ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର

0

ଭଗବାନ ବୁଦ୍ଧଙ୍କ ପ୍ରବର୍ତ୍ତିତ ଧର୍ମଚକ୍ର
===================
ଏ ମାୟା ସଂସାର ଦୁଃଖପୂର୍ଣ୍ଣ। ଏହା ଜାଣି ଦିନେ
ଗୌତମ ଜୀବନରେ ସଂକଳ୍ପ କରିଥିଲେ ମୁଁ ବୁଦ୍ଧ ହେବି ଓ ସଂସାରର ସମସ୍ତ ପ୍ରାଣୀଙ୍କ ଦୁଃଖ ଭାର ମୁଁ ନିଜ ସ୍କନ୍ଧରେ ବହନ କରିବି। ସମସ୍ତ ପ୍ରାଣୀଙ୍କୁ ଜନ୍ମ, ଜରା, ରୋଗ ଓ ମୃତ୍ୟୁରୁ ପରିତ୍ରାଣ କରିବି। ସଂସାରରେ ଯେଉଁ ଧର୍ମ ଓ ମହାଜ୍ଞାନ ଲୁପ୍ତହୋଇ ପଡ଼ିଛି ମୁଁ ତା’ର ପ୍ରଚାର କରି, ପ୍ରାଣୀଙ୍କୁ ପରିତ୍ରାଣ ଓ ପରିନିର୍ବାଣର ପଥ ଦେଖାଇବି,ଏଥିରୁ କେବେ ମଧ୍ୟ ମୁଁ ବିଚ୍ୟୁତ ହେବିନାହିଁ। ଏହି ସଂକଳ୍ପ ନେଇ ସେ ସଂସାର ତ୍ୟାଗ କଲେ ଓ ସାଧନା କରି ସିଦ୍ଧି ଲାଭ କରି ବୁଦ୍ଧ ହେଲେ।
ଗୌତମ ବୁଦ୍ଧତ୍ୱ ଲାଭ କଲା ପରେ ଚାହିଁଲେ ସେ ପ୍ରଥମେ ତାଙ୍କ ସନ୍ନ୍ୟାସ ଗୁରୁ ଆଲାର କାଲାମଙ୍କ ନିକଟରେ ତାଙ୍କ ଉପଲବ୍ଧ ନୂତନ ଜ୍ଞାନର ପ୍ରଚାର କରିବେ। କିନ୍ତୁ ସେତେ ବେଳକୁ ଆଲାର କାଲାମ ଆଉ ସଂସାରରେ ନଥିଲେ। ଏଣୁ ସେ ସ୍ଥିର କଲେ ସେ ଯୋଗ ଶିକ୍ଷା କରିଥିବା ତାଙ୍କର ଦ୍ୱିତୀୟ ଗୁରୁ ଉଦ୍ଦକ ରାମପୁତ୍ରଙ୍କ ନିକଟରେ ଯାଇ ତାଙ୍କ ଜ୍ଞାନର ପ୍ରଚାରକରିବେ। କିନ୍ତୁ ସେ ମଧ୍ୟ ଆଉ ସଂସାରରେ ନଥିଲେ। ଏହାପରେ ସେ ନିରଞ୍ଜନା ନଦୀକୂଳରେ ତପସ୍ୟା କରୁଥିବା ବେଳେ ଯେଉଁ ପାଞ୍ଚ ଜଣ ସାଧୁ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କପାଖକୁ ଯାଇ ସେ ନିଜର ଧର୍ମପ୍ରଚାର କରିବାକୁ ସ୍ଥିର କଲେ।
ଜଣାପଡ଼ିଲା ଯେ ସେତେବେଳେ ସେହି ପାଞ୍ଚଜଣ ସନ୍ନ୍ୟାସୀ ଯାଇ ବାରାଣାସୀ ନିକଟ ରୁଷିପତ୍ତନର ମୃଗବନରେ ତପସ୍ୟା କରୁଛନ୍ତି। ଏଣୁ ବୁଦ୍ଧ ଗଙ୍ଗା କୂଳେ କୂଳେ ଚାଲିଚାଲି ଅଠଚାଳିଶ କୋଶ ଦୂର ଋଷିପତ୍ତନରେ ସେମାନଙ୍କ ପାଖରେ ପହଞ୍ଚିଲେ। ଦୂରରୁ ସେହି ପଞ୍ଚ ସନ୍ନ୍ୟାସୀ ତାଙ୍କୁ ଦେଖି ନେ଼ଇ କୁହା କୁହି ହେଲେ, ଦେଖ, ଶ୍ରମଣ ଗୌତମ ନିଜ ସାଧନାରୁ ଭ୍ରଷ୍ଠ ହୋଇ, ବିଳାସ ବାସନାରେ ଲିପ୍ତ ହୋଇ ଇଆଡ଼େ ଆସୁଛି । ସେମାନେ ସ୍ଥିର କଲେ ଆମେ ତାକୁ କେହି ସମ୍ମାନ କରିବା ନାହିଁ।
