ପଟ୍ଟାମୁଣ୍ଡାଇ :ଜମିବାଡ଼ି ବିବାଦକୁ ନେଇ ସଂଘର୍ଷ ଘଟଣାରେ ୧ କୋର୍ଟ ଚାଲାଣ ମେଡିକାଲରେ ୧ ମୃତ

0

ପଟ୍ଟାମୁଣ୍ଡାଇ ୫/୧୧- ପଟ୍ଟାମୁଣ୍ଡାଇଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜମିବାଡ଼ି ବିବାଦକୁ ନେଇ ଗତ ୨୩ ତାରିଖରେ ଘଟିଥିବା ସଂଘର୍ଷ ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି I ଏହି ସଂଘର୍ଷ ଘଟଣାରେ ଗ୍ରାମାଞ୍ଚଳ ଥାନା ପକ୍ଷରୁ ୪୯୭/୨୬ ଓ ୪୯୮/୨୬ ୨ଟି ମକଦମା ରୁଜୁ କରାଯାଇଥିଲା I ଏହି ଘଟଣାରେ ଗୁରୁତର ଆହତ ତପନ ସାହୁଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି Iତେଵେ ଏହି ସଂଘର୍ଷ ଘଟଣାରେ ପ୍ରମିଳା ସାହୁଙ୍କ ଏତଲାକୁ ଭିତ୍ତି କରି ଥାନା କେଶ ନଂ ୪୯୮/୨୬ ରୁଜୁ କରିଛି Iଏହି ସଂଘର୍ଷରେ ସମ୍ପୃକ୍ତ ସତ୍ୟନାରାୟଣ ସାହୁକୁ ଗିରଫ କରି ଗତ ୨୭ ତାରିଖରେ କୋର୍ଟ ଚାଲାଣ କରାଯାଇଥିବା ଗ୍ରାମାଞ୍ଚଳ ଥାନା ଆଇ ଆଇ ସି ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି I ଏଠାରେ ସୂଚନା ଯୋଗ୍ୟ ଯେ ଦୋଷିଆ ପଂଚାୟତ ଚଢ଼େଇଆ ଗ୍ରାମର ଧନେଶ୍ୱର ସାହୁଙ୍କ ଦୁଇ ପୁଅ ନିର୍ମଳ ସାହୁ, ସତ୍ୟନାରାୟଣ ସାହୁ ଓ ସ୍ତ୍ରୀ ସତ୍ୟଭାମା ସାହୁଙ୍କର ସେହି ଗ୍ରାମର ପ୍ରମିଳା ସାହୁ ସ୍ୱାମୀ ସ୍ବର୍ଗତ ପ୍ରଫୁଲ୍ଲ ସାହୁଙ୍କ ସହିତ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗି ରହିଥିଲା । ଗତ ୨୩ ତାରିଖ ରାତି ୯ଟା ସମୟରେ ପ୍ରମିଳାଙ୍କ ଦିଅର ତପନ କୁମାର ସାହୁ ପିତା √କୃଷ୍ଣଚନ୍ଦ୍ର ସାହୁ ମାଛ ପୋଖରୀ ପାଖକୁ ଯାଇଥିଲେ। ପୂର୍ବରୁ ପୋଖରୀ ନିକଟରେ ଲୁଚି ରହିଥିବା ନିର୍ମଳ ଓ ସତ୍ୟନାରାୟଣ ଲୁହା ରଡ଼ ଓ ଠେଙ୍ଗା ସାହାଯ୍ୟରେ ତପନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ତପନଙ୍କ ମୁଣ୍ଡ ଫାଟିବା ସହିତ ଡାହାଣ ହାତ ପାପୁଲି ଭାଙ୍ଗି ଯାଇଛି। ଏଥି ସହିତ ନିର୍ମଳ ଓ ସତ୍ୟନାରାୟଣ ତପନଙ୍କ ଛାତିକୁ ଗୋଇଠା ମାରିବା ଦ୍ୱାରା ପ୍ରଚୁର ରକ୍ତବାନ୍ତି ହୋଇଥିଲା। ଏହା ଦେଖି ପ୍ରମିଳା ଓ ତାଙ୍କ ଶଶୁର ଘରୁ ବାହାରକୁ ଯିବା ପାଇଁ ଉଦ୍ୟମ କଲାବେଳେ ନିର୍ମଳ ଓ ସତ୍ୟନାରାୟଣ ଘର ବାହାରପଟୁ ତାଲା ପକାଇ ଦେଇଥିଲେ। ପ୍ରମିଳା ଓ ତାଙ୍କ ଶଶୁର ବାଡ଼ି କବାଟ ଖୋଲି ବାହାରକୁ ଆସି ତପନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଥିବା ଦେଖି ଚିତ୍କାର କରିବାରୁ ନିର୍ମଳ ଓ ସତ୍ୟନାରାୟଣ ଜାଗା ଛାଡି ଦୌଡ଼ି ପଳାଇ ଥିଲେ। ଏହି ଗୋଷ୍ଠୀ ସଂଘର୍ଷରେ ଗୁରୁତର ଆହତ ତପନଙ୍କୁ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏ ସମ୍ପର୍କରେ ଦୁଇ ଗୋଷ୍ଠୀ ପକ୍ଷରୁ ପ୍ରମିଳା ସାହୁ ଓ ସୋନାଲି ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଭିନ୍ନ ଭିନ୍ନ ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୋଲିସ ପ୍ରମିଳାଙ୍କ ଅଭିଯୋଗ ଆଧାର ରେ ଥାନା କେଶ ନମ୍ବର ୪୯୮/୨୦୨୬ରେ ମକଦମା ରୁଜୁ କରିଥିବାବେଳେ ସୋନାଲି ସାହୁଙ୍କ ଅଭିଯୋଗ ଭିତ୍ତିରେ ଥାନା କେଶ ନଂ ୪୯୭/୨୬ରେ ମୋକଦମା ରୁଜୁ କରିଥିଲା I ଆଜି କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତପନଙ୍କ ମୃତ୍ୟୁ ଘଟିଛି I ଏହି ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି I

Leave A Reply

Your email address will not be published.