ନୂଆଦିଲ୍ଲୀ : ଓଡ଼ିଶା ସ୍ବାଧୀନତା ସଂଗ୍ରାମର ମହାନ ଜନନାୟକ, ଦୀନ, ଦରିଦ୍ର ଓ ଦୁର୍ଗତ ମାନବର ବନ୍ଧୁ, ପ୍ରଥିତଯଶା ସାହିତ୍ୟିକ, ସାଲିସବିହୀନ ସାମ୍ବାଦିକ, ସେବା ଓ ସମର୍ପଣର ସମର୍ପିତ ପ୍ରତିଭୂ, ଶିକ୍ଷା ସଂସ୍କାରର ଅନ୍ୟତମ କାଣ୍ଡାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦେଶର ରାଜଧାନୀ ଦିଲ୍ଲୀରେ ସ୍ଥାପନ କରାଯିବ। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିବେ। ଆସନ୍ତା ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଓ ଓଡ଼ିଶାର ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେବେ। ଦିଲ୍ଲୀର ଲଜପତ୍ ନଗର ସ୍ଥିତ ଲୋକସେବକ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟ ଲଜ୍ପତ ଭବନ ପରିସରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ବନ୍ୟା, ବାତ୍ୟା, ମରୁଡ଼ି କ୍ଲିଷ୍ଟଙ୍କ ପ୍ରତି ନିରୁତା ଜନସେବା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରକୁ ଅବଦାନ, ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ଓଡ଼ିଶାରେ ଶିକ୍ଷା ସଂସ୍କାର, ବିଶେଷକରି ତତ୍କାଳୀନ ସମାଜର ନାରୀ ଓ ପ୍ରୌଢଶିକ୍ଷାକୁ ଗୁରୁତ୍ବ, ସ୍ବତନ୍ତ୍ର ଓଡ଼ିଶା ଗଠନ ଦିଗରେ ଭୂମିକା, ମହାଭାରତୀୟ ଚେତନା କ୍ଷେତ୍ରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅବଦାନକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରାଇବା ଲାଗି ଲୋକସେବକ ମଣ୍ଡଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦିଲ୍ଲୀରେ ଜଣେ ଓଡ଼ିଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା କ୍ଷେତ୍ରରେ ଉତ୍କଳମଣିଙ୍କ ପ୍ରତିମା ଅନାବରଣ ପ୍ରଥମ ବୋଲି କୁହାଯାଉଛି। ଦିଲ୍ଲୀରେ ଏଯାବତ୍ କୌଣସି ଓଡ଼ିଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇନାହିଁ।