ବାଲେଶ୍ୱର, ୯ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଆଗାମୀ ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ସ୍ୱଚ୍ଛ, ତ୍ରୁଟିମୁକ୍ତ, ଅଦ୍ୟତନ ଓ ନାଗରିକକୈନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ଘରକୁ ଘର ସର୍ଭେକ୍ଷଣ ପ୍ରଶିକ୍ଷଣ ଶିବିର ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ର ସିରିୟଲ ପଟେଲ, ନୀଳଗିରି ବିଡିଓ ବିକ୍ରମ କିଶୋର ପରିଡ଼ା, ଖଇରା ବିଡିଓ ନାରାୟଣ ସାହୁ, ଡେପୁଟି ଜିଲ୍ଲାପାଳ ଡ. ପ୍ରବୋଧ କୁମାର ମଲ୍ଲିକ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ଦେବାନନ୍ଦ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଯାୟୀ, ବ୍ଲକସ୍ତରରେ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଜାରି ରହିବ। ଏହାପରେ ଅକ୍ଟୋବର ୨୪ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଘରକୁ ଘର ବୁଲି ସର୍ଭେ କରିବେ ଏବଂ ଭୋଟର ତାଲିକା ପ୍ରସ୍ତୁତି ଓ ଅଦ୍ୟତନ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ।
ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ମାଧ୍ୟମରେ ଏକ ସଠିକ୍ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରି ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁସଂଗଠିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଜିଲ୍ଲା ପଞ୍ଚାୟତ ଅଧିକାରୀ ଦେବାନନ୍ଦ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବାଲେଶ୍ୱର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ର ସିରିୟଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।