ହାମିଲଟନ୍:ହାମିଲଟନ୍ର ସେଡନ୍ ପାର୍କରେ ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ଟି ଦିନ ୧୨ଟା ୩୦ରେ ଆରମ୍ଭ ହେବ। ସିରିଜ୍ର ଫଳାଫଳ ପୂର୍ବରୁ ନିର୍ଣ୍ଣୟ ହୋଇସାରିଥିବାରୁ ଶେଷ ମ୍ୟାଚ୍ରେ ଭାରତୀୟ ଦଳ ପରିଚାଳନା ପ୍ଲେଇଂ ଏକାଦଶରେ କିଛି ପରିବର୍ତ୍ତନ କରିପାରେ। ଏବେ ସମସ୍ତଙ୍କ ନଜର ରହିଛି ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ।
ପ୍ରାୟ ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ଏହି ସିରିଜ୍ରେ ଆଶାନୁରୂପ ରହିନାହିଁ। ପ୍ରଥମ ତିନୋଟି ମ୍ୟାଚ୍ରେ ସେ ମାତ୍ର ଗୋଟିଏ ୱିକେଟ୍ ନେଇଥିବା ବେଳେ ୧୩୯ ରନ୍ ବ୍ୟୟ କରିଛନ୍ତି। ତାଙ୍କ ଇକୋନୋମି ରେଟ୍ ୧୧.୫୮ ରହିଛି। ପ୍ରତ୍ୟେକ ମ୍ୟାଚ୍ରେ ସେ ଯଥାକ୍ରମେ ୪୯, ୫୦ ଓ ୪୦ ରନ୍ ଦେଇଥିଲେ।ଏହି ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଚତୁର୍ଥ ଟି-୨୦ରେ ସୁଯୋଗ ମିଳିନଥିଲା। ତାଙ୍କ ସ୍ଥାନରେ ମୟଙ୍କ ଯାଦବଙ୍କୁ ଖେଳାଯାଇଥିଲା। ତେବେ ଶେଷ ମ୍ୟାଚ୍ରେ ଭୁବିଙ୍କୁ ପୁଣିଥରେ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।
ଭୁବନେଶ୍ୱର କୁମାରଙ୍କ ସମର୍ଥନରେ ମତ ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସେ କହିଛନ୍ତି ଯେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ମାତ୍ର କିଛି ମ୍ୟାଚ୍ର ପ୍ରଦର୍ଶନ ଆଧାରରେ ବିଚାର କରିବା ଉଚିତ୍ ନୁହେଁ।ରାହାଣେଙ୍କ ମତରେ, ଭୁବନେଶ୍ୱର ନିଜର ଦୁର୍ବଳତାକୁ ନିଶ୍ଚିତ ଭାବେ ବିଶ୍ଳେଷଣ କରିବେ। ଏପରିକି ପରବର୍ତ୍ତୀ ମ୍ୟାଚ୍ରେ ସେ ପାଞ୍ଚଟି ୱିକେଟ୍ ନେଇ ସମସ୍ତଙ୍କ ମତ ବଦଳାଇ ଦେଇପାରନ୍ତି ବୋଲି ରାହାଣେ ଆଶା ପ୍ରକାଶ କରିଛନ୍ତି।
ଅନ୍ୟପଟେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଦଳକୁ ଫେରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଦ୍ୱିତୀୟ ଟି-୨୦ରେ ୪ ରନ୍ କରିଥିବା ବୈଭବ ତୃତୀୟ ମ୍ୟାଚ୍ରେ ମାତ୍ର ୧୯ ବଲ୍ରୁ ଆକର୍ଷଣୀୟ ୪୫ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ ଆଘାତରୁ ଫେରିଥିବା ଇଶାନ୍ କିଶାନ୍ ଦଳକୁ ଫେରିବା ପରେ ଚତୁର୍ଥ ମ୍ୟାଚ୍ରେ ବୈଭବଙ୍କୁ ବାଦ୍ ଦିଆଯାଇଥିଲା। ଏହାକୁ ନେଇ କ୍ରିକେଟ୍ ପ୍ରଶଂସକ ଓ ବିଶେଷଜ୍ଞଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।ପୂର୍ବତନ କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ ବୈଭବଙ୍କୁ ଖେଳାଇବା ସପକ୍ଷରେ ମତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ବୈଭବଙ୍କୁ ସୁଯୋଗ ଦେବା ପାଇଁ ଅଭିଷେକ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ। ଏଥିସହିତ ସଞ୍ଜୁ ସାମସନ୍ଙ୍କୁ ବାଦ୍ ଦେବା ହିଁ ଏକମାତ୍ର ବିକଳ୍ପ ନୁହେଁ ବୋଲି ସେ ମତ ରଖିଛନ୍ତି।
ହାମିଲଟନ୍ର ସେଡନ୍ ପାର୍କ ପିଚ୍ ସାଧାରଣତଃ ସ୍ପିନରଙ୍କୁ କିଛିଟା ସହାୟତା କରିଥାଏ। ତେଣୁ ଭାରତ ଶେଷ ମ୍ୟାଚ୍ରେ କୁଲଦୀପ ଯାଦବଙ୍କୁ ଦଳକୁ ଫେରାଇ ଆଣିପାରେ। ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳ ପାଇଁ ଏକ ବିକଳ୍ପ ରହିଛନ୍ତି।ସେହିପରି ସିରିଜ୍ରେ ଭଲ ପ୍ରଦର୍ଶନ କରିଥିବା ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦେଇ ଅତିରିକ୍ତ ସ୍ପିନରଙ୍କୁ ସୁଯୋଗ ଦିଆଯାଇପାରେ। ଯଦି ଭୁବନେଶ୍ୱର କୁମାର ଦଳକୁ ଫେରନ୍ତି, ତେବେ ମୟଙ୍କ ଯାଦବଙ୍କ ସ୍ଥାନରେ ତାଙ୍କୁ ଖେଳାଯିବାର ସମ୍ଭାବନା ରହିଛି।
Comments are closed.