ପ୍ରଭାତ କୁସୁମ

ଅର୍ଜୁନୀ ଚରଣ ବେହେରା

ବିରହ ବିଧୁରା ରଜନୀ ପାହିଲା
ଡାକ ଦେଲେ ଚକ୍ରବାକ l
ଚକ୍ରଧର ପକ୍ଷୀ ଜନ୍ମୁ ପାରିକର
କଳାକର କଳାମୁଖ ll
ମନ୍ଦାର ଫୁଟିଲା ଅନ୍ଧାର ତୁଟିଲା
ପ୍ରାଚୀ ନଭେ ଦିନମଣି l
କୁକ୍କୁଟ ଡାକିଲେ ମୁକୁଟ ଉଠାଇ
ଉଠ ଉଠ ଧନମଣି ll
ତାରା ଅସ୍ତ ଗଲେ ଗୋଟି ଗୋଟି
କରି ପରିହରି ତାଙ୍କ ତୋରା l
ଚାହୁଁ ଚାହୁଁ ଧୀରେ ମାଡ଼ି ଆସୁଅଛି
ମହୀକି ପ୍ରବଳ ଖରା ll
ଧୂଳି ଶେଯ ତେଜିଲେଣି ଠାକୁରାଣୀ
ମଶାଣି ବାଉଁଶ ବଣେ l
ମଙ୍ଗଳମୟୀ ମୋ ମାଆ ଫେରିଲେଣି
ଭେଟି ଭକ୍ତ ଜଣେ ଜଣେ ll
ପେଚକ ଲୁଚିଲେ ବାୟସଙ୍କ ଭୟେ
ହରି କୀର୍ତ୍ତନ ମନ୍ଦିରେ l
ପ୍ରଭାତ କୁସୁମ ଗନ୍ଧ ସମୀରଣ
ମନ୍ଦ ବାସ ମନ ହରେ ll
ନୂଆ ଭୁଆସୁଣୀ କୁଆଡାକ ଶୁଣି
ପକାନ୍ତି ପବିତ୍ର ପାଣି l
ଦୂର ଚୁତକୁଞ୍ଜେ ପିକ ଶୁକ ଗୁଞ୍ଜେ
କଜ୍ଵଳ ପତ୍ରୀ ଓ ବଣି ll
ଜମ୍ବୁକେ ଲୁଚିଲେ କିଆ ବଣେ ଯାଇ
କମ୍ବୁ ନାଦ ଶମ୍ଭୁ ଆଳେ l
ବାର ନାରୀ ପୁରୁ ଜାର ପଳାଇଲେ
ଦେଖି ନେବ କିଏ କାଳେ ll
ରାଧାକୃଷ୍ଣ କୃଷ୍ଣ ହରି ହରି ବୋଲି
ଶ୍ରଦ୍ଧାରେ ଶୁକ ଶାରିକା l
ହରେ ରାମ ହରେ କୃଷ୍ଣ ବୋଲିବାକୁ
ନେଇଛନ୍ତି ପରା ଠିକା ll
ଜୟ ଜଗନ୍ନାଥ ଜଗତ କରତା
ନମସ୍ତେ ସୂର୍ଯ୍ୟ ଦେବତା l
ହରି ହରି ନାମେ ଭରି ଦିଅ ପ୍ରଭୁ
ଜୀବନେ ମୋ ସାର୍ଥକତା ll
🙏🙏🙏
ଅର୍ଜୁନୀ
———————–
ମୋ -7693091971

Comments are closed.