*ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତି ଉତ୍ତମ ସେବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦ୍ଵାରା ସମ୍ମାନିତ

0

ଗଜପତି,୧୪.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କୁ ତାଙ୍କର ଉତ୍ତମ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଅପରାଧ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆଙ୍କ ଦ୍ୱାରା ରାଜ୍ୟ ପୋଲିସ ସେବା ଭବନରେ ସମ୍ବର୍ଦ୍ଧିତ କରାଯାଇଛି। ଶ୍ରୀ ଭୂପତି ପାରଳାଖେମୁଣ୍ଡିରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଅନେକ ଜଟିଳ ମାମଲାର ସଫଳତାର ସହ ତଦନ୍ତ କରି ପ୍ରଶଂସା ସାଉଁଟିଛନ୍ତି। ସହରରେ ବିଭିନ୍ନ ଚୋରି ଓ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲାରେ ବ୍ୟାପକ ଭାବେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କାର ନକଲି ଖଇନି ଓ ତମାଖୁ ଜବତ କରିବାରେ ପାରଳାଖେମୁଣ୍ଡି ପୋଲିସ ତାଙ୍କ ନେତୃତ୍ୱରେ ସଫଳ ହୋଇଥିଲା। ଅପରାଧ ନିୟନ୍ତ୍ରଣ ବ୍ୟତୀତ ସେ ଯୁବପିଢ଼ିଙ୍କୁ ସାଇବର ସୁରକ୍ଷା ଏବଂ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଭୂପତି ବ୍ରହ୍ମପୁରର ବଡ଼ବଜାର ଥାନାରେ ଆଇଆଇସି ଥିବା ସମୟରେ ମଧ୍ୟ ଗାଡ଼ି ଚୋରି ରୋକିବା ଏବଂ “ଦାଦାବଟି” ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଶ୍ ଚର୍ଚ୍ଚାରେ ଥିଲେ। ନିଜର ଏହିପରି ଆଖିଦୃଶିଆ ସେବା ପାଇଁ ସେ ପୂର୍ବରୁ ମଧ୍ୟ ପୋଲିସ ବିଭାଗର ଉଚ୍ଚାଧିକାରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି।ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏବଂ ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଦିଗରେ ତାଙ୍କର ଏହି ନିଷ୍ଠାପର ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି, ଯାହା ସମଗ୍ର ଗଜପତି ଜିଲ୍ଲା ପୋଲିସ ବିଭାଗ ପାଇଁ ଏକ ଗର୍ବର ବିଷୟ ଅଟେ । ତାଙ୍କର ଏହି ସଫଳତାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.