ଆମ ଦେଶ ସ୍ୱାଧୀନ

କେତେ ଆତ୍ମବଳି, କେତେ ରକ୍ତପାତ,
ଦେଇଛି ଆମକୁ ସ୍ୱାଧୀନତା,
ଶତଶତ ବର୍ଷ ,ରହି ପରାଧୀନ,
ସହିଥିଲୁ କେତେ ଦୁରାବସ୍ଥା।
କେତେଯେ ଗାନ୍ଧିଜୀ,କେତେଯେ ସୁଭାଷ,
ପ୍ରାଣବଳି ଦେଲେ ଦେଶପାଇଁ,
ଇତିହାସ ମଧ୍ୟ, ସବୁ ସହିଦଙ୍କ,
ନାମତକ ମନେ ରହିନାହିଁ।
ସେହି କଷ୍ଟଲବ୍ଧ, ସ୍ୱାଧୀନତା ଆଜି,
ଲାଗେ ଭୟ ଭୁଲୁଣ୍ଠିତ ହେବ,
ଜାତି ଧର୍ମ ବର୍ଣ, ବିଦ୍ୱେଷ କରାଇ,
ଭାଇ ଭାଇ ମଧ୍ୟେ ଭେଦଭାବ।
ସ୍ୱାଧୀନ ଦେଶର, ଲୋକଟିଏ ଯଦି,
ଦାନାମୁଠେ ପାଇ ପାରୁନାହିଁ,
କେଉଁ କାରଣରୁ, ହୋଇବା ଗର୍ବିତ,
ଦେଶ ପାଇଁ ସ୍ୱାଧୀନତା ପାଇ?
ପଞ୍ଚସ୍ତରୀ ବର୍ଷ, ସ୍ୱାଧୀନତା ପରେ,
ଶିଶୁ ମୃତ୍ୟୁ ଆଜି ନଗଡାରେ,
ଖାଦ୍ୟର ଅଭାବେ, ଅପପୁଷ୍ଟି ଯୋଗୁଁ,
ଝରାନ୍ତି ଲୋତକ ନୀରବରେ।
ନକଲି ଔଷଧ, ନକଲି ଡାକ୍ତର,
ସବୁବେଳେ ବଞ୍ଚିବାର ଚିନ୍ତା,
ସମସ୍ୟା ଘେରରେ, ଦେଶଟି ଆମର,
ଏହି କଣ ଆମ ସ୍ୱାଧୀନତା?
********
ପ୍ରଦୀପ୍ତ ଆଚାର୍ଯ୍ୟ, ଈଶାଣୀବ୍ରହ୍ମପୁର ,କଟକ।
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର କିଶନନଗର ,କଟକ।

Comments are closed.