ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ କହିଲେ, କୌଣସି କାମ ମନବଳଠାରୁ ବଡ଼ ନୁହେଁ। ଯଦି ନିଜ ଭିତରେ ଦୃଢ଼ ମନବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ତେବେ ଯେ କୌଣସି କାମରେ ସଫଳତା ହାସଲ କରିହେବ ବୋଲି ରାଜ୍ୟପାଳ ମତବ୍ୟକ୍ତ କଲେ। ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ଦେଇ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେର୍‍ପା ଅମିତାଭ କାନ୍ତ କହିଲେ, ଏଠାରୁ ଆଜି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆହରଣ କରିଥିବା ଜ୍ଞାନକୁ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ଉଚିତ। ବିଶିଷ୍ଟ ଅତିଥି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରି ଗ୍ରହଣ କରି କହିଲେ ସମାଜର ଅବହେଳିତ, ଦଳିତ ଓ ନିଷ୍ପେସିତଙ୍କ ପାଇଁ ଛାତ୍ରମାନଙ୍କର ଗୁରୁଦାୟିତ୍ୱ ରହିଛି।

ସେମାନେ କିଭଳି ସବୁ କ୍ଷେତ୍ରରେ ସମାନ ଅଧିକାର ଓ ଆଇନଗତ ସୁରକ୍ଷା ପାଇ ପାରିବେ ସେଥିପାଇଁ ଛାତ୍ରମାନଙ୍କର କର୍ତ୍ତବ୍ୟ ରହିଛି। ଏଥିସହିତ ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଓ ସିଙ୍ଗାପୁର ମନିଟାରି ଅଥରିଟିର ମୁଖ୍ୟ ଫିନ୍‍ଟେକ୍‍ ଅଫିସର ତଥା ସିଙ୍ଗାପୁର ବୋର୍ଡ ଅଫ୍‍ ଇଲେଭାଣ୍ଡିର ଅଧ୍ୟକ୍ଷ ସ୍ବପ୍ନେନ୍ଦୁ ମହାନ୍ତି ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରି ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ରିକି କେଜ୍‍ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍‍ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ଦୀପକ କୁମାର ବେହେରା ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, କୁଳାଧିପତି ସ୍ୱର୍ଣ୍ଣପଦକ, କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସ୍ନାତକୋତ୍ତର, ଏମ୍‍ଫିଲ୍‍, ପିଏଚ୍‍ଡି ଡିଗ୍ରିରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.