କୋଣ୍ଡାବାବୁଙ୍କ ବିୟୋଗରେ ଭାବବିହ୍ୱଳ ଏନ୍. ଭାସ୍କର ରାଓ

0

ରାୟଗଡ଼ା(ଭି ଗୌରୀ ଶଙ୍କର ): ରାୟଗଡ଼ା ରାଜନୀତିରେ ବରିଷ୍ଠ ବିଜେପି ନେତା ତଥା ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ଯିଏ କୋଣ୍ଡାବାବୁ ନାମରେ ପରିଚିତ ଥିଲେ, ତାଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି। କୋଣ୍ଡାବାବୁଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଏନ୍. ଭାସ୍କର ରାଓ। ଦୀର୍ଘ ଚାରି ଦଶନ୍ଧି ଧରି କୋଣ୍ଡାବାବୁଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଥିଲା। ତେଣୁ ତାଙ୍କ ଭଳି ଜଣେ ଘନିଷ୍ଠ ବନ୍ଧୁ ଆଉ ନାହାନ୍ତି ବୋଲି ଖବରକୁ ଗ୍ରହଣ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ବୋଲି ଗଣମାଧ୍ୟମକୁ କହିଛନ୍ତି ଭାସ୍କର ରାଓ। ଶନିବାର ଏନ୍. ଭାସ୍କର ରାଓ ତାଙ୍କ ଦଳୀୟ କର୍ମୀମାନଙ୍କ ସହ କୋଣ୍ଡାବାବୁଙ୍କ ବାସଭବନରେ ପହଞ୍ଚିଥିଲେ।

ସେଠାରେ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ବିଶେଷକରି କୋଣ୍ଡାବାବୁଙ୍କ ଧର୍ମପତ୍ନୀଙ୍କୁ ସମବେଦନା ଜଣାଇଥିଲେ।ଏହି ଅବସରରେ ପରିବାରବର୍ଗଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ ପରିବାରକୁ ସମସ୍ତ ପ୍ରକାରର ସହଯୋଗ ଓ ସାହାଯ୍ୟ ଯୋଗାଇଦେବାକୁ ଭାସ୍କର ରାଓ ଆଶ୍ୱାସନ ଦେଇଛନ୍ତି। କୋଣ୍ଡାବାବୁଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ତାଙ୍କ ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାଜନୈତିକ ସହଯୋଗୀ, ସମର୍ଥକ ଓ ଅନୁଗାମୀଙ୍କ ପାଇଁ ମଧ୍ୟ ଏକ ବଡ଼ କ୍ଷତି ବୋଲି ମତ ପ୍ରକାଶ ପାଇଛି।
ଏହି ସମୟରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ସ୍ୱର୍ଗତ କୋଣ୍ଡାବାବୁଙ୍କୁ ସ୍ମରଣ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।

Leave A Reply

Your email address will not be published.