ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟିଲ୍‌ଦ ଗାଇଡେଡ୍‌ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’

ମୁମ୍ବାଇ: ଶତ୍ରୁପକ୍ଷକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ପଞ୍ଚମ ଷ୍ଟିଲ୍‌ଦ ଗାଇଡେଡ୍‌ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ରବିବାର ମୁମ୍ବାଇର ମଝଗାଓଁ ଡକ୍‌ରେ ଏହାକୁ ଶୁଭାରମ୍ଭ କରାଯାଇଛି । ଏଥିପାଇଁ କୌଣସି ସମାରୋହ ଅନୁଷ୍ଠିତ ହୋଇ ନ ଥିଲା । କେବଳ ବୈଷୟିକ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଦିବଂଗତ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପାଇଁ ଭାରତ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କୌଣସି ଉତ୍ସବ ପାଳନ କରାଯାଇ ନ ଥିଲା । ନୌସେନା ପାଇଁ ଏହା ଅତ୍ୟନ୍ତ ଜରୁରି ଥିବାରୁ ଆଉ କାଳବିଳମ୍ବ ନ କରି ଯୁଦ୍ଧପୋତକୁ ସମୁଦ୍ର ଜଳରାଶିରେ ଛଡ଼ାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ୧୭ଏ ଅଧୀନରେ ମୋଟ ୭ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯିବ । ଏଥିମଧ୍ୟରୁ ୪ଟି ମଝଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ (ଏମ୍‌ଡିଏଲ୍‌)ରେ ନିର୍ମାଣ ହେଉଥିବା ବେଳେ ୩ଟି ଗାର୍ଡେନ୍‌ ରିଚ୍‌ ସିପ୍‌ବିଲ୍‌ଡର୍ସ ଆଣ୍ଡ୍‌ ଇଞ୍ଜିନିୟର୍ସ (ଜିଆର୍‌ଏସ୍‌ଇ)ରେ ତିଆରି କରାଯାଉଛି । ଏହିସବୁ ଜାହାଜରେ ବିକଶିତ ଘରୋଇ ଘାତକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଖଞ୍ଜାଯାଉଛି । ଆଉ କେତେକ ନୂତନତ୍ୱ ବି ଅଣାଯାଉଛି ।

ପ୍ରକଳ୍ପ ୧୭ଏରେ ନିର୍ମାଣ କରାଯାଉଥିବା ଜାହାଜଗୁଡ଼ିକର ନାମକରଣ ଭାରତରେ ଥିବା ପାହାଡ଼ଗୁଡ଼ିକର ନାମ ଅନୁସାରେ ହେଉଛି । ହିମାଳୟରେ ଥିବା ତାରାଗିରି ପାହାଡ଼ର ନାମ ଅନୁସାରେ ସଦ୍ୟ ତାରାଗିରି ଯୁଦ୍ଧପୋତର ନାମକରଣ ହୋଇଛି । ଉତ୍ତରାଖଣ୍ଡର ଗଡ଼ୱାଲରେ ଏହି ପାହାଡ଼ ରହିଛି । ପ୍ରକଳ୍ପ ୧୭ଏର ପ୍ରଥମ ଜାହାଜ ‘ନୀଳଗିରି’ ୨୦୧୯ ସେପ୍ଟେମ୍ବର ୨୮ରେ ଲଞ୍ଚ୍‌ କରାଯାଇଥିଲା ।

ତାରାଗିରିର ବାୟୁ ପ୍ରତିରକ୍ଷା କ୍ଷମତା ଅତ୍ୟନ୍ତ ଶକ୍ତିଶାଳୀ । ଏହା ଶତ୍ରୁ ପକ୍ଷର ଯେ କୌଣସି ବିମାନ କିମ୍ବା ଆଣ୍ଟିସିପ୍‌ କ୍ରୁଜ୍‌ ମିସାଇଲ୍‌କୁ ଜବାବ ଦେଇପାରିବ । ୩,୫୧୦ ଟନ୍‌ ଓଜନର ତାରାଗିରିର ଡିଜାଇନ୍‌ ନୌସେନାର ବ୍ୟୁରୋ ଅଫ୍‌ ନାଭାଲ ଡିଜାଇନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ୧୪୯ ମିଟର ଲମ୍ବ ଓ ୧୭.୮ ମିଟର ଓସାରର ଏହି ଜାହାଜ ଦୁଇଟି ଗ୍ୟାସ୍‌ ଟର୍ବାଇନ୍‌ ଓ ଦୁଇଟି ମୁଖ୍ୟ ଡିଜେଲ୍‌ ଇଞ୍ଜିନ୍‌ର ସଂଯୋଜନରେ ପରିଚାଳିତ ହେବ । ଏହାର ଗତି ଘଣ୍ଟାପିଛା ପ୍ରାୟ ୫୨ କିଲୋମିଟର ।

Comments are closed.