ପରଲୋକରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ୫୮ ବର୍ଷ ବୟସ​‌ରେ ପରଲୋକ ହୋଇଛି । ଦିଲ୍ଲୀ ଏମ୍‌ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏପରି ସମୟରେ ତାଙ୍କୁ ଭଲପାଉଥିବା ବଲିଉଡର କଳାକର ଓ ତାଙ୍କ ଫ୍ୟାନ୍ସ ମାନେ ରାଜୁଙ୍କୁ ମନେ ପାକାଉଛନ୍ତି । ରାଜୁଙ୍କ ରୁଚି, ପସନ୍ଦ ଓ ନାପସନ୍ଦର କଥା ଅନେକ ଲୋକ କହୁଥିବା ଦେଖିବାକୁ ମଳୁଛି । ରାଜୁ ଶ୍ରୀବାସ୍ତବ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ବହୁତ ବଡ଼ ଫ୍ୟାନ୍ ଥିଲେ  ଏବଂ ସେ ତାଙ୍କୁ ସବୁବେଳେ ନକଲ କରୁଥିଲେ । ବିଗ୍‌ ବିଙ୍କୁ ସେ ବହୁତ ଭଲ ପାଉଥିଲେ ।

ବିଗ୍ ବି’ଙ୍କ ‘ଶୋଲେ’ ଚଳଚ୍ଚିତ୍ର ରାଜୁ ଶ୍ରୀବାସ୍ତବଙ୍କୁ ବହୁତ ପସନ୍ଦଥିଲା । ଖାଲି ସେତିକି ନୁହେଁ ଏହି ଫିଲ୍ମ ତାଙ୍କୁ ପ୍ରଭାବିତ ମଧ୍ୟ କରିଥିଲା । ଏହି ଚଳଚ୍ଚିତ୍ର ଦେଖିବା ପରେ ସେ ଅମିତାଭ ବଚ୍ଚନଙ୍କ ପରି ହେବା ପାଇଁ ଚାହୁଁଥିଲେ । ସେଥିପାଇଁ ବସିବା, ଉଠିବା ଏବଂ ଅଭିତାଭଙ୍କ ପରି କହିବା ଆରମ୍ଭ କରିଥିଲେ । ସେବେଠାରୁ ରାଜୁ ଅମିତାଭ ବଚ୍ଚନଙ୍କ ଅନୁସରଣ କରିବା ଆରମ୍ଭ କରିଥିଲେ । ଅମିତାଭ ବଚ୍ଚନ ମଧ୍ୟ ରାଜୁ ଶ୍ରୀବାସ୍ତବଙ୍କୁ ଖୁବ୍‌ ଭଲ ପାଉଥିଲେ । ଅମିତାଭଙ୍କୁ ଅନୁକରଣ କରିବା ପାଇଁ ତାଙ୍କୁ ପ୍ରଥମ ଥର ପାଇଁ ପୁରସ୍କାର ମଧ୍ୟ ମିଳିଥିଲା । ପୁରସ୍କାର ବାବଦକୁ ସେ ୫୦ଟଙ୍କା ପାଇଥିଲେ ।

ତେବେ ସୂଚନା ଥାଉ କି, ଅଗଷ୍ଟ ୧୦ ତାରିଖରୁ ଏମ୍‌ସରେ ରାଜୁ ଶ୍ରୀବାସ୍ତବଙ୍କ ଚିକିତ୍ସା ଚାଲିଥିଲା । ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ଜିମରେ ବ୍ୟାୟାମ ସମୟରେ ହୃଦଘାତରେ ପୀଡିତ ହୋଇଥିଲେ ରାଜୁ ଶ୍ରୀବାସ୍ତବ ।  ପରେ ପରେ ତାଙ୍କର ସ୍ୱାସ୍ଥାବସ୍ଥାରେ ସ୍ୱଳ୍ପ ଉନ୍ନତି ଆସିଥିଲା । ହେଲେ ପୁଣି ସେ ଗୁରୁତର ହୋଇପଡ଼ିଥିଲେ । ଫଳରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା । କିନ୍ତୁ ଆଜି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ଖବର ଜାଣିବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।

Comments are closed.