ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ: ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କଲେ ଆରଡିସି

ପଦ୍ମପୁର: ପଦ୍ମପୁରବାସୀଙ୍କ ସ୍ବପ୍ନ ସାକାର ହେବ। ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୁପଣ ପାଇଁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିସନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଆଜି ପଦ୍ମପୁର ପରିଦର୍ଶନ କରିଛନ୍ତି। ଶ୍ରୀ ଦଳାଇ ଚିରୋଲି କାର୍ଯ୍ୟାଳୟ, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ଚିହ୍ନଟ ସହ ସମୀକ୍ଷା ମଧ୍ୟ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ, ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ ସରକାରୀ କ୍ବାର୍ଟର ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଦୃଷ୍ଟିରୁ ସ୍ଥାନ ଗୁଡ଼ିକ କେତେ ଦୂର ଉପଯୁକ୍ତ ସେନେଇ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।

ସ୍ଥାନ ନିରୂପଣ ୧୧ ଜଣିଆ କମିଟିରେ ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ଆଲୋକ ପଟେଲ, ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ପୂର୍ତ୍ତ ଡିଭିଜନ ବରଗଡ, ଅଧୀକ୍ଷଣ ଯନ୍ତ୍ରୀ (ଗ୍ରାମ୍ୟ ଉନ୍ନୟନ ବିଭାଗ ପଦ୍ମପୁର), ସିଡିଏମ୍‌ (ପିଏଚ ବରଗଡ), ତହସିଲଦାର (ପଦ୍ମପୁର), ଅଧୀକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ବରଗଡ଼), ନିର୍ବାହୀ ଯନ୍ତ୍ରୀ (ପିଏଚ ବରଗଡ଼), ପଦ୍ମପୁର ଏନଏସିର ନିର୍ବାହୀ ଅଧିକାରୀ ରହିଛନ୍ତି। ସ୍ଥାନ ନିରୂପଣ କମିଟି ସହ ବିଷଦ ଆଲୋଚନା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଅନ୍ବେଷା ହଷ୍ଟେଲ ପଡ଼ିଆ ପରିଦର୍ଶନ  ସମୟରେ ଶ୍ରୀ ଦଳାଇ ଅନ୍ବେଷା ହଷ୍ଟେଲ ପରିଦର୍ଶନର ଛାତ୍ରୀମାନଙ୍କୁ ଭେଟିଥିଲେ। ସେଠାରେ ସେ ସମସ୍ତ ସୁବିଧା ଅସୁବିଧା ବୁଝିଥିଲେ। ପରେ ଡ. ଦଳାଇ ନୃସିଂହନାଥ ଯାଇ ପ୍ରଭୁ ଶ୍ରୀନୃସିଂହନାଥଙ୍କ ଦର୍ଶନ କରି ଓ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିଲେ। ସେହିଦିନ ସେ ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ରେ ନିର୍ବାଚନୀ ସଭା କରିଥିଲେ। ପ୍ରତି ସଭାରେ ସେହି ବ୍ଲକ୍‌ର ଦାବି ମୁତାବକ ଘୋଷଣା କରିଥିଲେ। ଝାରବନ୍ଧଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାକ୍‌ଦର୍ହା ଡ୍ୟାମ୍‌ର ଉନ୍ନତୀକରଣ ହେବ ବୋଲି ଘୋଷଣା କରିଛନ୍ତି। ଏହାବାଦ୍‌ ବହୁ ଦିନର ଦାବି ଥିବା ଉଚ୍ଚକ୍ଷମତା ସଂପନ୍ନ ଗ୍ରିଡ୍‌ ପାଇଁ ଶୀଘ୍ର କାମ ହେବ। ଏହାପରେ ସେ ପାଇକମାଳଠାରେ ଆୟୋଜିତ ସମାବେଶରେ ଯୋଗ ଦେଇ ପାଇକମାଳକୁ ଏନ୍‌ଏସିରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ। ଏହାବାଦ୍‌ ଗୋଷ୍ଠୀ କେନ୍ଦ୍ର ମଧ୍ୟ ସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ ଘୋଷଣା କରିଥିଲେ। ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ପ୍ରକ୍ରିୟା ସରିବ ବୋଲି କହିଥିଲେ।

Comments are closed.