ପୁତ୍ରଦା ଏକାଦଶୀ

ଅର୍ଜୁନୀ ଚରଣ ବେହେରା

ପୁତ୍ରଦା ଏକାଦଶୀ
============
ଆଜି ପୌଷ ଶୁକ୍ଳ ଏକାଦଶୀ l ଆଜି ଏକାଦଶୀର ନାମ ପୁତ୍ରଦା ଏକାଦଶୀ l ଆମର ହିନ୍ଦୁ ପରମ୍ପରା ଅନୁସାରେ ଚାନ୍ଦ୍ର ମାସର ଏକାଦଶ ତମ ଦିବସକୁ ଏକାଦଶୀ ଭାବେ ପାଳନ କରାଯାଏ l ଏଣୁ ପ୍ରତି କୃଷ୍ଣ ଓ ଶୁକ୍ଳ ପକ୍ଷରେ ଗୋଟିଏ ଲେଖା ଏକାଦଶୀ ହୋଇ ବର୍ଷସାରା ଚବିଶଟି ଏକାଦଶୀ ପଡ଼ିଥାଏ l ଏକାଦଶୀ ତିଥି ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟତା ରହିଛି l ଏକାଦଶୀମାନଙ୍କର ଭିନ୍ନଭିନ୍ନ ନାମ ଅଛି l ବର୍ଷରେ ଦୁଇଟି ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ l ଶ୍ରାବଣ ଏବଂ ପୌଷ ମାସରେ ପଡ଼ୁଥିବା ଶୁକ୍ଳପକ୍ଷ ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ l ଏହି ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ଫଳ ପ୍ରଦାୟୀ ହୋଇ ଥିବାରୁ ଏହାକୁ ନିଷ୍ଠାର ସହକାରେ ପାଳନ କରାଯାଏ l ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ ଓ ପବିତ୍ରା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ l
ପାଳନ ଵିଧି :-
ପୁତ୍ରଦା ଏକାଦଶୀ ତିଥିରେ ପ୍ରତ୍ୟୁଷରୁ ଶୁଦ୍ଧ ପୁତ ଭାବେ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ l କୌଣସି ଖାଦ୍ୟ ଗ୍ରହଣ ନ କରି ନିର୍ଜଳା ଉପବାସ କରନ୍ତୁ l ସାରା ଦିନ ଅଖଣ୍ଡ ଦୀପ ଜାଳି ବିଷ୍ଣୁଙ୍କ ପୂଜା ଆରାଧନା କରନ୍ତୁ l ପୁତ୍ରସନ୍ତାନ ଲାଭ ବାଞ୍ଛାକରୁଥିବା ଦମ୍ପତି ଏହି ଏକାଦଶୀ ପାଳନରେ ପୁତ୍ରଲାଭ କରିଥାନ୍ତି l
ଦ୍ୱାପର ଯୁଗରେ ନନ୍ଦ ଯଶୋଦା ଏହି ଏକାଦଶୀ ପାଳନ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପୁତ୍ର ରୂପରେ ପାଇଥିଲେ ବୋଲି ପୌରାଣିକ କିମ୍ବଦନ୍ତି ରହିଛି l
ପୁତ୍ରମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ମଧ୍ୟ ଏହି ଏକାଦଶୀ ପାଳନ କରିଥାନ୍ତି l ପୁତ୍ରଦା ଏକାଦଶୀ ବ୍ରତ ପାଳନ କଲେ ଭଗବାନ ଶ୍ରୀକୃଷ୍ଣ ତୁଷ୍ଟହୋଇ ଭକ୍ତର ମନୋବାଞ୍ଛା ପୂରଣକରିଥାନ୍ତି l ସନ୍ତାନ ପ୍ରାପ୍ତି ପାଇଁ ଏହି ଏକାଦଶୀରେ ଶ୍ରୀକୃଷ୍ଣ କିମ୍ବା ନାରାୟଣଙ୍କ ବ୍ରତ ରଖା ଯାଇଥାଏ l ଏହି ବ୍ରତରେ ହଳଦିଆଫଳ,ହଳଦିଆଫୁଲ ଓ ତୁଳସୀ ଭଗବାନଙ୍କୁ ଅର୍ପଣ କରାଯାଏ l ଏ ବ୍ରତରେ ସିଦ୍ଧି ଲାଭ କରିବା ପାଇଁ ସିଦ୍ଧ ଗୋପାଳମନ୍ତ୍ର ଜପ କରା ଯାଇଥାଏ l ଗୋପାଳ ମନ୍ତ୍ର ହେଲା :-
