ରାଷ୍ଟ୍ର ଚିନ୍ତକ ପିତାମହ ଭୀଷ୍ମ

ଅର୍ଜୁନୀ ଚରଣ ବେହେରା

ରାଷ୍ଟ୍ର ଚିନ୍ତକ ପିତାମହ ଭୀଷ୍ମ
================
ଦଶମ ଦିନ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଅର୍ଜୁନଙ୍କ ବାଣରେ ଧରାଶାୟୀହେଲେ l ଇଛାମୃତ୍ୟୁ ବର ପ୍ରାପ୍ତ, ପିତାମହ, ଭୋଗବତୀ ନଦୀ ତୀରରେ ଅର୍ଜୁନଙ୍କ ପ୍ରସ୍ତୁତ ଶର ଶଯ୍ୟା ଉପରେ ଶୋଇ ପ୍ରାଣ ତ୍ୟାଗ ପାଇଁ ସୂର୍ଯ୍ୟଙ୍କ ଉତ୍ତରାୟଣକୁ ଅପେକ୍ଷା କରି ରହିଥାନ୍ତି l ତାଙ୍କ ଚତୁର୍ଦ୍ଦିଗରେ ପଡ଼ି ରହିଥାନ୍ତି କୁଢ଼ କୁଢ଼ ମୃତ ଯୋଦ୍ଧା ମାନଙ୍କ ଶବ l
କୁରୁକ୍ଷେତ୍ରର ବିଭୀଷିକାମୟ ଖବର ପାଇ, ଉଭୟ କୁନ୍ତୀ ଓ ଗାନ୍ଧାରୀ ଶୋକରେ ଅତି ଆତୁର ହୋଇ ପଡ଼ିଲେ l ସେମାନେ ଶାନ୍ତି ପାଇବା ପାଇଁ ଭୀଷ୍ମଙ୍କ ଶର ଶଯ୍ୟା ନିକଟକୁ ଗଲେ l ଯିବା ବାଟରେ କୁଢ଼ କୁଢ଼ ଶବ ପଡ଼ିଥିବାର ଦେଖି ଗାନ୍ଧାରୀ କାନ୍ଦି କାନ୍ଦି କୁନ୍ତୀଙ୍କୁ କହିଲେ, ଏହାସବୁ ମୋ ପୁତ୍ର ଦୂର୍ଯ୍ୟୋଧନ ପାଇଁ ହେଲା l କୁନ୍ତୀ ତାଙ୍କୁ ସାନ୍ତ୍ଵନା ଦେଇ, ଧୈର୍ଯ୍ୟ ଧର ଭଉଣୀ ! କହି ଦୁହେଁ ଯାଇ ପିତାମହ ଭୀଷ୍ମଙ୍କ ଶରଶଯ୍ୟା ନିକଟରେ ପହଁଚିଲେ l
ନିଶାର୍ଦ୍ଧ, ସେମାନେ ପିତାମହଙ୍କ ପାଦ ଛୁଇଁ ପ୍ରଣାମ କଲେ l ଯନ୍ତ୍ରଣା ଜର୍ଜରିତ ପିତାମହ ଚକ୍ଷୁ ଉନ୍ମିଳିତ କରି, କମ୍ପିତ କଣ୍ଠରେ ସେମାନଙ୍କୁ କଲ୍ୟାଣ ପ୍ରଦାନ ପୂର୍ବକ ଏତେରାତିରେ ଆସିବାକାରଣ ପଚାରିଲେ l କୁନ୍ତୀ କହିଲେ, ଅସଂଖ୍ୟ ଯୋଦ୍ଧାଙ୍କର ମୃତ୍ୟୁ ତଥା ଆପଣଙ୍କ ଏ ପୀଡ଼ା କଥା ମନେପଡ଼ି ଆମ ମାନଙ୍କ ମନ କିପରି ଅଶାନ୍ତ ହୋଇ ଉଠିଛି l ଶାନ୍ତି ଟିକିଏ ପାଇବା ପାଇଁ ଆମେ ଆପଣଙ୍କ ବିକଟକୁ ଆସିଛୁ l ଭୀଷ୍ମ କହିଲେ,ହେ ପୁତ୍ରୀ ! ମୋର ଭାଗ୍ୟହିଁ ମୋର କର୍ମ l ମୁଁ ପ୍ରତିଜ୍ଞା କରିଛି, ହସ୍ତିନାର ସୁରକ୍ଷାନିମନ୍ତେ ଏ ଯୁଦ୍ଧ ଶେଷ ନ ହେଲା ଯାଏ ମୁଁ ଏହିଠାରେ ପଡ଼ି ରହି, ଏମିତି ଯନ୍ତ୍ରଣା ଭୋଗୁଥିବି l ମୁଁ ଅତୀତ ପାଇଁ ଲଜ୍ଜିତ ଓ ଭବିଷ୍ୟତପାଇଁ ଚିନ୍ତିତ l ମୁଁ ଯେ ପର୍ଯ୍ୟନ୍ତ ହସ୍ତିନା ସୁରକ୍ଷିତ ବୋଲି ଦେଖି ନାହିଁ, ସେ ପର୍ଯ୍ୟନ୍ତ ପ୍ରାଣ ତ୍ୟାଗ କରିବି ନାହିଁ l
