‘ଓୟୁଟିଆର’ ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୭ରେ, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇସିଏସ୍ ମହାନିର୍ଦେଶକ

ଭୁବନେଶ୍ୱର : ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର) ର ପ୍ରଥମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୭ ତାରିଖ (ମଙ୍ଗଳବାର) ଅନୁଷ୍ଠିତ ହେବ। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ସଭାପତିତ୍ୱ କରିବେ। ବିଶ୍ୱବିଦ୍ୟାଳୟ ପରିସରରେ ୨୭ ତାରିଖ ପୂର୍ବାହ୍ନରେ ଏହି ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ କହିଛନ୍ତି।

ପ୍ରଫେସର ବିଶ୍ୱାଳ କହିଛନ୍ତି ଯେ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ିଆରଡ଼ିଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ସିଷ୍ଟମ୍ (ଇସିଏସ୍) ମହାନିର୍ଦେଶକ ଡ଼. ବିନୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ ସଚିବ ଉଷା ପାଢୀ ପ୍ରମୁଖ ଯୋଗଦେବେ। ସମାବର୍ତ୍ତନ ଉତ୍ସବର ସ୍ୱତନ୍ତ୍ର ମଞ୍ଚରେ ବିଟେକ୍ ଆର୍କିଟେକ୍ରେ ୨୬, ବ୍ୟାଚଲର ଅଫ୍ ପ୍ଲାନିଂରେ ୪୫, ବିଟେକର ସର୍ବାଧିକ ୧୩୬୧, ଇଣ୍ଟିଗ୍ରେଟେଡ଼୍ ଏମ୍ଏସ୍ସିରେ ୬୪, ଏମସିଏରେ ୮୯, ଏମ୍ଏସ୍ସିରେ ୧୧୦, ଏମଟେକ୍‌ରେ ୩୧୬ ଓ ଏମ୍ପ୍ଲାନରେ ୨୬ ଜଣଙ୍କୁ  ସାର୍ଟିଫିକେଟ୍ ପ୍ରଦାନ କରାଯିବ।

୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷର ମୋଟ ୨୦୯୨ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଡ଼ିଗ୍ରୀ ସାର୍ଟିଫିକେଟ୍ ଦେବେ। ବିଶ୍ୱବିଦ୍ୟାଳୟର ଦୁଇ ବର୍ଷ ଧରି ୬ ଟପ୍ପରଙ୍କୁ ସ୍ୱର୍ଣ୍ଣପଦକ ଦିଆଯିବ। ସବୁ ବିଭାଗରେ ଟପ୍ପରଙ୍କୁ ୬୪ ଟି ରୌପ୍ୟ ମେଡ଼ାଲ ଦିଆଯିବ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, କର୍ମଚାରୀଙ୍କ ସହ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳସଚିବ ରେଣୁପ୍ରଭା ନାୟକ ସୂଚନା ଦେଇଛନ୍ତି।

Comments are closed.