ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

0

ଗଜପତି,୧୬.୧୧ ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରଳାଖେମୁଣ୍ଡିସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ଶିଶୁମାନଙ୍କ ସୁରକ୍ଷା, ଅଧିକାରର ସୁରକ୍ଷା ଏବଂ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ନିରାକରଣ ଉଦ୍ଦେଶ୍ୟରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ସୁରକ୍ଷିତ ବଚପନ ଅଭିଯାନ ଅଧୀନରେ ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ (ପୋକ୍ସୋ ଆଇନ-୨୦୧୨) ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ଏଥି ସହ ନାଲସା ପକ୍ଷରୁ ପ୍ରଣୀତ ‘ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ଏବଂ ‘ନାଲସାର ଆଶା-୨୦୨୫’ ସମ୍ପର୍କରେ ଆଲୋକପାତ କରାଯାଇଥିଲା।
ଶିଶୁ ଦିବସ-୨୦୨୬ ଅବସରରେ ନାଲସା ପକ୍ଷରୁ ଆୟୋଜିତ ‘DAWN Fortnight Awareness Campaign for Children’ ସମ୍ପର୍କରେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଶିଶୁମାନଙ୍କ ମୌଳିକ ଅଧିକାର, ସୁରକ୍ଷା, ଯୌନ ଶୋଷଣରୁ ସୁରକ୍ଷା ପାଇବାର ଉପାୟ, ବାଲ୍ୟ ବିବାହର କୁପରିଣାମ ଏବଂ ଏ ସମ୍ପର୍କିତ ଆଇନଗତ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହିତ ଆଇନଗତ ସହାୟତା ପାଇବାର ପ୍ରକ୍ରିୟା ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ପରିବାର ଅଦାଲତ, ଗଜପତିର ବିଚାରପତି ଡ. ଜୀବନଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତର ବିଚାରପତି ଶ୍ରୀ ସତ୍ୟନାରାୟଣ ପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ, ଗଜପତିର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ ଶ୍ରୀ ସତ୍ୟବ୍ରତ ରଣା, ଏସ୍‌ଜେପିୟୁ ଡିଏସ୍‌ପି ଶ୍ରୀ ନିରଞ୍ଜନ ବେହେରା, ସରକାରୀ ଓକିଲ ଶ୍ରୀ ରାଜେଶ କୁମାର ମିଶ୍ର, ଶ୍ରୀ ଗୌରହରି ପଟ୍ଟନାୟକ, ଆଇନଜୀବୀ ସୁଶ୍ରୀ ଗୌରୀ ଦେବୀ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଦାସ ଏବଂ ଓଏସ୍‌ସି କାଉନସେଲର ଶ୍ରୀମତୀ ମଧୁସ୍ମିତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ, ଭୟମୁକ୍ତ ଓ ଶୋଷଣମୁକ୍ତ ପରିବେଶ ଗଠନ କରିବା ସହ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଦିଗରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା।

Leave A Reply

Your email address will not be published.