“ ଓଁ କ୍ଲିଂ ଦେବକୀ ସୁତ ଗୋବିନ୍ଦ
ବାସୁଦେବ ଜଗତ୍ପତେ,
ଦେହି ମେ ତନୟଂ କୃଷ୍ଣ
ତ୍ବାମହମ୍ ଶରଣମ୍ ଗତା,
ଓଁ କ୍ଲିଂ କୃଷ୍ଣାୟ ନମଃ’’ ll
କିମ୍ବଦନ୍ତୀ :-
ପ୍ରାଚୀନ କାଳରେ ମାହିଷ୍ମତୀପୁର ରାଜ୍ୟର ରାଜା ଥିଲେ ମହୀଜିତ୍ l ସେ ଥିଲେ ଅତ୍ୟନ୍ତ ଧାର୍ମିକ ଓ ପ୍ରଜାବତ୍ସଳ lରାଜ୍ୟରେ ସର୍ବତ୍ର ସୁଖ,ଶାନ୍ତି ବିରାଜୁ ଥିଲା l କିନ୍ତୁ ରାଜା ସନ୍ତାନ ହୀନ ଥିବାରୁ ଅତ୍ୟନ୍ତ ଦୁଃଖିତ ଥିଲେ l ଏକଦା ରାଜା ନିଜ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ପ୍ରକାଶ କଲେ l ପ୍ରଜା ରାଜାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ l ନିଜର ରାଜାଙ୍କ ଦୁଃଖ ଦୂର କରିବା ଅର୍ଥରେ, ସେମାନେ ବ୍ରାହ୍ମଣ ମାନଙ୍କ ସହିତ ଅରଣ୍ୟକୁ ଯାଇ, ତପସ୍ୟା କରିବାକୁ ସ୍ଥିର କଲେ l ପ୍ରଜାଗଣ ବନ ମଧ୍ୟରେ ଯାଉଯାଉ ଯାଇ ତ୍ରିକାଳଦର୍ଶୀ ଲୋମଶ ମୁନିଙ୍କ ଆଶ୍ରମ ନିକଟରେ ପହଞ୍ଚିଲେ l ମହାମୁନୀ ଲୋମଶ ବିଜ୍ଞ, ଜ୍ଞାନୀ ଓ ଦୀର୍ଘାୟୁ ମହାତ୍ମା ଥିଲେ lକୁହାଯାଏ ଯେ ଗୋଟିଏ କଳ୍ପ ଶେଷ ହେଲେ ଲୋମଶ ମୁନିଙ୍କ ଶରୀରରୁ ଗୋଟିଏ ଲୋମ ଝଡ଼ିଥାଏ l ଏମିତି ଯାଇ କେତେ କୋଟି ବର୍ଷ ଅତିବାହିତ ହେଲେ ତାଙ୍କ ଶରୀରରୁ ସମସ୍ତ ଲୋମ ଝଡ଼ି ପଡ଼ିବ ଏବଂ ତାଙ୍କର ଅନ୍ତଃ ହେବ, ଏ ସମୟ କଳ୍ପନା କରା ଯାଇ ନ ପାରେ l ସେଥିପାଇଁ ତାଙ୍କର ନାମ ଲୋମଶ ଓ ସେ କଳ୍ପ କଳ୍ପାନ୍ତ ଜୀବି l
ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖିବାକୁ ପାଇ ଲୋମଶ ମୁନି ଚକିତ ହେଲେ l ସେମାନଙ୍କୁ ପଚାରି ତାଙ୍କର ଉଦ୍ଦେଶ୍ୟ ବିଷୟ ଜାଣିଲେ l ସେ ସେମାନଙ୍କୁ ଆଶ୍ୱାସନା ଦେଇ କହିଲ,”ମହାରାଜ ମହୀଜିତ୍‌ ପୂର୍ବ ଜନ୍ମରେ ଜଣେ ବୈଶ୍ୟ ଥିଲେ l ସେ ଗ୍ରାମଗ୍ରାମ ବୁଲି ବେପାରବଣିଜ କରୁଥିଲେ l ଖରାଦିନ,ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା l ଏକ ଜଳାଶୟ ଦେଖି ସେଠାକୁ ପାଣି ପିଇବାକୁ ସେ ଗଲେ l ସେତିକି ବେଳେ ଗୋଟିଏ ଗାଈ ଓ ବାଛୁରୀ ଶୋଷରେ ଆତୁର ହୋଇ ପୋଖରୀରେ ପାଣି ପିଉ ଥିଲେ l ବୈଶ୍ୟ ନିଜେ ପାଣି ପିଇବା ପାଇଁ ଗାଈ ବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ l ସେ ରାଜା ଅତ୍ୟନ୍ତ ଧାର୍ମିକ ଥିଲେ ଏହା ସତ୍ୟ l କିନ୍ତୁ ସେହି ପାପାଚାର ହେତୁ ଏ ଜନ୍ମରେ ସେ ଅପୁତ୍ରିକ ହୋଇଛନ୍ତି l
ରାଜା କିପରି ସନ୍ତାନ ଲାଭ କରିବେ,ପ୍ରଜା ମାନେ ସେକଥା ଲୋମଶ ମୁନିଙ୍କୁ ପଚାରିଲେ l ଲୋମଶ କହିଲେ,“ତୁମେମାନେ ଯଦି ରାଜାଙ୍କ ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷ ତିଥିରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହ ପାଳନ କର l” ଏହି କଥାନୁସାରେ ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କଲେ l ପ୍ରଜା ମାନଙ୍କର ପୁଣ୍ୟ ବଳରେ ରାଜାଙ୍କର ପୁତ୍ର ଲାଭ ହେଲା l
ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ପୁତ୍ରଦା ଏକାଦଶୀ ବ୍ରତ କଥା କହି ଥିଲେ l ଧର୍ମରାଜଙ୍କୁ ଶ୍ରୀକୃଷ୍ଣ କହିଲେ,”ବହୁ ଦିନପୂର୍ବେ ଭଦ୍ରାବତୀପୁର ନାମକ ଦେଶର ରାଜା ଥିଲେ ସୁକେତୁମାନ୍ l ସେ ରାଜାଙ୍କର କୌଣସି ସନ୍ତାନସନ୍ତତି ନଥିଲେ l ସେ ପାଇଁ ରାଜା ଓ ରାଣୀ ଚମ୍ପା ବହୁ ଅସୁଖୀ ଥିଲେ l ରାଜା ଥରେ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣରେ ବାହାରି ଗଲେ l ରାଜା ବଣର ଶୋଭା ଦେଖି ଦେଖି ଚାଲିଥାନ୍ତି ଦିନର ଦ୍ୱି ପ୍ରହର ହୋଇଗଲା l ଉପାସ, ଶୋଷରେ ଆଉଟୁ ପାଉଟୁ ରାଜା,ଖାଦ୍ୟ ଖୋଜି ବୁଲିଲେ l ବୁଲୁବୁଲୁ ଯାଇ ଗୋଟିଏ ସରୋବର ପାଖରେ ପହଞ୍ଚିଲେ l ସେହି ସରୋବର କୂଳରେ ଋଷି ମାନଙ୍କ ଆଶ୍ରମ ଥାଏ l ଋଷିମାନେ ଏକତ୍ର ହୋଇ ସରୋବରରେ ସ୍ନାନ କରୁ ଥିଲେ l ସେମାନଙ୍କ ପାଖରେ ପହଞ୍ଚି ରାଜା ତାଙ୍କ ଚରଣ ବନ୍ଦନା କରିବାକୁ ଲାଗିଲେ l ଋଷିଗଣ ରାଜାଙ୍କ ଉପରେ ଖୁବ ପ୍ରସନ୍ନ ହେଲେ l ରାଜା ମୁନିମାନଙ୍କୁ ପଚାରିଲେ, ” ଆପଣ ମାନେ କିଏ ? ଆପଣ ମାନେ ଏଠି ଏକାଠି ହୋଇଛନ୍ତି, ଏବଂ କାହିଁକି ଏକତ୍ରିତ ହୋଇ ବାସ କରୁଛନ୍ତି ?” ମୁନିମାନେ କହିଲେ, ଆମେ ସମସ୍ତେ ବିଶ୍ୱଦେବ l ସ୍ନାନ କରିବାକୁ ଆସିଛୁ l ନିକଟରେ ମାଘ ମାସ ଆସୁଛି l ଆଜି ଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଅଛି ଏବଂ ଆଜି ହେଉଛି ପୁତ୍ରଦା ଏକାଦଶୀ l ଆମେ ସବୁ ଏହି ଏକାଦଶୀ ସ୍ନାନ କରୁଛୁ l ପୁଣି କହିଲେ, ଏହି ଏକାଦଶୀକୁ ପାଳନ କଲେ ପୁତ୍ରପ୍ରାପ୍ତି ହୋଇଥାଏ l ଏକଥା ଶୁଣି ରାଜା ଅତ୍ୟନ୍ତ ଖୁସୀ ହୋଇ ମୁନି ମାନଙ୍କୁ ପ୍ରାର୍ଥନା କଲେ, ହେ ବିଶ୍ୱଦେବ ଗଣ ! ଯଦି ମୋ ଉପରେ ଆପଣମାନେ ପ୍ରସନ୍ନ ହୋଇଛନ୍ତି ତେବେ ମୋତେ ପୁତ୍ରପ୍ରାପ୍ତିର ଆଶୀର୍ବାଦ ପ୍ରଦାନକରନ୍ତୁ l ମୁନିମାନେ ତହୁଁ କହିଲେ, ହେ ରାଜନ୍ ! ତୁମେ ଏହି ପୁତ୍ରଦା ଏକାଦଶୀ ବ୍ରତ ପାଳନ କର l ଏହି ଏକାଦଶୀର ମହିମା ଅପାର l ଏ ବ୍ରତ ପାଳନ କର ଓ ନିର୍ଜଳା ଉପବାସ ପୂର୍ବକ ଶ୍ରୀକେଶବଙ୍କୁ ଆରାଧନା କର l ଭଗବାନ କେଶବଙ୍କ ଆଶୀର୍ବାଦରୁ ତୁମେ ଅବଶ୍ୟ ପୁତ୍ର ପ୍ରାପ୍ତହେବ l ମୁନିମାନଙ୍କ କହିବାନୁଯାୟୀ ସେ ରାଜା ସେହିଠାରେ ପୁତ୍ରଦା ଏକାଦଶୀ ବ୍ରତ ପାଳନ କଲେ I ଦ୍ୱାଦଶ ଦିନରେ ବ୍ରତ ଉଦଯାପନ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ l ଯଥା ସମୟରେ ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ଜାତ ହେଲା l ସମସ୍ତ ଗୁଣର ଅଧିକାରୀ ହେବା ସହିତ ପିତାଙ୍କ ଅନ୍ତେ ସେ ଜଣେ ପ୍ରଜା ଅନୁରଞ୍ଜକ ରାଜା ହେଲେ l ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ l”ଏହି କଥା ଶୁଣାଇ ସାରି ଶ୍ରୀକୃଷ୍ଣ କହିଲେ,”ହେ ଯୁଧିଷ୍ଠିର ! ସେହିଦିନ ଠାରୁ ପୁତ୍ରଦା ଏକାଦଶୀ ଏ ମର୍ତ୍ତ୍ୟରେ ପାଳନ ହେଉଛି l”
କୌଣସି ଏକାଦଶୀ ରବିବାର ଦିନ ପଡ଼ିଲେ ଏହା ରବି ନାରାୟଣ ବ୍ରତ ଭାବେ ପାଳିତ ହୋଇଥାଏ l ରବି ନାରାୟଣ ବ୍ରତ କଥାରେ ଅଛି :-
ରବିବାର ଏକାଦଶୀ ହେଲେରେ ନନ୍ଦନ l
ରବି ନାରାୟଣ ବ୍ରତ ହୁଅଇ ସେ ଦିନ ll
କଲେ ତାହା ପଞ୍ଚ ମହାପାତକ ସହିତେ l
ସବୁ ପାପ ଲୋପହୁଏ ବୁଝ ଧିର ଚିତ୍ତେ ll
ପୁତ୍ରଦା ଏକାଦଶୀର ସମାପନ ଏକାଦଶୀ ଦିବସ ଦିନ ହୁଏ ନାହିଁ l ଦ୍ୱାଦଶୀ ଦିନ ପ୍ରାତଃସ୍ନାନ ଅନ୍ତେ ପୂଜା ସାରିଲାପରେ ବାଳକ ଏବଂ ବ୍ରାହ୍ମଣଙ୍କୁ ଅନ୍ନ ଦାନ ସହ ଦକ୍ଷିଣା ପ୍ରଦାନ କରି ବ୍ରତର ସମାପନ କରାଯାଇ ଥାଏ l ବ୍ରତ ସମାପନକରି ବ୍ରତୀ ନିଷ୍ଠା ସହକାରେ ଭଗବାନଙ୍କ ଠାରେ ସମର୍ପିତ ହୋଇ ପ୍ରାର୍ଥନା କରିଥାଏ l ଭାଗବତ ଭାଷାରେ ପ୍ରାର୍ଥନା କରି ଭକ୍ତ କହିଥାଏ :-
ଧ୍ୟାନ ମୁଁ କଲି ଯାହାରୂପ l
କହ ହେ ମୋତେ ତା ସ୍ୱରୂପ ll
ସନ୍ତାନ ପାଇଁ ଭଗବାନ ll
ତପେ ମୁଁ କଲି ଆରାଧନ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.