ରାମଭକ୍ତ ଶୂରସେନଙ୍କ କଥା
================
ଦିନେ ସ୍ବର୍ଗରେ ଦେବତା ମାନଙ୍କ ସଭା ବସିଥାଏ l
ସେଠାରେ କଥା ପଡ଼ିଲା, ଭକ୍ତ ବଡ଼ ନା ଭଗବାନ ବଡ଼ l ବିଭିନ୍ନ ତର୍କ ବିତର୍କ ହୋଇ, ଶେଷରେ କଥା ପହଁଚିଲା ଦେବର୍ଷି ନାରଦଙ୍କ ନିକଟରେ l ସମସ୍ତେ ତାଙ୍କୁ ପଚାରିବାରୁ ସେ କହିଲେ ମୁଁ ପରୀକ୍ଷା ନକରି କୌଣସି କଥା କହେନାହିଁ, ଆପଣମାନେ ଅପେକ୍ଷା କରନ୍ତୁ, ମୁଁ ଯଥାକାଳେ ଏହାର ଉତ୍ତର ଦେବି l
ସେହି ସମୟରେ ଅଯୋଧ୍ୟାରେ ରାମଙ୍କ ଅଭିଷେକ ଉତ୍ସବ ଚାଲିଥାଏ l ବିଭିନ୍ନ ଅଞ୍ଚଳରୁ ରାଜା ମାନେ ଉପହାର ଧରି ଆସୁଥାନ୍ତି l କାଶୀରାଜା ଶୂରସେନ ଯିଏ କି ପ୍ରଭୁ ଶ୍ରୀରାମଙ୍କ ଜଣେ ବଡ଼ଭକ୍ତ ସେ ମଧ୍ୟ ଆସି ଅଯୋଧ୍ୟାରେ ପହଞ୍ଚିଯାଇଥାନ୍ତି l ସରଯୁନଦୀ କୂଳରେ ତାଙ୍କ ସାକ୍ଷାତ ହେଲା, ନାରଦଙ୍କ ସହିତ l ପ୍ରଣାମ କରି ସେ ନାରଦଙ୍କୁ ଶ୍ରୀରାମଙ୍କ ଦର୍ଶନରେ ଆସିଛନ୍ତି ବୋଲି କହିବାରୁ ନାରଦ ତାଙ୍କୁ କହିଲେ, ହେ ରାଜା ! ତୁମେ ଯାଅ, ଠିକ୍ ଅଛି l କିନ୍ତୁ ମୋର ଗୋଟିଏ କଥା ମନେ ରଖିଥିବ l ତୁମେ ସେଠାରେ ସବୁ ଋଷିଙ୍କ ପ୍ରଣାମକରିବ,କିନ୍ତୁ ଋଷି ବିଶ୍ୱାମିତ୍ରଙ୍କୁ କରିବ ନାହିଁ l ତୁମର ମଙ୍ଗଳ ହେବ l
ରାଜା ଶୁରସେନ ତାହାହିଁ କଲେ ଓ ସଭାରେ ଭେଟି ଦେଇ ଫେରି ଆସିଲେ l ରାଜାଙ୍କ ଏପରି ଆଚରଣ ଦେଖି ମହର୍ଷି ବିଶ୍ୱାମିତ୍ର ନିଜକୁ ଅପମାନିତ ବୋଧ କରି ଖୁବ୍ ରାଗିଯାଇ କହିଲେ, ହେ ରାମ,ମୁଁ ତୁମର ଗୁରୁ l ତୁମରି ଆଗରେ ହୀନ କାଶୀରାଜ ଶୁରସେନ ମୋତେ ଏପରି ଅପମାନ ଦେଇଗଲା l
ଶ୍ରୀରାମ ଗୁରୁଙ୍କ ଅପମାନ କଥା ଶୁଣି ଖୁବ୍ କ୍ରୋଧିତ ହୋଇ ନିଜ ତୁଣୀରରୁ ଏକ ବ୍ରହ୍ମଶର ବାହାର କରି କହିଲେ, ସେ ମୁଢ଼ କାଶୀରାଜକୁ ତ୍ରିଭୁବନରେ ଆଉ କେହି ବଞ୍ଚାଇ ପାରିବେ ନାହିଁ l କାଲି ସନ୍ଧ୍ୟା ଆଗରୁ ମୁଁ ତା ମୁଣ୍ଡ ଆଣି ଗୁରୁଙ୍କ ପାଦତଳେ ପକାଇବି l
ରାମଙ୍କ ଶପଥ କଥା ଜାଣି ରାଜା ଶୁରସେନ ସରଯୁ କୂଳରେ ବସି କାନ୍ଦିବାକୁ ଲାଗିଲେ l ଏହି ସମୟରେ ସେଠାରେ ଆସି ପହଞ୍ଚିଲେ ଦେବର୍ଷି ନାରଦ l ତାଙ୍କୁ ଦେଖି ରାଜା ତାଙ୍କ ପାଦ ତଳେ ପଡ଼ିଯାଇ କହିଲେ, ହେ ମୁନି ! ଆପଣଙ୍କ କଥାମାନି ଏବେ ମୋର ପ୍ରାଣ ସଙ୍କଟରେ l ରାମଙ୍କ ବାଣରୁ ମୋତେ ରକ୍ଷା କରନ୍ତୁ l ନାରଦ କହିଲେ ଠିକ୍ ଅଛି l ତୁମେ ମୋ ସହ ଚାଲ ଗୋଟିଏ ଯାଗାକୁ ଯିବା l
