ଭୁବନେଶ୍ବର : ଭୋଗରାଇ ଝାଉଁ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଇଣ୍ଡୋନେସିଆ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବରରେ ଇଣ୍ଡୋନେସିଆର ଏକ ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଏହି ୫ଟି ଓରାଙ୍ଗଉଟାନ ନନ୍ଦନକାନନ ଜାତୀୟ ଉଦ୍ୟାନରେ ରହିଛନ୍ତି। ସେଠାରେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ସୁରକ୍ଷା ଯୋଗାଇ ଦିଆଯାଉଛି। ଅନୁରୂପ ଭାବେ, ଭାରତରେ ଉଦ୍ଧାର ହୋଇଥିବା ସୁମାତ୍ରା ପ୍ରଜାତିର ଏକ ଶାବକ ଓରାଙ୍ଗଉଟାନକୁ ଇଣ୍ଡୋନେସିଆ ଫେରାଇ ନିଆଯାଇଛି। ୨୦୨୪ ନଭେମ୍ବରରେ ଗୁଜରାଟରୁ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍କୁ ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଓ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ ପରିଚାଳନା କର୍ତ୍ତୃପକ୍ଷଙ୍କ ସମନ୍ୱିତ ପ୍ରୟାସରେ ଫେରାଇ ଦିଆଯାଇଛି। ଗୁଜରାଟରୁ ଉଦ୍ଧାର ଓରାଙ୍ଗଉଟାନ ଇଣ୍ଡୋନେସିଆ ଫେରିଗଲା ପରେ ଓଡ଼ିଶାରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି। ସେହିପରି, ଓରାଙ୍ଗଉଟାନ ଉଦ୍ଧାର ମାମଲାକୁ ଦେଢ଼ ମାସ ବିତି ଯାଇଛି। ହେଲେ ଓରାଙ୍ଗଉଟାନ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ତର୍ଜାତୀୟ ୱାଇଲ୍ଡଲାଇଫ୍ ରାକେଟ୍ର ମାଫିଆଙ୍କ ପତ୍ତା ପାଉନି କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ୍)। ଦିନ ଗଡ଼ୁଥିବା ବେଳେ ତଦନ୍ତକାରୀ ସଂସ୍ଥାର ତନାଘନା ଧିମେଇ ଯାଇଛି। ସମ୍ପୃକ୍ତ ଥିବା ଏକାଧିକ ମାଫିଆଙ୍କୁ ଏସଟିଏଫ୍ ଚିହ୍ନଟ କରିଥିବା ବେଳେ ସେମାନେ ଫେରାର୍ ରହିଛନ୍ତି। ସନ୍ଦେହଘେରରେ ଥିବା ଦୀଘାର ହୋଟେଲ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ଏବେ ବି ଫେରାର୍ ରହିଛନ୍ତି। ରହସ୍ୟ ଖୋଲୁନଥିବାରୁ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ିବାକୁ ପ୍ରକ୍ରିୟା ଆରମ୍ଭ କରିଛି।
Sign in
Sign in
Recover your password.
A password will be e-mailed to you.
Comments are closed.