ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ଅର୍ଜୁନ ପୁରସ୍କାର

ଶରତ କମଲ ଖେଳରତ୍ନ, କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ବର/ନୂଆଦିଲ୍ଲୀ : ଭାରତୀୟ ମହିଳା ହକି ଦଳର ପ୍ରାଚୀର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ପାଇବେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ’ ପୁରସ୍କାର କିନ୍ତୁ ମିଳିବ ଟେବୁଲ ଟେନିସ କିଂବଦନ୍ତି ଅଚନ୍ତ ଶରତ କମଲଙ୍କୁ। ଏକ ମାତ୍ର ଖେଳାଳିଭାବେ ସେ ଏହି ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଏହା ବାଦ୍‌ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ। ଓଡ଼ିଶା ପାଇଁ ଦ୍ବିତୀୟ ଖୁସିଟି ହେଉଛି କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌)କୁ ମିଳିବ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର’। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସମ୍ମାନ ଚଳିତ ନଭେମ୍ବର ୩୦ ତାରିଖରେ ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କାରଗୁଡ଼ିକୁ ରାଷ୍ଟ୍ରପତି ‌ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ।

ଅର୍ଜୁନ ପୁରସ୍କାର ପାଇବାରେ ଦୀପଗ୍ରେସ୍ ଦ୍ବାଦଶ ଓଡ଼ିଆ ଓ ରାଜ୍ୟର ଷଷ୍ଠ ହକି ଖେଳାଳି ହେବେ। ପୂର୍ବରୁ ହକିରୁ ଦିଲୀପ ତିର୍କି, ଜ୍ୟୋତି ସୁନୀତା କୁଲୁ, ଇଗ୍ନେସ ତିର୍କି, ବୀରେନ୍ଦ୍ର ଲାକ୍ରା, ଅମିତ ‌ରୋହିଦାସ ହକି ତାଲିକାରେ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିନତି ମହାପାତ୍ର (ସାଇକ୍ଲିଷ୍ଟ), ବିଜୟ ଶତପଥୀ, କେ ରବିକୁମାର (ଉଭୟ ଭାରୋତ୍ତୋଳନ), ରଚିତା ପଣ୍ଡା, ଦୂତି ଚାନ୍ଦ (ଉଭୟ ଦୌଡ଼କୁଦ) ଏବଂ ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍‌) ଏହି ଗୌରବ ପାଇଛନ୍ତି ୬୨ ବର୍ଷର ଅର୍ଜୁନ ପୁରସ୍କାର ଇତିହାସରେ।

Comments are closed.