ଗଜପତି, ୫।୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ହୋଇଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ସୀମାନ୍ତବର୍ତ୍ତୀ ୫ଟି ଗ୍ରାମରେ କୌଣସି ଅପ୍ରୀତିକର ପରିସ୍ଥିତି, ଅନଧିକାର ପ୍ରବେଶ କିମ୍ବା ଆଇନଶୃଙ୍ଖଳା ସମସ୍ୟାକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ତେବେ ଏତେ ସବୁ ସତର୍କତା ସତ୍ତ୍ୱେ ଗଙ୍ଗାବାଡ଼ ପଞ୍ଚାୟତ ବାସିନ୍ଦା ଆନ୍ଧ୍ରପ୍ରଦେଶରେ ହୋଇଥିବା ନିର୍ବାଚନରେ ଭୋଟଦାନ କରିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଗଙ୍ଗାବାଡ଼ ପଞ୍ଚାୟତର ୫ଟି ସୀମାନ୍ତ ଗ୍ରାମର ସ୍ଥିତି ଉପରେ ନଜର ରଖିବା ଓ ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପ୍ରଶାସନ ପକ୍ଷରୁ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ସୁଶ୍ରୀ ଭଗତ ଶାମଲ କଲ୍ୟାଣରାଓ, ତହସିଲଦାର, ବିଡିଓ ଶ୍ରୀ ସନ୍ତୋଷ କୁମାର ବାରିକ ଏବଂ ସ୍ୱତନ୍ତ୍ର ଅଧିକାରୀ ପବନ କୁମାରଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଯାଇଥିଲା। ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଗ୍ରାମଗୁଡ଼ିକରେ ରହି ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିଲେ।ଅନ୍ୟପକ୍ଷରେ ସୀମାନ୍ତ ଅଞ୍ଚଳରେ ପୁଲିସ ସୁରକ୍ଷାକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଇଥିଲା। ଏସ୍ଡିପିଓ ମାଧବାନନ୍ଦ ନାୟକ ଓ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକାଙ୍କ ତତ୍ତ୍ୱାବଧାନରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସୀମାନ୍ତ ଗ୍ରାମଗୁଡ଼ିକର ପ୍ରବେଶ ପଥରେ ଯାନବାହନ ଯାଞ୍ଚ କରାଯିବା ସହ ନିୟମିତ ପୁଲିସ ପାଟ୍ରୋଲିଂ ଜାରି ରହିଥିଲା।ସୂଚନାଯୋଗ୍ୟ ଯେ, ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନୀ ପ୍ରଚାର ଏବଂ ସେଠାକାର କିଛି ବାସିନ୍ଦାଙ୍କ ଆନ୍ଧ୍ରରେ ଭୋଟଦାନକୁ ନେଇ ପୂର୍ବରୁ ବିଭିନ୍ନ ସମୟରେ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି। ଏହି ପୃଷ୍ଠଭୂମିରେ ନିର୍ବାଚନ ଦିନ ଓଡ଼ିଶା ସୀମା ମଧ୍ୟରେ କୌଣସି ପ୍ରକାର ଚାପ ପ୍ରୟୋଗ, ଅନଧିକାର ପ୍ରବେଶ କିମ୍ବା ଆଇନଶୃଙ୍ଖଳା ସମସ୍ୟା ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିଲା।
ତେବେ ପ୍ରଶାସନର ଏତେ କଡ଼ା ନଜର ଓ ପୁଲିସ ମୁତୟନ ସତ୍ତ୍ୱେ ଗଙ୍ଗାବାଡ଼ ପଞ୍ଚାୟତର କିଛି ବାସିନ୍ଦା ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭୋଟ ଦେଇଥିବା ଘଟଣା ପୁଣିଥରେ ସୀମାନ୍ତ ଅଞ୍ଚଳର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ବାରମ୍ବାର ହସ୍ତକ୍ଷେପ ଓ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର ପ୍ରୟାସ ନେଇ ଗଜପତି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ଅଧିକ ସୁଦୃଢ଼ କରିବା, ମୌଳିକ ସୁବିଧା ଯୋଗାଇଦେବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରାଜ୍ୟ ପ୍ରତି ଆସ୍ଥା ଓ ଆତ୍ମୀୟତା ବୃଦ୍ଧି କରିବା ଦିଗରେ ସରକାର ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.