ଧଳାଫୁଲ ନାଁ ନାଲିଫୁଲ

ଅର୍ଜୁନୀ ଚରଣ ବେହେରା

ଧଳାଫୁଲ ନାଁ ନାଲିଫୁଲ
==============
ଦତ୍ତାତ୍ରେୟପନ୍ଥୀ ସ୍ବାମୀ ସମର୍ଥ ଉନବିଂଶ ଶତକର ଜଣେ ମହାନ୍ ସାଧକ l ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ତାଙ୍କର ବହୁ ମଠ ଅଛି l ସେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜଣେ ପରମଭକ୍ତ l ପ୍ରଭୁ ଶ୍ରୀରାମ ଏବଂ ରାମାୟଣ ଉପରେ ସୁନ୍ଦର ପ୍ରବଚନଦେଇ ସେ ଶ୍ରୋତାଙ୍କୁ ମନ୍ତ୍ର ମୁଗ୍ଧ କରିଦେଉ ଥିଲେ l
ଦିନକର କଥା ସ୍ବାମୀ ସମର୍ଥ ରାମାୟଣ ପାରାୟଣ କରୁଥାନ୍ତି l ରାମ କଥା ଚର୍ଚ୍ଚା ହେଉଛି ହନୁମାନ କି ଆଉ ଥୟଧରି ରହିପାରନ୍ତି, ସେ ମଧ୍ୟ ଯାଇ ଭକ୍ତଙ୍କ ମଧ୍ୟରେ ଛଦ୍ମ ବେଶରେ ବସି ପଡ଼ିଲେ l ସ୍ବାମୀ କଥା ପ୍ରସଙ୍ଗରେ ସୀତାଠାବ ପାଇଁ ହନୁମାନଙ୍କ ଲଙ୍କାଯାତ୍ରା କଥା ବର୍ଣ୍ଣନା କରିବାକୁ ଲାଗିଲେ l ପବନସୂତ ଅତି ଉଲ୍ଲସିତ ହୋଇ ପଡ଼ିଲେ, ତାଙ୍କ ସ୍ମରଣକୁ ଆସିଗଲା ଅତୀତର ସେହି ଚମତ୍କାର ଘଟଣାଗୁଡ଼ିକ l ସେ ଏକ ଧ୍ୟାନରେ ସ୍ବାମୀଙ୍କ କଥା ଶୁଣିବାକୁ ଲାଗିଲେ l
ସ୍ଵାମୀ ପ୍ରଥମେ ହନୁମାନଙ୍କ ସାଗର ଲଂଘନ, ପର୍ବତ ରାଜ ମଇନାକଙ୍କ ତାଙ୍କ ପଥରୋଧ,ସୁରସା ସିଂହିକା ରାକ୍ଷସୀଙ୍କ କବଳରୁ ତାଙ୍କର ରକ୍ଷା ଇତ୍ୟାଦି ବର୍ଣ୍ଣନା କଲେ l ତା’ ପରେ ସେ ହନୁମାନଙ୍କ ଲଙ୍କାପୁରୀରେ ଲଙ୍କିନୀଙ୍କ ସହ ଭେଟ, ଭକ୍ତରାଜ ବିଭୀଷଣଙ୍କ ସହ ଭେଟ ଇତ୍ୟାଦି କଥାକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କଲେ l ହନୁମାନ ସ୍ବାମୀଙ୍କ ନିଖୁଣ ବର୍ଣ୍ଣନାରେ ଅତି ପ୍ରୀତ ହୋଇ ଶୁଣୁଥାନ୍ତି l