ନାରଦ ରାଜା ଶୁରସେନଙ୍କୁ ଘେନି ଗୋଟିଏ ପର୍ବତ ଉପରେ ପହଁଚିଲେ l ସେଠାରେ ଜଣେ ସ୍ତ୍ରୀ ଲୋକ ଫୁଲ ତୋଳୁଥିଲେ l ତାଙ୍କୁ ଦେଖାଇ ଦେଇ ଦେବର୍ଷି କହିଲେ, ତୁମେ ରକ୍ଷା ପାଇବା ପାଇଁ, ଏହି ମାଆଙ୍କ ଶରଣ ଯାଅ l ଦେବର୍ଷିଙ୍କ କଥା ମାନି, ରାଜା ଯାଇ ତାଙ୍କ ପାଦତଳେ ପଡ଼ି ଯାଇ କହିଲେ, ମାଆ ମତେ ରକ୍ଷା କର l ସେହି ମାଆ ଆଉକେହି ନଥିଲେ l ସେ ଥିଲେ ମାତା ଅଞ୍ଜନା l ସେ ତାଙ୍କୁ ତଳୁ ଉଠାଇ ଧରି କହିଲେ, ମୁଁ କଥା ଦେଉଛି, ମୁଁ ତୁମକୁ ନିଶ୍ଚୟ ରକ୍ଷା କରିବି l ଏଥର କୁହ, ତୁମ ଭୟର କାରଣ କଣ ? କାଶୀରାଜ ସବୁକଥା କହିବାରୁ ମାଆ ଅଞ୍ଜନା ବଡ଼ ଚିନ୍ତାରେ ପଡ଼ିଲେ l ତାଙ୍କ ମନକୁ ପ୍ରଶ୍ନ ଆସିଲା, ମୁଁ ମୋ ପ୍ରଭୁଙ୍କ ଶତ୍ରୁକୁ ରକ୍ଷା କରିବି କିପରି ? ଉପାୟ ନଦେଖି ସେ ପୁତ୍ର ହନୁମାନଙ୍କୁ ସ୍ମରଣ କଲେ l
ହନୁମାନ ଅଯୋଧ୍ୟାରେ ଥିଲେ l ତାଙ୍କର ମାଆଙ୍କ କଥା ମନେ ପଡ଼ିବାରୁ ସେ ପ୍ରଭୁଙ୍କୁ କହିଲେ, ପ୍ରଭୁ ! ବହୁ ଦିନରୁ ମାଆଙ୍କୁ ଦେଖିନାହିଁ l ଆଜି କାହିଁକି ସେ ବହୁତ ମନେ ପଡ଼ୁଛନ୍ତି l ଆପଣ ସେବକକୁ ଟିକିଏ ଅନୁମତି ଦିଅନ୍ତେ,ମୁଁ ଯାଇ ମାଆଙ୍କୁ ଦେଖିଆସନ୍ତି l ରାମ କହିଲେ, ହଉ ଯାଅ l ମାଆଙ୍କୁ ମୋର ସଭକ୍ତି ପ୍ରଣାମ ଜଣାଇ ଦେବ l
ହନୁମାନ ସଙ୍ଗେସଙ୍ଗେ ଉଡ଼ିଯାଇ ମାଆ ଅଞ୍ଜନାଙ୍କ ନିକଟରେ ପହଞ୍ଚି ଗଲେ l ମାଆ ମୁହଁ ଶୁଖାଇ ବସି ଥିବା ଦେଖି ହନୁମାନ ପଚାରିବାରୁ ମାଆ ସବୁକଥା କହି କହିଲେ ଏହି ଲୋକଟି ମୋର ଶରଣ ପଶିଛି l ତାକୁ କିପରି ରକ୍ଷାକରିବି କିଛି ଉପାୟ ପାଉନାହିଁ l ସେ ତୋତେ ଲାଗିଲେ l
ରାମଭକ୍ତ ହନୁମାନ ମଧ୍ୟ ବଡ଼ଚିନ୍ତାରେ ପଡ଼ିଗଲେ l ହଉ ଦେଖିବା କହି, ସେ ରାଜାଙ୍କୁ କହିଲେ, ତୁମେ ଯାଇ ସରଯୁ ଜଳରେ ଅଖଣ୍ଡ ରାମନାମ ଜପକର l କାଶୀରାଜ ତାହାହିଁ କଲେ, ହନୁମାନ ଫେରିଗଲେ ଅଯୋଧ୍ୟା l ଶ୍ରୀରାମ ତାଙ୍କୁ ଦେଖି କହିଲେ, ତୁମେ ବହୁତ ଡେରି କରି ଦେଲ ଯେ l ସମସ୍ତେ ଉପହାର ନେଇ ସାରିଲେଣି, ତୁମେ କଅଣ ନେବ କୁହ l ହନୁ କହିଲେ,ପ୍ରଭୁ, ଏ ସେବକର କିଛି ଦରକାର ନାହିଁ l ଆପଣଙ୍କ ସେବାରେହିଁ ମୋର ତୃପ୍ତି l କିନ୍ତୁ ଗୋଟିଏ ବର ମାଗୁଛି, ଏ ସଂସାରରେ ଯିଏ ରାମ ନାମ ଜପ କରୁଥିବ ମୁଁ ତାକୁ ସବୁବେଳେ ସହା୍ୟ ହୋଇ ରହି ଥିବି l ଶ୍ରୀରାମ କହିଲେ ‘ତଥାସ୍ତୁ’ l ହନୁମାନ ଏହା ପରେ ସରଯୁ ତଟକୁ ଫେରି ଗଲେ ଏବଂ ଗଦାଧରି କାଶୀରାଜଙ୍କୁ ଜଗି ରହିଲେ l
