ପୁଷ୍ୟାଭିଷେକ

ଅର୍ଜୁନୀ ଚରଣ ବେହେରା

ପୁଷ୍ୟାଭିଷେକ
==========
ଅଯୋଧ୍ୟା ନବରେ ଅତି ଉଲ୍ଲାସରେ
ବାଜଇ ମଙ୍ଗଳେ ବାଜା l
ମଙ୍ଗଳ ମହୁରି ବାଜେ ନାଗେଶ୍ୱରୀ
ରାମଚନ୍ଦ୍ର ହେବେ ରାଜା ll
ପୋଉଷ ପୂର୍ଣ୍ଣିମା ଉଦୟ ଚନ୍ଦ୍ରମା
ଶୁଭ ବେଳା ସ୍ଥିର କରି l
ସର୍ବ ମୁନି ଋଷି ଉଭା ହେଲେ ଆସି
ଜୟ ଜୟ ନାଦ କରି ll
ଠୁଳ ହେଲେ ଆସି ସର୍ବ ତୀର୍ଥ ରାଶି
ଅଯୋଧ୍ୟା ନବରେ ପୁଣ l
ଜୟ ଜୟ କରି ସୀତୟା ସୁନ୍ଦରୀ
ଜୟ ଜାନକୀ ରମଣ ll
ନନ୍ଦିଗ୍ରାମୁଁ ଭକ୍ତେ ଆସନ୍ତି ଭରତେ
ଶ୍ରୀରାମ ପାଦୁକା ମୁଣ୍ଡେ l
ଟମକ, କାହାଳୀ, ଘନ ମୁଣ୍ଡାବଳି
ଗହଳି ଅଯୋଧ୍ୟା ଦାଣ୍ଡେ ll
ଭରତ ମିଳନ ଭକ୍ତ ଭଗବାନ
କି ବର୍ଣ୍ଣି ପାରିବି ଆଉ l
ଜୟ ରାମଚନ୍ଦ୍ର ରଘୁ କୂଳ ଚନ୍ଦ୍ର
ମତି ତୁମ୍ଭ ପଦେ ଥାଉ ll
ପିତୃ ସତ୍ୟପାଳି ହେଲ ବନଚାରୀ
ସତ୍ୟେ ରଘୁକୂଳ ନିତି l
ସତ୍ୟସନ୍ଧ ନୃପ ହରିଶ୍ଚନ୍ଦ୍ର ଭୂପ
କୀର୍ତ୍ତୀ ରଖି ଯାଇଛନ୍ତି ll
ଦଣ୍ଡ ଛତ୍ର ଧରି ଲକ୍ଷ୍ମଣ ଶତ୍ରୁଘ୍ନ
ଭରତ ଶ୍ୱେତ ଚାମର l
ବଶିଷ୍ଠ ଜାବାଳି ସ୍ବସ୍ତି ମନ୍ତ୍ରାବଳୀ
ଶୁଭେ ବେଦର ଝଙ୍କାର ll
କରି ଅଭିଷେକ ଶିରରେ ମୁକୁଟ
ଦେଲେ ତୀର୍ଥବାରି ସିଞ୍ଚି l
ଦୁନ୍ଦୁଭି ବାଜଇ ସ୍ୱର୍ଗେ ରହି ରହି
ପୁଷ୍ପ ବର୍ଷନ୍ତି ବିରଞ୍ଚି ll
ଭୂମି ଧନ ଧାନ୍ୟ ଗଜ ବାଜି ସ୍ବର୍ଣ୍ଣ
ବ୍ରାହ୍ମଣେ ନିଅନ୍ତି ଦାନ l
ଜୟ ଜୟ ରାମ ନୟନାଭିରାମ
ପଦେ ସେବେ ହନୁମାନ ll
ତ୍ରେତୟା ଶ୍ରୀରାମ କୌଶଲ୍ୟା ନନ୍ଦନ
କଳିଯୁଗେ ଜଗନ୍ନାଥ l
ସେ ଲୀଳା ସୁମରି ଲୀଳା ରଚେ ହରି
ନୀଳଚକ୍ରେ ଉଡ଼େ ନେତ ll
ଜୟ ଜଗନ୍ନାଥ ଅନାଥର ନାଥ
ପତିତ ତାରଣ ବାନା l
ଚୋଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା
ମର୍ତ୍ତ୍ୟରେ ବିଚିତ୍ର ସିନା ll
ଜୟ ଦାରୁ ବ୍ରହ୍ମ ଜୟ ପୂର୍ଣ୍ଣ ବ୍ରହ୍ମ
ବିଜେ ନୀଳାଦ୍ରୀ କନ୍ଦରେ l
ବନ୍ଦେ ବ୍ରହ୍ମଦାରୁ ବାଞ୍ଛା କଳ୍ପତରୁ
ଜୟ ଜଗଦୀଶ ହରେ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.