ଗଜପତି,୨୬.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ ଜାତୀୟ ସମ୍ବିଧାନ ଦିବସ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇ ସମ୍ବିଧାନର ମୂଳ ଆଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସୁଶ୍ରୀ ଭଗତ ସାମଲ କଲ୍ୟାଣ ରାଓ ଏବଂ ଏସିଏଫ୍ ଶ୍ରୀ ଗୋବିନ୍ଦରାମ ଏ.ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ।
Advertisement
ଏହି ଅବସରରେ ସମସ୍ତେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରି ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ଅକ୍ଷୁଣ୍ଣ ରଖିବା ସହ ସମ୍ବିଧାନର ମୂଲ୍ୟବୋଧ ଓ ନୀତିନିୟମ ପ୍ରତି ସର୍ବଦା ନିଷ୍ଠାବାନ ରହିବାକୁ ସଂକଳ୍ପ ନେଇଥିଲେ।ସେହିପରି ଜିଲ୍ଲା ପରିଷଦ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।ଏହି ଅବସରରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ପ୍ରଣୟନ ଇତିହାସ ଏବଂ ମୌଳିକ ଆଦର୍ଶ ସମ୍ପର୍କରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ବାବାସାହେବ ଡ. ବି.ଆର୍.
ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପ୍ରଣୟନ ସମିତି ଭାରତୀୟ ସମ୍ବିଧାନ ପ୍ରସ୍ତୁତ କରିଥିବା ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା।ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଦେଶର ପ୍ରତ୍ୟେକ ନାଗରିକ ସମାନ ଅଧିକାର ଓ ମର୍ଯ୍ୟାଦାର ଅଧିକାରୀ ବୋଲି ମତପ୍ରକାଶ ପାଇଥିଲା। ଭାରତୀୟ ସମ୍ବିଧାନ ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର ଓ ସାମାଜିକ ନ୍ୟାୟର ମୂଳ ଆଧାର ଅଟେ। ଏଣୁ ସମ୍ବିଧାନର ଆଦର୍ଶକୁ କେବଳ ଦିବସ ପାଳନରେ ସୀମିତ ନରଖି ଦୈନନ୍ଦିନ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ଅନୁସରଣ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।