ସକାଳ ହେଲା l ରାମ ନିଜର ପ୍ରତିଜ୍ଞା ମନେପକାଇ କାଶୀରାଜଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଶର ଛାଡ଼ିଦେଲେ l କିନ୍ତୁ ରାମଙ୍କୁ ଆଶ୍ଚର୍ଯ୍ୟ କରି, ବ୍ରହ୍ମ ଶର କିଛି ସମୟ ପରେ ଫେରି ଆସିଲା l ବ୍ରହ୍ମ ଶର ଫେରି ଆସିଲା ! କିଏ ସେହି ଶକ୍ତିମାନ ଏ ଅମୋଘ ଅସ୍ତ୍ରକୁ ଫେରାଇ ଦେଲା ! ଏହା ଜାଣିବାପାଇଁ ରାମ ଋଷିମାନଙ୍କ ସହ ଯାଇ ସରଯୁକୁଳରେ ପହଞ୍ଚି ଦେଖନ୍ତିତ କାଶୀରାଜ ଅଖଣ୍ଡ ରାମନାମ ଜପ କରୁଛନ୍ତି ଆଉ ଗଦାହସ୍ତରେ ହନୁମାନ ତାଙ୍କ ସୁରକ୍ଷା କରୁଛନ୍ତି l
ରାମଙ୍କର ଆଉ କଥା ବୁଝିବାକୁ ବାକି ରହିଲାନାହିଁ l କିନ୍ତୁ ଏକପଟେ ହନୁମାନଙ୍କୁ ବର, ପୁଣି ଅନ୍ୟପଟେ ଗୁରୁଙ୍କୁ ପ୍ରତିଜ୍ଞା, ଏହି କଥାକୁ ଚିନ୍ତାକରି ସେ ଘୋର ଦ୍ଵନ୍ଦ୍ୱରେ ପଡ଼ିଲେ l କଅଣ କରିବେ କିଛି ଚିନ୍ତା କରି ପାରିଲେ ନାହିଁ l ଏହି ସମୟରେ ନାରଦ ସେଠାରେ ଆସି ପହଁଚିଲେ l ସେ କାଶୀରାଜଙ୍କୁ ନେଇ ମହର୍ଷି ବିଶ୍ୱାମିତ୍ରଙ୍କ ପାଦ ତଳେ ପକାଇ ଦେଇ ଶ୍ରୀରାମଙ୍କୁ କହିଲେ, ଆପଣଙ୍କ ପ୍ରତିଜ୍ଞା ପୂରଣହେଲା ତ !
ରାମ ଓ ବିଶ୍ୱାମିତ୍ର ଖୁସି ହୋଇ କହିଲେ, ଦେବର୍ଷି ! ଏତେ ସବୁ ଲୀଳା କେଉଁଥିପାଇଁ ହେଲା l ହସି ହସି ନାରଦ ଦେବସଭାର ପ୍ରଶ୍ନ କଥା କହି କହିଲେ, ମୁଁ ଦେବତାଙ୍କ ସେହି ପ୍ରଶ୍ନର ଉତ୍ତର ପାଇଁ ସବୁ ଖେଳ ଲଗାଇଥିଲି l ସେମାନେ ମଧ୍ୟ ଏ ଲୀଳା ଦେଖିଲେ l ଭଗବାନ୍ ଯେ ନିଜ ଆସନଠାରୁ ଭକ୍ତ ମାନଙ୍କୁ ଉଚ୍ଚ ଆସନରେ ବସାଇ ଥାନ୍ତି ଏକଥା ସେମାନଂକୁ ଆଉ ଅବିଦିତ ନ ଥିବ l ଏତକ କହି ଦେବର୍ଷି ହରିଧ୍ୱନୀ କରି ବ୍ରହ୍ମଲୋକ ପ୍ରସ୍ଥାନ କଲେ l
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
Sign in
Sign in
Recover your password.
A password will be e-mailed to you.
Prev Post
Next Post
Comments are closed.