ଏହାପରେ ସ୍ୱାମୀଜୀ ହନୁମାନଙ୍କ ଅଶୋକ ବାଟିକା ପ୍ରବେଶ ଓ ସୀତାଙ୍କୁ ସୁବର୍ଣ୍ଣ ମୁଦ୍ରିକା ପ୍ରଦାନ ପ୍ରସଙ୍ଗ ବର୍ଣ୍ଣନାକୁ ଆସିଲେ l ଆଞ୍ଜନେୟଙ୍କ ଲୋମ ଟାଙ୍କୁରି ଉଠୁଥାଏ l ସ୍ବାମୀଜୀ କହିଲେ, ହନୁମାନ ଅଶୋକ ବାଟିକାରେ ପହଞ୍ଚି, ଫୁଲ ଫଳ ଭରା ସେହି ସୁନ୍ଦର ଉଦ୍ୟାନକୁ ଦେଖିବାକୁ ଲାଗିଲେ l ତରୁମାନେ ଧଳା ଫୁଲରେ ମଣ୍ଡିତ ହୋଇ ଅପୁର୍ବ ଶୋଭା ଧାରଣ କରି ଥିଲେ l ଏହା ଶୁଣି ହନୁମାନ ଚମକି ଉଠିଲେ l ସେ ଭାବିଲେ ଏପର୍ଯ୍ୟନ୍ତ ସ୍ବାମୀଜୀ ସବୁ କଥା ଠିକ୍ ଠିକ୍ ବର୍ଣ୍ଣନା କଲେ l କିନ୍ତୁ ଅଶୋକ କାନନରେ ମୁଁ ଦେଖି ଥିବା ଲାଲ ଫୁଲକୁ କେମିତି ସ୍ୱାମୀଜୀ ଧଳା ବୋଲି କହୁଛନ୍ତି l ସେ ମନେ ମନେ ଚିନ୍ତାକଲେ, ସ୍ବାମୀଜୀ ତ ସେଠି ନ ଥିଲେ l ସିଏ ଖାଲି ପୁସ୍ତକ ପଢ଼ି ଏପରି କହୁଛନ୍ତି l ଏହା ତ ମୋର ପ୍ରତ୍ୟକ୍ଷ ଅନୁଭୁତି l
ହନୁମାନ ଆଉ ସମ୍ଭାଳି ପାରିଲେ ନାହିଁ l ସେ ତୁରନ୍ତ ପ୍ରକଟ ହୋଇ କହିଲେ, ସ୍ୱାମୀଜୀ ! ମୁଁ, ହନୁମାନ l ଆପଣ ଏଇଠି ଭୁଲ୍ କଥାଟି କହିଲେ l ମୁଁ ଅଶୋକ ବାଟିକାରେ ଯେଉଁସବୁ ଫୁଲ ଦେଖିଥିଲି ତାହା ଧଳା ନ ଥିଲା l ସେ ସବୁ ଲାଲ ରଙ୍ଗର ଥିଲା l ସ୍ବାମୀଜୀ କହିଲେ, ମୁଁ ମଧ୍ୟ, ପ୍ରଭୁ ଶ୍ରୀରାମଙ୍କ ଭକ୍ତ l ମୁଁ ଯାହା ଜାଣିଛି ତାହାହିଁ କହିଲି l ହନୁମାନ କହିଲେ, ହଉ ! ତେବେ ଚାଲ ପ୍ରଭୁଙ୍କୁ ଏକଥା ପଚାରିବା l
ଏପରିକହି ହନୁମାନ ସ୍ବାମୀଜୀଙ୍କୁ କାନ୍ଧରେ ବସାଇ ଅଯୋଧ୍ୟାକୁ ଉଡ଼ିଗଲେ l ପ୍ରଭୁ ଶ୍ରୀରାମ ଦୁଇଭକ୍ତଙ୍କ ଗୁହାରି ଶୁଣି କହିଲେ, ବୋଧହୁଏ ହନୁମାନଙ୍କ କଥା ଠିକ୍ ହୋଇପାରେ l କିନ୍ତୁ ମୁଁ ତ ସେଠି ନ ଥିଲି, ମୁଁ ଏହାର ସତ୍ୟତା କିପରି କହି ପାରିବି l ତୁମେ ଯାଇ ଜାନକୀଙ୍କୁ ପଚାର l ଦୁହେଁ ଯାଇ, ସୀତାଙ୍କୁ ମୁଣ୍ଡିଆ ମାରିଲେ l ମାଆ ଦୁହିଁଙ୍କୁ ଆଶୀର୍ବାଦ ଦେଇ ଆସିବା କାରଣ ପଚାରନ୍ତେ ଦୁହେଁ ସବୁକଥା କହିଲେ l
