ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ ।

ଖୋର୍ଦ୍ଧା:(ବିବି ନିୟୁଜ ବ୍ୟୁରୋ) ଗୋଟିଏ ପଟେ ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ବିଭାଗ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲ୍ଲା ପୁବୁ ସାହି ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ପୋଲିସ କାର୍ଯ୍ୟନୁଷ୍ଠାନ ନନେବାରୁ ପ୍ରଥମେ ଥାନା ଘେରାଉ ତା’ପରେ ରାଜପଥ ଅବରୋଧ କରିଥିଲେ ଅଞ୍ଚଳବାସୀ । ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରିବା ଯୋଗୁଁ ଖୋର୍ଦ୍ଧା-ନୟାଗଡ଼ ଗମନାଗମନ ଠପ୍ ହୋଇ ଯାଇଥିଲା । ସୂଚନା ଅନୁଯାୟୀ ଖୋର୍ଦ୍ଧା ପୁବୁସାହି ଗ୍ରାମର ବାସୁଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତି ହଠାତ୍ ନିଖୋଜ ହେବା ନେଇ ଥାନରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ହେବାର ୩ଦିନ ପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ନନେବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ନିଖୋଜ ବାସୁଦେବ ଉକ୍ତ ଅଞ୍ଚଳର ଜଣେ କବାଡିଆ ବ୍ୟବସାୟୀଙ୍କ ପାଖରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଆସୁଥିଲେ । ଗତ ରବିବାର ଟଙ୍କା ହେରଫେର ନେଇ ମାଲିକ ତାଙ୍କୁ ମାଡ ମାରିଥିବା ଏବଂ ସୋମବାର ଦିନ ଠାରୁ ବାସୁଦେବ ନିଖୋଜ ହେବା ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି । ତେବେ ସମ୍ପୃକ୍ତ କବାଡ଼ିଆ ବ୍ୟବସାୟୀ ବାସୁଦେବଙ୍କୁ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଏ ନେଇ ପୁଲିସର ନିଷ୍କ୍ରିୟତା ଦେଖାଇବା ନେଇ ବାସୁଦେବଙ୍କ ପରିବାର ସମେତ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଅଞ୍ଚଳବାସୀ ସିଧା ୫୭ନମ୍ବର ଜାତୀୟ ରାଜପଥକୁ ଓହ୍ଲାଇବା ସହ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତେବେ ଏ ନେଇ ବରିଷ୍ଠ ପୁଲିସ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା ।

Comments are closed.