇଁ ମୋଟ ୨୯୮ଟି ଷ୍ଟପେଜ୍‌ କରାଯାଇଛି। ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବା ସହ ଲୋକଙ୍କ ଜୀବନରେ ଗତି ଓ ପ୍ରଗତି ଆଣିବ। ଗାଁକୁ ଗାଁ ସହ ଯୋଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାରେ ୯୦କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୨୬୦୦ରୁ ଅଧିକ ପ୍ରକଳ୍ପ କରାଯାଉଛି। ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ଡିଜିଟାଲ ଭିତ୍ତିଭୂମିର ଉନ୍ନତୀକରଣ କରାଯାଉଛି। ସମସ୍ତ ପଞ୍ଚାୟତରେ ରୂପାନ୍ତର ଆଣାଯାଇ ଆଗାମୀ ଦିନରେ ସାରା ଓଡ଼ିଶାର ରୂପାନ୍ତର କରାଯିବ।

ମାର୍ଗଶୀର ମାସରେ ଲକ୍ଷ୍ମୀ ଯୋଜନା ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରି ଘରେଘରେ ଲକ୍ଷ୍ମୀ ପହଞ୍ଚାଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଲକ୍ଷ୍ମୀ ବସ୍‌ ଯୋଗୁଁ ଚାଷୀ, ବ୍ୟବସାୟୀ ଓ ମା’ମାନେ ଉପକୃତ ହେବେ ବୋଲି କହିଛନ୍ତି। କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପରିଚାଳନା କରି ଲୋକଙ୍କ ମତକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦିଅନ୍ତି ବୋଲି କହିଥିଲେ। ରାୟଗଡ଼ା ଜିଲ୍ଲା ପରିଷଦ ସଭାପତି ସରସ୍ୱତୀ ମାଝୀ କହିଛନ୍ତି, ସେବା ଯୋଗୁଁ ଗରିବ, ଆଦିବାସୀ ଓ ମହିଳାମାନେ ଅଧିକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମ ପାଳିରେ ମା’ମାନଙ୍କୁ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଭେଟି ଦେଇଥିବା ରାୟଗଡ଼ା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ କହିଛନ୍ତି। ଏହି ଅବସରରେ, ରାୟଗଡା ବ୍ଲକର ହାଲୁଆଠାରେ ନୂତନ ବସ୍‌ ରହଣି କେନ୍ଦ୍ରକୁ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ବହୁ ରାଜନେତା ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

Comments are closed.