ସ୍ମାର୍ଟ PDSରେ ରାସନ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବାରମ୍ବାର ଫିଙ୍ଗର ସ୍କାନ୍‌, ସର୍ଭର ସମସ୍ୟାରେ ଘଣ୍ଟା ଘଣ୍ଟା ଅପେକ୍ଷା; ହିତାଧିକାରୀ ହଇରାଣ ।

0

ଗଜପତି,29.8(ମନୋଜ ପାଢ଼ୀ)-: ଗରିବ ଓ ଆବଶ୍ୟକତା ଥିବା ପରିବାରଙ୍କୁ ସୁବିଧାରେ ରାସନ ସାମଗ୍ରୀ ଯୋଗାଇଦେବା ଲକ୍ଷ୍ୟରେ ସରକାର ପକ୍ଷରୁ ସ୍ମାର୍ଟ PDS ବ୍ୟବସ୍ଥା ଆରମ୍ଭ କରାଯାଇଛି। ତେବେ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ରାସନ ହିତାଧିକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବିଶେଷକରି ବାରମ୍ବାର ଫିଙ୍ଗର ସ୍କାନ୍‌ କରିବା ଏବଂ ସର୍ଭର ଠିକ୍‌ ଭାବେ କାମ ନକରିବା ଯୋଗୁଁ ରାସନ ନେବା ପାଇଁ ହିତାଧିକାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି।ପୂର୍ବରୁ ଜଣେ ହିତାଧିକାରୀ ଏକାଧିକ ମାସର ରାସନ ଚାଉଳ ଏକାଥରକେ ନେଲେ ମଧ୍ୟ ଗୋଟିଏ ଥର ଫିଙ୍ଗର ସ୍କାନ୍‌ କରାଯାଇ ଗୋଟିଏ ବିଲ୍‌ ବାହାରୁଥିଲା। ଫଳରେ ହିତାଧିକାରୀମାନେ ଅଳ୍ପ ସମୟ ମଧ୍ୟରେ ରାସନ ଚାଉଳ ନେଇ ନିଜ କାମକୁ ଫେରିପାରୁଥିଲେ।କିନ୍ତୁ ବର୍ତ୍ତମାନ ସ୍ମାର୍ଟ PDS ବ୍ୟବସ୍ଥାରେ ଏକାଧିକ ମାସର ରାସନ ଚାଉଳ ନେବା ସମୟରେ ପ୍ରତ୍ୟେକ ମାସ ପାଇଁ ଅଲଗା ଭାବେ ଫିଙ୍ଗର ସ୍କାନ୍‌ କରିବାକୁ ପଡୁଥିବା ହିତାଧିକାରୀମାନେ କହିଛନ୍ତି। ଏହା ସହିତ ପ୍ରତ୍ୟେକ ପ୍ରକ୍ରିୟା ସମୟରେ ସର୍ଭର ଉପରେ ନିର୍ଭର କରିବାକୁ ପଡୁଥିବାରୁ ସର୍ଭର ଧୀର ହେଲେ କିମ୍ବା କାମ ନକଲେ ସମଗ୍ର ବଣ୍ଟନ ପ୍ରକ୍ରିୟା ଅଟକି ଯାଉଛି।ଅନେକ ସ୍ଥାନରେ ରାସନ ଦୋକାନ ସମ୍ମୁଖରେ ହିତାଧିକାରୀଙ୍କ ଲମ୍ବା ଧାଡ଼ି ଲାଗୁଥିବା ଦେଖାଯାଉଛି। ସକାଳୁ ରାସନ ନେବା ପାଇଁ ଆସିଥିବା ଲୋକଙ୍କୁ ସର୍ଭର ଠିକ୍‌ ହେବା ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ବିଶେଷକରି ଦିନ ମଜୁରି କରି ପରିବାର ଚଳାଉଥିବା ଗରିବ ଲୋକମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି।ରାସନ ନେବା ପାଇଁ ଘଣ୍ଟା ଘଣ୍ଟା ସମୟ ଦେବା ଯୋଗୁଁ ସେମାନେ ସେହି ଦିନର କୁଳିମଜୁରୀ କାମକୁ ଯାଇପାରୁନାହାନ୍ତି। ଗୋଟିଏ ପଟେ ରାସନ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା, ଅନ୍ୟପଟେ ଦିନକର ରୋଜଗାର ହରାଇବା—ଏହା ଗରିବ ହିତାଧିକାରୀଙ୍କ ପାଇଁ ଦୁଇଗୁଣ ଅସୁବିଧା ସୃଷ୍ଟି କରୁଛି।

ହିତାଧିକାରୀମାନଙ୍କ କହିବା ଅନୁଯାୟୀ, ସ୍ମାର୍ଟ PDS ବ୍ୟବସ୍ଥାର ଉଦ୍ଦେଶ୍ୟ ଯଦିଓ ରାସନ ବଣ୍ଟନରେ ସ୍ୱଚ୍ଛତା ଓ ସୁବିଧା ଆଣିବା, ତେବେ ସର୍ଭର ସମସ୍ୟା ଏବଂ ବାରମ୍ବାର ଫିଙ୍ଗର ସ୍କାନ୍‌ ଯୋଗୁଁ ଏହା ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଦୂରଦୂରାନ୍ତରୁ ରାସନ ନେବା ପାଇଁ ଆସୁଥିବା ଲୋକେ ମଧ୍ୟ ଦୀର୍ଘ ସମୟ ଧରି ଦୋକାନ ସମ୍ମୁଖରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।ତେଣୁ ସ୍ମାର୍ଟ PDS ବ୍ୟବସ୍ଥାରେ ରହିଥିବା ବୈଷୟିକ ସମସ୍ୟାକୁ ତୁରନ୍ତ ଦୂର କରିବା ସହ ସର୍ଭରକୁ ଅଧିକ ସୁଦୃଢ଼ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏଥିସହ ଏକାଧିକ ମାସର ରାସନ ନେବା ସମୟରେ ଫିଙ୍ଗର ସ୍କାନ୍‌ ଓ ବିଲ୍‌ ପ୍ରକ୍ରିୟାକୁ ସରଳ କରାଯାଇ ଯେପରି ହିତାଧିକାରୀଙ୍କୁ ଅଯଥା ସମୟ ନଷ୍ଟ କରିବାକୁ ନପଡ଼େ, ସେଥିପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ସ୍ମାର୍ଟ PDS ଲୋକଙ୍କ ସୁବିଧା ପାଇଁ ହୋଇଥିବା ବେଳେ, ଏହା ଯେପରି ଗରିବ ହିତାଧିକାରୀଙ୍କ ପାଇଁ ଅସୁବିଧାର କାରଣ ନହୁଏ, ସେଥିପ୍ରତି ସରକାର ଓ ସମ୍ପୃକ୍ତ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ।

Leave A Reply

Your email address will not be published.