ନୃଶଂସ ବାପା ହାତରେ ଚାଲିଗଲା ପୁଅର ଜୀବନ

କେନ୍ଦ୍ରାପଡ଼ା : ଇନ୍ଦୁପୁର ଗ୍ରାମ ପଞ୍ଚାୟତର ହବିଳି ଦଳିତ (ଜେନା) ସାହିରୁ ଗାଁର ୮ ବର୍ଷୀୟ ଦେବନ ଜେନା ଓରଫ ଦେବୁକୁ ହତ୍ୟା କରିଛି ବାପା ସୁନାକର ଜେନା । ଦେବୁକୁ ଗତ ଚାରିଦିନ ଧରି ପ୍ରବଳ ଜ୍ୱର ହୋଇଥିବା ବେଳେ ଗତକାଲି ସନ୍ଧ୍ୟାରେ ବାପା ସୁନାକର ଦେବୁ ପାଇଁ କିଛି ଫଳ ଓ ଔଷଧ ନେଇ ଆସିଥିଲେ । ତେବେ ଜ୍ବରରେ ପୀଡିତ ଦେବୁ ଏସବୁ ଖାଇବାକୁ ଅମଙ୍ଗ ହେବାରୁ ବାପା ସୁନାକର ଦେବୁକୁ ଶକ୍ତ ଚାପୁଡ଼ା ଓ ବାଡ଼ିରେ ପିଟିଥିବା ବେଳେ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିଲେ ଦେବୁ ।
ଅନ୍ୟପଟେ ଦେବୁଙ୍କୁ ସୁନାକର ପିଟୁଥିବା ବେଳେ ମା ଓ ବଡଭାଇ ବାରଣ କରିଥିଲା ବେଳେ ଉଭୟ ମା ପୁଅ ସୁନାକର ଆକ୍ରମଣରୁ ବର୍ତ୍ତି ନଥିଲେ । ରାତିରେ ପୁନର୍ବାର ଦେବୁକୁ ଡାକି ଔଷଧ ଦେବାକୁ ବାହାରିବା ସମୟରେ ଦେବୁ ସମ୍ପୂର୍ଣ୍ଣ ନିସ୍ତେଜ ହୋଇ ପଡ଼ିଥିଲା । ଘରଲୋକ ଦେବୁକୁ ଇନ୍ଦୁପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଦେବୁର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଓ ପାଟିରୁ ରକ୍ତ ବାହାରୁଥିବା ଦେଖି ସଙ୍ଗେସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ସକାଳେ ସୁନାକରର ବଡଭାଇ ପୁତୁରା ଦେବୁର ମୃତ୍ୟୁ ପାଇଁ ସୁନାକରକୁ ଦାୟୀ କରି ନିକିରାଇ ଥାନାରେ ଏତଲା ଦେଇଥିବା ବେଳେ ନିକିରାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇ ଦେଇଥିବା ବେଳେ ଅଭିଯୁକ୍ତ ସୁନାକରକୁ ଅଟକ ରଖିଛି ।

Comments are closed.