ଜାନୁଆରି ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ; ଚୂଡାନ୍ତ ହେଲା ଯଜ୍ଞ ସ୍ଥାନ, ମାପଚୁପ କାର୍ଯ୍ୟ ଶେଷ

ପୁରୀ: ଆସନ୍ତା ଜାନୁଆରି ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆୟୋଜନ ହେବ। ସେଥିପାଇଁ ଜାନୁଆରି ୧୨ ତାରିଖ ଠାରୁ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। କେଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ  ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀମାନେ ପରିଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ଯଜ୍ଞ ହେବାନେଇ ଚୂଡାନ୍ତ ହେବାପରେ ମାପଚୁପ କାର୍ଯ୍ୟ ମଧ୍ୟ ଆଜି ଶେଷ ହୋଇଛି।

ତେବେ ଜାନୁଆରି ୧୭ ତାରିଖରେ କର୍ତ୍ତା ଭାବେ ଯୋଗଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେବେ। ଚାରିଦୁଆରରେ ଚାରିବେଦର ପାଠ ମଧ୍ୟ କରାଯିବ। ଏଥିସହ ସାଧୁସନ୍ଥ ଓ ମଠାଧୀଶଙ୍କ ଦ୍ବାରା ୨୪ ଘଣ୍ଟିଆ ଅଖଣ୍ଡ ନାମ ସଂକୀର୍ତ୍ତନ କରାଯିବ। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁଆରି ୧୭ରେ ସମାହିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.