ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

0

ଭୁବନେଶ୍ବର: ଏଣିକି ଜାତୀୟ ରାଜପଥ, ଏକ୍ସପ୍ରେସ୍‌ୱେ, ରାଜ୍ୟ ରାଜପଥ ଏବଂ ଜିଲ୍ଲା ମୁଖ୍ୟ ସଡ଼କର ପ୍ରତି ୫୦ କିଲୋମିଟର ଅନ୍ତରରେ ୱେ-ସାଇଡ୍ ଆମିନିଟିସ୍ ସେଣ୍ଟର (ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର) ପ୍ରତିଷ୍ଠା ହେବ। ଏ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ।

ଏହି ସୁବିଧା କେନ୍ଦ୍ରଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଇଭି ଚାର୍ଜିଂ ସୁବିଧା, ପେଟ୍ରୋଲ ପମ୍ପ, ଫୁଡ୍ କୋର୍ଟ, ବିଶ୍ରାମ ଗୃହ ଆଦି ବ୍ୟବସ୍ଥା ରହିବ।ଏହା ଟ୍ରକ୍ ଚାଳକ, ବସ୍ ଯାତ୍ରୀ ଓ ସାଧାରଣ ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରାର ସୁବିଧା ପ୍ରଦାନ କରିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ତୈଳ କମ୍ପାନୀଙ୍କ ସହ ବୁଝାମଣା ସ୍ୱାକ୍ଷର କରିବାର ଯୋଜନା ରହିଛି।ଏଥି ଲାଗି ରାଜ୍ୟ ସରକାର ସ୍ଥାନ ଯୋଗାଇବେ ଏବଂ ତୈଳ କମ୍ପାନୀଗୁଡ଼ିକ ଏହି କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିବେ।ଏହି ପଦକ୍ଷେପ ଓଡ଼ିଶାର ସଡ଼କ ଯାତ୍ରାକୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଆଧୁନିକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର,ପୂର୍ତ୍ତ ବିଭାଗର ଇଆଇସି (ଡିଜାଇନ, ପ୍ଲାନିଂ ଓ କୋର୍ଡିନେସନ) ଇଂ ସମୀର ହୋତା,ଏନ୍‌ଏଚ୍‌ଆଇର ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଦୀପ ଲାଲ, ମୁଖ୍ୟଯନ୍ତ୍ରୀ (ଏନ୍‌ଏଚ୍‌) ଇଂ ନାରାୟଣ ପଟେଲଙ୍କ ସମେତ ପୂର୍ତ୍ତ ବିଭାଗ,ପର‌୍ୟ୍ୟଟନ ବିଭାଗ ଏବଂ ଏଚ୍‌ପିସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.