ମାଆ କି ଉତ୍ତର ଦେବେ ବୋଲି ଦ୍ୱନ୍ଦ୍ୱରେ ପଡ଼ିଲେ l ସେ ସାନ୍ତ୍ଵନାଦେଇ କହିଲେ, ତୁମେ ଦୁଇଜଣ ଯାହା କହୁଛ ନିଜନିଜ ଅନୁସାରେ ସବୁଠିକ୍ l ପ୍ରକୃତରେ ସେହି ଫୁଲଗୁଡ଼ିକ ଧଳାଥିଲା ଓ ଶାସ୍ତ୍ରରେ ସେପରି ବର୍ଣ୍ଣିତ ହୋଇଛି l ତେଣୁ ଶାସ୍ତ୍ରଅନୁସାରେ ସ୍ବାମୀଜୀ ଯାହା କହୁଛନ୍ତି ତାହା ଠିକ୍ l ସେ ପୁଣି ହନୁମାନଙ୍କ ମୁଣ୍ଡକୁ ଆଉଁଷିଦେଇ କହିଲେ,ପ୍ରୀୟ ପୁତ୍ର ! ତୁ ମଧ୍ୟ ଯାହା କହୁଛୁ ତାହା ଠିକ୍ l ଯେତେବେଳେ ଅଶୋକ ବାଟିକାରେ ତୁ ଯାଇ ପହଞ୍ଚିଥିଲୁ, ସେତେବେଳେ ତୁ ଅତ୍ୟନ୍ତ ରାଗିଯାଇ ଥିଲୁ l ରାଗରେ ତୋ ଚକ୍ଷୁଦ୍ୱୟ ଲାଲ ହୋଇ ଯାଇ ଥିଲା l ତେଣୁ ସେହି ଧଳା ଫୁଲ ଗୁଡ଼ିକ ତୋତେ ଲାଲ ଦୃଶ୍ୟ ହେଉଥିଲା l ହନୁମାନ କହିଲେ,ମାଆ ! ଆପଣ ଠିକ୍ କହିଲେ,କ୍ରୋଧ ବଶ ହୋଇ ଆମେ ପ୍ରକୃତ ସ୍ୱରୂପକୁ ଭୁଲି ଯାଉ l
ମାଆ ଜାନକୀଙ୍କ ଉତ୍ତରରେ, ଦୁହେଁ ସନ୍ତୁଷ୍ଟ ହୋଇ ଫେରିଲେ l ଆସିବାପଥରେ ହନୁମାନ ସ୍ବାମୀଜୀଙ୍କୁ କହିଲେ,ଆପଣଙ୍କୁ ଅଶେଷ ଧନ୍ୟବାଦ,ପୁଣ୍ୟ ରାମ କଥାକୁ ଆପଣ ନିଖୁଣ ଭାବରେ ଜାଣିଛନ୍ତି l ଏବେ ଆପଣ ଯେଉଁଠି ରାମ କଥା ଆଲୋଚନା କରିବେ, ମୁଁ ସେଠାରେ ଉପସ୍ଥିତ ରହିବି l ଏପରି କହି ତାଙ୍କୁ ହନୁମାନ ନିଜ ଯାଗାରେ ପହଞ୍ଚାଇ ଦେଇ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ l
!!! ଜୟ ପବନପୁତ୍ର ହନୁମାନ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.