ନୂଆଁଖାଇରେ ସମ୍ବଲପୁର ଓ ବରଗଡ଼ରେ ୨ ଦିନ ଛୁଟି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ପାଳନ ହେବ।  ଏହି ଅବସରରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୨ ଦିନ ଛୁଟି ରହିବ। ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ବିଭାଗର ଯୁଗ୍ମ ସଚିବ ମଧୁସ୍ମିତା ସାହୁ ଉତ୍ତରାଞ୍ଚଳ ରାଜସ୍ବ କମିସନର (ସମ୍ବଲପୁର)ଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ନୂଆଁଖାଇ ଅବସରରେ ସମ୍ବଲପୁର ଓ ବରଗଡ଼ ଜଲ୍ଲାରେ ସ୍ବତନ୍ତ୍ର ଭାବେ ଛୁଟି ହେବ।

ସୂଚନାଯୋଗ୍ୟ ରାଜ୍ୟ ସରକାର ନୂଆଁଖାଇ ଅବସରରେ ସେପ୍ଟେମ୍ବର ୧, ୨୦୨୨ (ଗୁରୁବାର)କୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଯେ, ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଁଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯାଉ। ଚିଠିରେ ସେ ଲେଖିଥିଲେ ଯେ, ଆସନ୍ତା ‌ସେପ୍ଟେମ୍ବର ୧ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ହେବ। କିନ୍ତୁ ଜିଲ୍ଲା ପ୍ରଶାସନ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କୁ ନୂଆଖାଇ ପର୍ବ ପାଳନ ପାଇଁ ୨ ଦିନ ଅନୁମତି ଦେଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ, ‘ନୂଆଖାଇ’ ପର୍ବ ପାଇଁ ୨ ଦିନ ଲୋକାଲ ‌ଛୁଟି ଘୋଷଣା କରାଯାଉ।

ଶ୍ରୀ ମିଶ୍ର ଚିଠିରେ ଉଲ୍ଲେଖ କରିଥିଲେ ଯେ, ପଶ୍ଚିମ ଓଡ଼ିଶାରେ ନୂଆଁଖାଇକୁ ବ୍ୟାପକ ଭାବେ ପାଳନ କରାଯାଇଥାଏ। ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ପର୍ବକୁ ଆକର୍ଷଣୀୟ ଭାବେ ପାଳନ କରାଯାଇଥାଏ। ଖରିଫ ଋତୁରେ  ଫସଲ ଅମଳ କରିବା ପୂର୍ବରୁ ଚାଷୀମାନେ ମା’ ସମଲେଶ୍ବରୀ ଓ ମା’ ମାଣିକେଶ୍ବରୀଙ୍କ ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ଦିରରେ ନୂଆ ଧାନକୁ ଅର୍ପଣ କରିଥାନ୍ତି। ଦେଶ ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ନିଜ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ସଂପର୍କୀୟମାନଙ୍କୁ ଭେଟିବା ପାଇଁ ଆସିଥାନ୍ତି। ଗୋଟିଏ ଛାତ ତଳେ ପରିବାର ସଦସ୍ୟମାନେ ନୂଆଁଖାଇ ପାଳନ କରିଥାନ୍ତି।

ନୂଆଁଖାଇ ପାଇଁ ଏବେ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ବିଗତ ୨ ଥର କୋଭିଡ ପାଇଁ ନୂଆଁଖାଇ ଘର ଭିତରେ ସୀମିତ ଥିଲା। ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଉପରେ ବାରଣ ଥିଲା। ଘରଠାରୁ ବହୁଦୂରରେ ରହୁଥିବା ପଶ୍ଚିମ ଓଡ଼ିଶାର ଅନେକ ଲୋକ ଜନ୍ମମାଟିକୁ ପହଞ୍ଚି ପାରି ନଥିଲେ। ଏଥର କିନ୍ତୁ କୋଭିଡ କଟକଣା ନ ଥିବାରୁ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ଲୋକେ ଘରକୁ ଆସିବା ଆରମ୍ଭ କରିଦେଇଛନ୍ତି।

Comments are closed.