ପାକିସ୍ତାନରେ ଜରୁରୀ ଔଷଧ ଅଭାବ

ଇସଲାମାବାଦ : ଆର୍ଥିକ ଦୁଃସ୍ଥିତି ଦେଇ ଗତିକରୁଥିବା ପାକିସ୍ତାନରେ ଖାଦ୍ୟ, ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅଭାବ ଦେଖାଯାଇଥିବାବେଳେ ଏବେ ଜରୁରୀ ଔଷଧର ଅଭାବ ଦେଖାଯାଇଛି । ପାକିସ୍ତାନ ଔଷଧ ବିକ୍ରେତାଙ୍କ କହିବାନୁଯାୟୀ ଇନ୍‌ସୁଲିନ, ଡିସ୍‌ପ୍ରିନ୍, କାଲ୍‌ପୋଲ, ହେପାମେର୍ଜ, ରିଭୋଟ୍ରିଲ, ଟେଗ୍ରାଲ ଭଳି ଜରୁରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଔଷଧର ଅଭାବ ଦେଖାଯାଇଛି । ଏହାକୁ ନେଇ ଦେଶରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ପାକିସ୍ତାନ ଔଷଧ କମ୍ପାନୀଗୁଡ଼ିକ ପ୍ରସ୍ତୁତ କରୁଥିବା ଔଷଧ ନିମନ୍ତେ ଆବଶ୍ୟକ କଞ୍ଚାମାଲର ୯୫ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ଦେଶରେ ବିଦେଶ ମୁଦ୍ରାପାଣ୍ଠି ଅଭାବ ଥିବାରୁ ବିଦେଶରୁ କଞ୍ଚାମାଲ ଆମଦାନୀ ହୋଇପାରୁନାହିଁ । ବିଶେଷକରି ଚୀନ୍‌ ଓ ଭାରତରୁ ଔଷଧ ତିଆରି ପାଇଁ କଞ୍ଚାମାଲ ଆମଦାନୀ ହୋଇଥାଏ। କଞ୍ଚାମାଲ ଅଭାବରୁ ଔଷଧ କମ୍ପାନୀଗୁଡ଼ିକ ଆବଶ୍ୟକ ମୁତାବକ ଔଷଧ ତିଆରି କରିପାରୁନାହାନ୍ତି । ତେଣୁ ଲୋକେ ଏବେ ଦୁଃଖ ଯନ୍ତ୍ରଣାରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଉ କେତେକ ଜରୁରୀ ଔଷଧ ଅଭାବରୁ ଡାକ୍ତରଖାନାରେ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇ ପାରୁନାହିଁ । ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରିଡିଏଣ୍ଟ୍‌ସ (ଏପିଆଇ) ଏବେ ଘରୋଇ ଉତ୍ପାଦ ଉପରେ ନିର୍ଭର କରୁଛି।

Comments are closed.