ଗଜପତି,୩୦.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ୨୯/୦୯:- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଭାଷା ସମିତି ଓ ବିଦ୍ୟା ଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ, ଓଡ଼ିଶାର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ସମ୍ପର୍କିତ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୮ ଓ ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାର ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆଲୋଚନାଚକ୍ରର ଉଦ୍ଘାଟନୀ ଉତ୍ସବରେ ଭାଷା, ସାହିତ୍ୟ ଓ ଇତିହାସ କ୍ଷେତ୍ରରେ ଓଡ଼ିଶାର ଅନାଲୋଚିତ ବୀର ଯୋଦ୍ଧା ଭାବେ ପାରଳାଖେମୁଣ୍ଡିର ‘ଉପାନ୍ତ ପ୍ରହରୀ’ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଷମକଟକର ଶ୍ରୀରଙ୍ଗ ନାୟକ, ଖୋର୍ଦ୍ଧାର ଶ୍ରୀ ଶଙ୍କର ସାହୁ ଓ ବାଙ୍କୀର ଶ୍ରୀ ନବକିଶୋର ମହାରଣାଙ୍କୁ ସ୍ମାରକୀ ଫଳକ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଚଣ୍ଡୀ ପ୍ରସାଦ ନନ୍ଦ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସହଯୋଗରେ ତେଲୁଗୁ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ *‘ବିଶାଳ କଳିଙ୍ଗ ଇତିହାସ’*ର ଉପାଦେୟତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଭାରତୀୟ ଭାଷା ସମିତିର ପ୍ରତିନିଧି ପ୍ରଫେସର ଭେଙ୍କଟ ରାମୟାଗାମ୍ପୀ ଓ ଡ଼. ଶଶିରଞ୍ଜନ ଅକେଲା ଉଦ୍ବୋଧନ ଦେଇ ଭାରତୀୟ ଭାଷାଗୁଡ଼ିକର ଗୁରୁତ୍ୱ ଓ ସଂରକ୍ଷଣର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ।କାର୍ଯ୍ୟକ୍ରମ ଶେଷରେ ଡ଼. ପ୍ରିୟଦର୍ଶିନୀ ସାହୁ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ, ବୁଦ୍ଧିଜୀବୀ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମ୍ବର୍ଦ୍ଧିତ ହୋଇଥିବାରୁ ପାରଳାଖେମୁଣ୍ଡି ସମେତ ସମଗ୍ର ଗଜପତି ଜିଲ୍ଲାର ସମସ୍ତ ସାହିତ୍ୟ, ଭାଷା ଓ ଐତିହ୍ୟପ୍ରେମୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.