ଚାଲ ବୁଲିଯିବା ଅଯୋଧ୍ୟାପୁରୀ

ଅର୍ଜୁନୀ ଚରଣ ବେହେରା

ଚାଲ ବୁଲିଯିବା ଅଯୋଧ୍ୟାପୁରୀ
===============
ଶୁଆ ବୋଲେ ଆଲୋ ଶାରୀ
ଚାଲ ବୁଲିଯିବା ଅଯୋଧ୍ୟାପୁରୀ ଲୋ
ରାମ ଆସୁଛନ୍ତି ଫେରି ll
ପିତୃସତ୍ୟ ପାଳି ଦିନେ,
ବନଚାରୀ ହେଲେ ଦଣ୍ଡକବନେ ଲୋ
କାଳକାଟି ଦିନେ ଦିନେ ll
ସଙ୍ଗେ ଥିଲେ ତାଙ୍କ ନାରୀ
ଜନକ ନନ୍ଦିନୀ ସୀତା ସୁନ୍ଦରୀ ଲୋ
ଲଇକ୍ଷଣ ସେବାକାରୀ ll
ଭରତ ହୋଇଲେ ରାଜା,
ଚୋଉଦବରଷ ପାଳିଲେ ପ୍ରଜା ଲୋ
ପାଦୁକାକୁ କରି ପୂଜା ll
ପଞ୍ଚବଟି ପର୍ଣ୍ଣକୁଟି,
ସୀତା ହରିନେଲା ଅପୁର୍ବ ଯତି ଲୋ
ଦଶାନନ ଲଙ୍କା ପତି ll
ଜଟାୟୁ ଦେଖି ପ୍ରତ୍ୟେକ୍ଷ
ରାବଣକୁ ମାରି ଚଞ୍ଚୁ ଓ ନଖ ଲୋ
ହରାଇଲା ବେନି ପକ୍ଷ ll
ଖୋଜି ଖୋଜି ବନ ଘୋର,
ରାମ ନପାଇଲେ ସୀତା ଖବର ଲୋ
ବାର୍ତ୍ତା ଦେଲା ପକ୍ଷୀବର ll
ସୁଗ୍ରୀବଙ୍କ ସଙ୍ଗେ ରାମ,
ବାଳୀ ମାରି କଲେ ମୈତ୍ରୀବନ୍ଧନ ଲୋ
ଭେଟ ହେଲେ ହନୁମାନ ll
ହନୁମାନ ନେଲେ ଠିକା,
ସୀତା ଠାବକଲେ ପଶିଲେ ଏକା ଲୋ
ଜାଳିଦେଲେ ସ୍ୱର୍ଣ୍ଣଲଙ୍କା ll
ଜାନକୀ ଉଦ୍ଧାର ହେତୁ,
ରାମବଳ ଶିଳା ଆଣି ପର୍ବତୁ ଲୋ
ସାଗରେ ବାନ୍ଧିଲେ ସେତୁ ll
ରାବଣ କାଳ ପୁରିଲା,
ଲଙ୍କାଗଡ଼େ ଘୋର ଯୁଦ୍ଧ ଲାଗିଲା ଲୋ
ରାବଣ ଶେଷେ ମରିଲା ll
ଭାଇ ତାର ବିଭୀଷଣ
ଶ୍ରୀରାମଙ୍କ ପଦେ ନେଲା ଶରଣ ଲୋ
ଲଙ୍କେ ହୋଇଲା ରାଜନ ll
ଆଜ ସେହି ଶୁଭ ଦିନ,
ଚଢ଼ି ରାବଣର ପୁଷ୍ପକ ଯାନ ଲୋ
ଫେରୁଛନ୍ତି ରଘୁରାଣ ll
ସଙ୍ଗେ ଛନ୍ତି ତାଙ୍କ ସୀତା,
ଭାଇ ଶ୍ରୀଲକ୍ଷ୍ମଣ ସୁମିତ୍ରା ପୂତା ଲୋ
ନିଦ୍ରା ଆହାର ବିଜେତା ll
ଚାଲ ଚାଲ ବାରିଜାକ୍ଷୀ,
ରାମଙ୍କୁ ଆସିବା ଟିକିଏ ଦେଖି ଲୋ
ପବିତ୍ର କରିବା ଆଖି ll
ଧନ୍ୟ ବାଲମିକି ମୁନି,
ରାମାୟଣ ଲେଖି ହୋଇଲେ ଧନୀ ଲୋ
ଯଶ ଗାଉଛି ମେଦିନୀ ll
ଧନ୍ୟ ସତ୍ୟସନ୍ଧ ରାମ
ପାରି କରିଦେବ ପକ୍ଷୀ ଜନମ ହେ
ଗାଉଥିବୁ ତବ ନାମ ll
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.