ଏହି ସମୟରେ ଗାନ୍ଧାରୀ କହିଲେ, ତାତଶ୍ରୀ ଏସବୁ ପାଇଁ ସେହି ବାସୁଦେବ ଶ୍ରୀକୃଷ୍ଣହିଁ ଦାୟୀ l ଶ୍ରୀକୃଷ୍ଣ ଚାହିଁଥିଲେ ଆଜି ଏପରି ପରିସ୍ଥିତି ହୋଇ ନଥାନ୍ତା l ଭୀଷ୍ମ କହିଲେ, ପୁତ୍ରୀ ! ତୁମେମାନେ କେବଳ ନିଜ ପୁତ୍ର ମାନଙ୍କ ପାଇଁ ଚିନ୍ତିତ l କିନ୍ତୁ, ବାସୁଦେବ କୃଷ୍ଣ କେବଳ ହସ୍ତିନା ପାଇଁ ସୀମିତ ନୁହଁନ୍ତି l ସିଏ ସତ୍ୟ ଧର୍ମ ଓ ନ୍ୟାୟର ରକ୍ଷାକାରୀ l ଏ ସମସ୍ତ ଜଗତର ସିଏ ହର୍ତ୍ତାକର୍ତ୍ତା l ସେ କେବଳ ଜାଣନ୍ତି, ଏ ଯୁଦ୍ଧର ପରିଣତି l ମୁଁ ଜାଣେନା, ବିଜୟଶ୍ରୀ କାହା ପକ୍ଷରେ ରହିବ କିନ୍ତୁ ତୁମେମାନେ ଥରେ ହସ୍ତିନା କଥା ଭାବି ଦେଖ, ତୁମ ମନରୁ ସମସ୍ତ ଦୁଃଖ ଓ ଅନୁଶୋଚନା ଦୂର ହୋଇଯିବ l
ଗାନ୍ଧାରୀ କହିଲେ,ମୁଁ ଚାହିଁଥିଲେ ଦୁର୍ଯ୍ୟୋଧନକୁ ଓ କୁନ୍ତୀ ଯୁଧିଷ୍ଠିରଙ୍କୁ ବିଜୟର ଆଶୀର୍ବାଦ ଦେଇପାରି ଥାଆନ୍ତୁ l କିନ୍ତୁ ଆମେ ତାହା କରି ନାହୁଁ l ଆପଣଙ୍କ ଯନ୍ତ୍ରଣାପରି ଆମ ଯନ୍ତ୍ରଣା ମଧ୍ୟ ଦିନକୁ ଦିନ ଅସହ୍ୟ ହୋଇଚାଲିଛି l ଭୀଷ୍ମ କହିଲେ, ତୁମେ ଦୁର୍ଯ୍ୟୋଧନ କିମ୍ୱା ଅର୍ଜୁନଙ୍କ ଚିନ୍ତାଛାଡ଼, ତୁମକୁ ଏ ଯୁଦ୍ଧର ଅନ୍ତଃ ଯାଏ ପ୍ରତୀକ୍ଷା କରିବାକୁ ହେବ l ପୁତ୍ରମାନଙ୍କ ଚିନ୍ତା ଛାଡ଼ି ତୁମେମାନେ କେବଳ ହସ୍ତିନାକଥା ଚିନ୍ତାକର l ତୁମେମାନେ ଶାନ୍ତି ପାଇବ l ମୋ ପାଇଁ ରାଷ୍ଟ୍ର ବଡ଼ l ଶର ଶଯ୍ୟାରେ ପଡ଼ି ରହି ହସ୍ତିନା ଚିନ୍ତାରେ ମୁଁ ସବୁ କଷ୍ଟ, ଯନ୍ତ୍ରଣା ଭୁଲି ଯାଇଛି l ତୁମେ ମାନେ ତାହାହିଁ କର l ଯାଅ ପୁତ୍ରୀ, ହସ୍ତିନା ଫେରିଯାଅ l ମୁଁ ଏଇଠି ଏହି ଶର ଶଯ୍ୟାରେ ପଡ଼ି ରହିଲି l ନତ ମସ୍ତକରେ ଫେରି ଆସିଲେ, ଗାନ୍ଧାରୀ ଓ କୁନ୍ତୀ l ଏପରି ରାଷ୍ଟ୍ର ଚିନ୍ତକ ଥିଲେ ମହାଭାରତରେ ଭୀଷଣ ପ୍ରତିଜ୍ଞାଧର ମହାଯୋଦ୍ଧା ପରମଜ୍ଞାନୀ ଭୀଷ୍ମ l
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.