ବୁଦ୍ଧ ସେମାନଙ୍କ ପାଖରେ ପହଞ୍ଚିଲେ। ସେମାନେ ବୁଦ୍ଧଙ୍କୁ ଦେଖିବା ମାତ୍ରେ ତାଙ୍କ ହୋଇଥିବା କଥାକୁ ଭୁଲି ବୁଦ୍ଧଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସତ୍କାର କରି ଆସନରେ ବସେଇଲେ। ତାଙ୍କୁ, ଗୌତମ ବୁଦ୍ଧତ୍ତ୍ଵ ଲାଭ କରିଛନ୍ତି ଓ ତାଙ୍କ ପାଖକୁ ଧର୍ମପ୍ରଚାର ପାଇଁ ଆସିଛନ୍ତି ବୋଲି କହିଲେ । ଅନେକ ସମୟ ଧରି ବୁଝାଇବା ପରେ, ତାଙ୍କ ସମ୍ବନ୍ଧରେ ସେମାନଙ୍କର ଧାରଣା ପରିବର୍ତ୍ତନହେଲା। ଶେଷରେ ସେମାନେ ଗୌତମଙ୍କ ଠାରୁ ଧର୍ମୋପଦେଶ ଗ୍ରହଣ କରିବେ ବୋଲି ରାଜି ହେଲେ।
ବୁଦ୍ଧ ତାଙ୍କ ଧର୍ମୋପଦେଶ ଦେବା ଆରମ୍ଭ କଲେ। ପ୍ରଥମେ ସେ ସେମାନଙ୍କୁ ଅଷ୍ଟାଙ୍ଗମାର୍ଗ ଯଥା ସତ୍ ଭାବନା, ସତ୍ ସଂକଳ୍ପ, ସତ୍ ବାକ୍ୟ, ସତ୍ କାର୍ଯ୍ୟ, ସତଜୀବିକା,ସତ୍ ପରିଶ୍ରମ, ସତ୍ ସ୍ତୁତି ଏବଂ ସତ୍ ସମାଧି ବିଷୟରେ ବୁଝାଇଲେ । ଏହା ପରେ ସେ କହିଲେ ଏହି ପଥରେ ଚାଲିବାକୁହେଲେ ପ୍ରଥମେ ଏ ସଂସାର କଅଣ ବୁଝିବାକୁ ହେବ। ଏ ସଂସାର ହେଉଛି ଦୁଃଖମୟ । ଏଠି ଜନ୍ମ, ଜରା ଓ ମରଣ ସବୁ ଦୁଃଖ। ଏଠାରେ ଅପ୍ରିୟ ବସ୍ତୁ ଲାଭ କରିବା ଦୁଃଖ, ପ୍ରିୟ ବସ୍ତୁ ହରାଇବା ଦୁଃଖ ପୁଣି କୌଣସି ବସ୍ତୁ ଇଚ୍ଛା କରି ନ ପାଇବା ମଧ୍ୟ ଏକ ଦୁଃଖ । ଏ ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ। ସମସ୍ତ ବସ୍ତୁ ଅସ୍ଥାୟୀ। ଏହି ଅସ୍ଥାୟୀ ବସ୍ତୁ ଲାଭକରିବାର କାମନାହିଁ ଏ ଦୁଃଖର କାରଣ। କାମନାର ବିନାଶ କରି ପାରିଲେ ଦୁଃଖର ବିନାଶ ହେବ।
କିନ୍ତୁ କାମନାର ବିନାଶ ହେବାର ଉପାୟ କଅଣ। ଏହା ବୁଝାଇବାକୁ ଯାଇ, ଉପର ବର୍ଣ୍ଣିତ ଅଷ୍ଟାଙ୍ଗୀ ମାର୍ଗକୁ ବୁଦ୍ଧ ଏକ ଏକ କରି, ସବିସ୍ତାରେ ବୁଝାଇ ଦେଲେ। ବୁଦ୍ଧଙ୍କ ଉପଦେଶ ଶେଷ ହେବା ପରେ ଏହି ପାଞ୍ଚଜଣ ଭିକ୍ଷୁଙ୍କ ମଧ୍ୟରୁ କୌଣ୍ଡିନ୍ୟ ପ୍ରଥମେ ଜ୍ଞାନ ଲାଭକରି, ବୁଦ୍ଧଙ୍କର ପ୍ରଥମ ଶିଷ୍ୟ ହେଲେ। ଆଉ କେତେ ଥର ବୁଦ୍ଧଙ୍କ ଉପଦେଶ ଗ୍ରହଣ କରି ପରେ ଜ୍ଞାନ ଲାଭକଲେ, ବପ୍ପ, ଉଦ୍ଦିୟ, ମହନାମ ଓ ଅଶ୍ଵଜିତ୍। ଏହି ପାଞ୍ଚଜଣ ଶିଷ୍ୟଙ୍କୁ ନେଇ ବୁଦ୍ଧ ତାଙ୍କର ପ୍ରଥମ ଭିକ୍ଷୁ ସଂଘ ସ୍ଥାପନ କଲେ।
ବୁଦ୍ଧଙ୍କର ସେହି ପ୍ରଥମ ଧର୍ମ ଉପଦେଶ ଧର୍ମଚକ୍ର ପ୍ରବର୍ତ୍ତନସୂତ୍ର ନାମରେ ପ୍ରସିଦ୍ଧ। ପ୍ରାଚୀନ କାଳରୁ ଧର୍ମକୁ ଏକ ଚକ୍ର ଭାବରେ କଳ୍ପନା କରାଯାଇଛି। କାରଣ ଚକ୍ର ଯେଉଁପରି ଗତିଶୀଳ ଏଵଂ ଯାହାର ଆରମ୍ଭ ନାହିଁ କି ଅନ୍ତ ନାହିଁ, ଧର୍ମ ମଧ୍ୟ ସେହିପରି ଗତିଶୀଳ ଏବଂ ତାହାର ଆରମ୍ଭ ନାହିଁକି ବିଲୟ ନାହିଁ। ଅନନ୍ତକାଳରୁ ଧର୍ମ ଏକ ପ୍ରବହମାନଧାରା ରୂପେ ଚାଲିଆସିଛି, ଚାଲି ଥିବ ମଧ୍ୟ। ଜଗତରେ
ଧର୍ମ ହିଁ ସତ୍ୟ ଓ ଶାଶ୍ୱତ। ଯେତେବେଳେ ଧର୍ମର ଗ୍ଳାନି ହୁଏ ଏବଂ ଧର୍ମ ଭିତରକୁ ନାନା କୁସଂସ୍କାର ପଶି ଆସେ, ସେହି ସମୟରେ, କେହି ନାଁ କେହି ଜଣେ ମହାପୁରୁଷଙ୍କ ଆବିର୍ଭାବ ହୋଇଥାଏ ପୁଣି ଏହାକୁ ସଜାଡ଼ି ଦେବାକୁ। ଏହି ଧାରାରେ ଦିନେ ଆମ ଏ ଭାରତ ବର୍ଷରେ ଆବିର୍ଭାବ ହୋଇଥିଲା ଭଗବାନ ବୁଦ୍ଧଙ୍କର।
ଭଗବାନ ବୁଦ୍ଧ ପ୍ରଥମେ ଯେଉଁ ମୃଗବନରେ ତାଙ୍କ ଧର୍ମଚକ୍ର ପ୍ରବର୍ତ୍ତନ କଲେ ତାହା ଏବେ ସାରନାଥ ନାମରେ ପ୍ରସିଦ୍ଧ। ବୁଦ୍ଧଙ୍କ ମୃତ୍ୟୁର ତିନିଶହ ବର୍ଷ ପରେ ସମ୍ରାଟ ଅଶୋକ ଏହି ଧର୍ମଚକ୍ର ଓ ସ୍ଥାନକୁ ସ୍ମରଣୀୟ କରିବାପାଇଁ ସେଠାରେ ଗୋଟିଏ ସ୍ତମ୍ଭ ନିର୍ମାଣ କରିଥିଲେ। ସେହି ସ୍ତମ୍ଭରେ ସେ ଚବିଶଟି ଅର ବିଶିଷ୍ଟ ଧର୍ମର ପ୍ରତୀକ ଭାବେ ଗୋଟିଏ ଚକ୍ର ଖୋଦେଇ କରିଥିଲେ। ଅଶୋକଙ୍କ ନିର୍ମିତ ସେହି ସ୍ତମ୍ଭ ବର୍ତ୍ତମାନ ସାରନାଥ ସଂଗ୍ରହାଳୟରେ ରଖା ଯାଇଛି। ସେହି ସ୍ତମ୍ଭରେ ଥିବା ଧର୍ମଚକ୍ର ଭାରତର ଜାତୀୟ ପତାକାରେ ସ୍ଥାନ ପାଇଛି।
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Leave A Reply

Your email address will not be published.