କଲକାତା(୧୯/୯) : ସ୍ଥାନୀୟ ନନ୍ଦନ-୩ ପେକ୍ଷ୍ରାଳୟରେ ‘ଜୀବନ ଦାନ’ର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ମାତା କମ୍ପାନୀ ଫ୍ରାଗ୍ରାଣ୍ଟର ସମସ୍ତ ଟିମ୍ ସଦସ୍ୟମାନଙ୍କ ସହିତ କଲକାତାର ଓଡ଼ିଆ ଦର୍ଶକମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ। ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ ଦେଖିଲାପରେ ଦର୍ଶକମାନେ ନିଜର ମତାମତରେ ସନ୍ତୋଷ ପ୍ରକାଶ କରିଥିଲେ। ଆୟୋଜକମାନଙ୍କୁ ସାଧୁବାଦ ଦେଇଥିଲେ। ଏଥିସହ ସେମାନେ ଖୁସି ହୋଇ କହିଥିଲେ ଯାହା ହେଉ ଏତେ ବର୍ଷ ପରେ କଲକତାରେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିପାରିଛି। ଏହିପରି ଆଗକୁ ଆୟୋଜିତ ହେଲେ ବେଶ୍ ଭଲ ହୁଅନ୍ତା; ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଉପସ୍ଥିତ ଥିଲେ ନିଜେ ଚଳଚ୍ଚିତ୍ରର ପ୍ରଯୋଜିକା ପ୍ରଫେସର ସମାପିକା ମହାପାତ୍ର, ଚିତ୍ରନାଟ୍ୟ ରଚନା ସହ ସ୍ୱର ସଂଯୋଜନା ଓ ନିର୍ଦ୍ଦେଶନା ଦେଇଥିବା ଯୁବ ନିର୍ଦ୍ଦେଶକ ସୌରଭ ସରକାର। ଉପସ୍ଥିତ ଥିଲେ ଟିମ୍ ମେମ୍ବର ପ୍ରଶାନ୍ତ କୁମାର ନାଥ ଓ ଚଳଚ୍ଚିତ୍ରର ମୁଖ୍ୟଭୂମିକାରେ ଅଭିନୟ କରିଥିବା ଓଡ଼ିଶାର ଜଣାଶୁଣା ଅଭିନେତା ଦୀପେଶ ସାମନ୍ତରାୟ। ବିଶେଷ ନିମନ୍ତ୍ରଣରେ ଆସି ଶାନ୍ତିନିକେତନର ବହୁ ଛାତ୍ରଛାତ୍ରୀ ଓ ପ୍ରଫେସର ଶରତ କୁମାର ଜେନା ଶେଷ ପର୍ଯ୍ୟନ୍ତ ଚଳଚ୍ଚିତ୍ରରଟିକୁ ଉପଭୋଗ କରିଥିଲେ।


ଚଳଚ୍ଚିତ୍ରଟି ପୂର୍ବରୁ ଚେନ୍ନାଇରେ ତାମିଜାଗମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ-୨୦୨୬ ଏବଂ କୋଡାଇକାନାଲ ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଭାରତୀୟ ଫିଚର ଫିଲ୍ମ ଭାବରେ ପୁରସ୍କୃତ ଅର୍ଜନ କରିସାରିଛି। କର୍ଣ୍ଣାଟକର ଏକ ଅନୁଷ୍ଠାନ ଦ୍ୱାରା ମଧ୍ୟ ରବୀନ୍ଦ୍ର ରତ୍ନ ପୁରସ୍କାର-୨୦୨୬ ପୁରସ୍କାର ପ୍ରାପ୍ତ କରିଛି ଚଳଚ୍ଚିତ୍ରଟି। ‘ଜୀବନ ଦାନ’ ଚଳଚ୍ଚିତ୍ର କାହାଣୀଟି ଅଗ୍ରସର ହୁଏ କ୍ରୋଧ ବସବର୍ତ୍ତି ହୋଇ ଜଣେ ଯୁବକଟି କିପରି ଏକ ଭୁଲ କାମ ଭିଆଇଛି ଏବଂ ଏହାର ପରିଣାମ ସ୍ୱରୂପ ତା ବାପା ଆଉ ପରିବାର କିପରି କଷ୍ଟ ସହିବାକୁ ହୋଇଛି, ଏପରିକି ଯୁବକଙ୍କର ବାପା ଜଣେ ସୁନାମଧନ୍ୟ ପ୍ରଶାସନିକ ଅଧିକାରୀ ହୋଇ ବି ପୁତ୍ରମୋହକୁ ଭୁଲି ନିଜ କର୍ତ୍ତବ୍ୟକୁ ଆପଣାଇଛନ୍ତି। ଫଳତଃ ନିଜ ପୁଅକୁ ସେ କାରାଗାରକୁ ପଠାଇଛନ୍ତି। ଏହି ଘଟଣାପରେ ହିଁ କାହାଣୀରେ ଆସେ ଅସଲ ମୋଡ଼, ଯୁବକଟିର ଚରିତ୍ର ସମ୍ପୂର୍ଣ୍ଣ ବଦଳାଇଦିଏ। ପୁଅ ନିଜ ଭୁଲ ବୁଝିପାରି ସୁଧୁରି ଯିବାକୁ ଚେଷ୍ଟା କରେ। ହେଲେ ସେତେବେଳକୁ ବହୁ ସମୟ ଅତିକ୍ରାନ୍ତ ହୋଇଥାଏ ଏବଂ ସେ ତା ବାପାଙ୍କୁ ହରାଇସାରିଥାଏ। ଚଳଚ୍ଚିତ୍ରଟିର ମୁଖ୍ୟଭୂମିକାରେ ଅଛନ୍ତି ଦୀପେଶ ସାମନ୍ତରାୟ, ରାଖୀ ଦାସ, ତରଣଜିତ ଖାନ୍ନା, ଶ୍ୱେତଶ୍ରୀ ପାଢ଼ୀ, ସୁବାସ ପାତ୍ର, ସୁଶାନ୍ତ ସତପଥୀ, ସୁନୀଲ ପଢ଼ିଆରୀ ଏବଂ ପ୍ରଦୀପ ତ୍ରିପାଠୀ ପ୍ରମୁଖ କଳାକାରମାନେ ।