ବାଂଲା ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ : ଆଇନମନ୍ତ୍ରୀ ପୃଥ୍ବୀରାଜଙ୍କ ଚେତାବନୀ

ଉପକୂଳ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡ଼ା।

0

ଭୁବନେଶ୍ଵର : ପଶ୍ଚିମବଙ୍ଗ ଛାଡ଼ୁଛନ୍ତି ବାଂଲାଦେଶୀ। ସୀମାରେ ହାଉଜାଉ ଅନୁପ୍ରବେଶକାରୀ। ଶୁଭେନ୍ଦୁ ସରକାରଙ୍କ ଚେତାବନୀ ପରେ ବାଂଲା ବର୍ଡରରେ ନାହିଁ ନଥିବା ଭିଡ଼। ପଶ୍ଚିମ ବଙ୍ଗର ବିଭିନ୍ନ ସୀମାବର୍ତ୍ତି ଜିଲ୍ଲାରେ ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀ ଏବେ ଦେଶ ଛାଡ଼ିବାକୁ ତୟାର। ଜିନିଷପତ୍ର ସହ ପିଲାