ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

0

ପିପିଲି : ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଗତ ସରକାରଗୁଡ଼ିକର ଅଦୂରଦର୍ଶିତା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ କାରିଗରମାନେ ବର୍ଷ ବର୍ଷ ଧରି ନିଜର ହକ୍‌ରୁ ବଞ୍ଚିତ ହେଉଥିଲେ । ଆଜିର ଏହି ଶିଳାନ୍ୟାସ ସେହି ସ୍ୱାର୍ଥପର ରାଜନୀତି ବିରୁଦ୍ଧରେ ଏକ ଦୃଢ଼ ଜବାବ ବୋଲି ମତଦେଇ ଆମ ସରକାର କେବଳ ଶିଳାନ୍ୟାସ କରେନାହିଁ, ବରଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରି ଉଦ୍‌ଘାଟନ କରିବାର ରେକର୍ଡ ରଖିଛି ବୋଲି ମୁଖ୍ୟମନ୍ତୀ ମୋହନ ଚରଣ ମାଝୀ ପିପିଲି ଠାରେ ଆୟୋଜିତ ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ର ଶିଳାନ୍ୟାସ କରିବା ଅବସରରେ ପ୍ରକାଶ କରିଛନ୍ତି । ପିପିଲିର ଜବାହର ବିଦ୍ୟାପୀଠ ଖେଳପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗୁରୁବାର ସଂନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ର ସୁଇଚ୍‍ ଟିପି ଶିଳାନ୍ୟାସ କରିଥିଲେ । ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ସମନ୍ୱିତ “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ। କାରିଗରମାନଙ୍କୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ପାଇଁ ଏଠାରେ ଏକ କଞ୍ଚାମାଲ ବ୍ୟାଙ୍କ ସ୍ଥାପନ କରାଯିବ। ଏହାସହ ଇ-କମର୍ସ ଯୁଗକୁ ଲକ୍ଷ୍ୟ କରି କାରିଗର, ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ଓ ଭଉଣୀମାନଙ୍କୁ ଡିଜିଟାଲ୍ ମାର୍କେଟିଂ ଏବଂ ପ୍ୟାକେଜିଂର ପ୍ରଶିକ୍ଷଣ ଦିଆଯାଇ ସଶକ୍ତ କରାଯିବ। ଜିଆଇ ମାନ୍ୟତାପ୍ରାପ୍ତ ଏହି ବିଶ୍ୱପ୍ରସିଦ୍ଧ କଳାର ସୁରକ୍ଷା, ସଂରକ୍ଷଣ, ପ୍ରସାର, ଆଧୁନିକକରଣ ଓ ବ୍ୟବସାୟିକ ବୃଦ୍ଧି ପାଇଁ ଏହା ଏକ ଭଲ ପଦକ୍ଷେପ ଓ ଆଗାମୀ ଦିନରେ ସାରା ବିଶ୍ୱଦେଖିବ ଏହି ପିପିଲି ହସ୍ତକଳାକୁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ ଫର ଲୋକାଲ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ପିପିଲି ଚାନ୍ଦୁଆକୁ ବିଶ୍ୱ ବଜାର ସହ ଯୋଡ଼ିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୩୬ ଓଡ଼ିଶା ଗଠନର ଶତବାର୍ଷିକୀ ଓ ୨୦୪୭ ସ୍ୱାଧୀନତାର ଶତବର୍ଷ ପୂର୍ତ୍ତିକୁ ଆଖି ଆଗରେ ରଖି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ଏହି ହବ୍ ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଶ୍ୱର ପ୍ରତ୍ୟେକ କୋଣରେ ପିପିଲିର ହସ୍ତକଳା ପହଞ୍ଚିବା ଆମର ଲକ୍ଷ୍ୟ ଓ ଏହାଦ୍ୱାରା ବିଶ୍ୱ ଦରବାରରେ ଓଡିଆ ଅସ୍ମିତାର ଜୟଜୟକାର ହେବ । ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ପିପିଲିର ଏହି ଚାନ୍ଦୁଆ ହସ୍ତଶିଳ୍ପ ହବ୍‍ ଏକ ଦୃଢ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

୪୦ ବର୍ଷ ତଳେ ପିପିଲିକୁ ଏକ ଚାନ୍ଦୁଆ କିଣିବାକୁ ଆସିଥିବାର ଅନୁଭୂତିକୁ ମୁଖ୍ୟମନ୍ତ୍ରୀ ମନେ ପକାଇ ପିପିଲି ଚାନ୍ଦୁଆର ଗୁରୁତ୍ୱ ସଂପର୍କରେ ପ୍ରକାଶ କରିଥିଲେ । ରାମେଶ୍ୱର ଠାରୁ ପାରାଦୀପ ଉପକୂଳ ରାଜପଥ ନିର୍ମାଣ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ନିର୍ମାଣ ଦ୍ୱାରା ଏହି ଚାନ୍ଦୁଆ ହବ୍କୁ ଗମନାଗମନ କ୍ଷେତ୍ରରେ ଓ ଅର୍ଥନୈତିକ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପୂର୍ବ ସରକାର ଓ ଅନ୍ୟ ବିରୋଧିଦଳକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସମାଲୋଚନା କରିବା ସହ ଆମ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି ପ୍ରକାଶ କରିଥିଲେ । ଶତାବ୍ଦୀ ଶତାବ୍ଦୀ ଧରି ନିଜ ନିଜର ନିପୁଣ କଳା ସୃଷ୍ଟି ମାଧ୍ୟମରେ ଓଡିଆ ଜାତିକୁ ସମୃଦ୍ଧ କରିଆସୁଥିବା ଛୁଂଚି ସୁତାର ଯାଦୁଗର ପିପିଲି ଚାନ୍ଦୁଆ କାରିଗରମାନଙ୍କୁ ସେମାନଙ୍କର ପ୍ରକୃତ ସମ୍ମାନ, ଅଧିକାର ଓ ବିଶ୍ୱସ୍ତରୀୟ ମଂଚ ପ୍ରଦାନ କରିବ।ରେ ପିପିଲି ଚାନ୍ଦୁଆ ହବର ଶିଳାନ୍ୟାସ ଏକ ସଂକଳ୍ପବଦ୍ଧ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ ଯେ, ପିପିଲି ଚାନ୍ଦୁଆ ହେଉଛି ଓଡିଶାର ଗର୍ବ ଓ ଗୌରବ। ଏହା ଆମ ପାରମ୍ପରିକ ଐତିହ୍ୟର ସୌରଭ। ଆମ ଅସ୍ମିତାର ନିଦର୍ଶନ। ଏହି ଚାନ୍ଦୁଆ ହବ୍ ପିପିଲିର ଅର୍ଥନୀତିକୁ ନୂଆ ଶକ୍ତିଦେବ। ରାଜ୍ୟର ପ୍ରତିଟି କାରିଗର ଓ ବୁଣାକାରଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧତାର ସହ କାମ କରୁଛନ୍ତି। ବୁଣାକାର ଓ କାରିଗର ମାନଙ୍କର ଜୀବନ ଜୀବିକାର ସମୃଦ୍ଧି ପାଇଁ କଞ୍ଚାମାଲ, ବିପଣନ ଓ ଭିତ୍ତିଭୂମି ବିକାଶକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଥିଲେ। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପିପିଲିବାସୀଙ୍କର ବହୁ ଦିନର ଆଶା ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ଭୁବନେଶ୍ବର-କଟକ-ପୁରୀ-ପାରାଦୀପର ସାମଗ୍ରିକ ବିକାଶ ସହିତ ଓଡିଶାର ଆର୍ଥିକ ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଠାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରି ପିପିଲିବାସୀଙ୍କୁ ଏହି ଅମୂଲ୍ୟ ଭେଟି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ। ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ପୁରୀ ଜିଲ।ପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କ ଦୁଇ ବର୍ଷପୂର୍ତି ଅବସରରେ ପୁରୀ ସାଂସଦ ଓ ପିପିଲି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ।

Leave A Reply

Your email address will not be published.