ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଯୁବ ରେଡକ୍ରସ୍‌ର ଶପଥ ଗ୍ରହଣ ଓ ଅଭିମୁଖୀକରଣ ।

0

ଗଜପତି,୧୬.୯(ମନୋଜ ପାଢ଼ୀ) :-ସ୍ଥାନୀୟ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସରେ ଯୁବ ରେଡକ୍ରସ୍‌ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ମାନବିକ ମୂଲ୍ୟବୋଧ, ସେବା, ସହାନୁଭୂତି ଓ ସାମାଜିକ ଦାୟିତ୍ୱ ଉପରେ ଆଲୋକପାତ କରାଯାଇଥିଲା।ଯୁବ ରେଡକ୍ରସର ବରିଷ୍ଠ ପରାମର୍ଶଦାତା ଡ. ସୁଶାନ୍ତ କୁମାର ପଟ୍ଟନାୟକ, ସେଞ୍ଚୁରିଅନ୍ ୟୁନିଭରସିଟିର ଡିନ୍ ଡ. ରିତେଶ କୁମାର, ରେଜିଷ୍ଟ୍ରାର ଡ. ଅନିତା ପାତ୍ର, ପ୍ରଫେସର ଏସ୍‌.ଏନ୍‌. ସନ୍ଧ୍ୟା ଓ ଯୁବ ରେଡକ୍ରସର ଜିଲ୍ଲା କନଭେନର ଡ. ବିପ୍ଲବ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଡ. ଅନିତା ପାତ୍ର ନୂତନ ସ୍ୱେଚ୍ଛାସେବୀଙ୍କୁ ଶପଥ ଓ ସ୍ଲୋଗାନ୍ ପାଠ କରାଇଥିଲେ।ଯୁବ ରେଡକ୍ରସର ଗଜପତି ଜିଲ୍ଲା ସଂଯୋଜକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ସ୍ୱେଚ୍ଛାସେବୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ଡ. ବିପ୍ଲବ ରଞ୍ଜନ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଅନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ଉତ୍ସାହ ଓ ସଫଳତାକୁ ପ୍ରଶଂସା କରାଯାଇଥିଲା।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଏକ ଅଭିମୁଖୀକରଣ ଅଧିବେଶନରେ ନୂତନ ଭାବେ ଯୁବ ରେଡକ୍ରସରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କ ଭୂମିକା, ଦାୟିତ୍ୱ ଏବଂ ସମାଜ ପାଇଁ ସେବା କରିବାର ବିଭିନ୍ନ ସୁଯୋଗ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।ଏହି ଶପଥ ଗ୍ରହଣ ଓ ଅଭିମୁଖୀକରଣ କାର୍ଯ୍ୟକ୍ରମ ନୂତନ ସ୍ୱେଚ୍ଛାସେବୀମାନଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା।

Leave A Reply

Your email address will not be published.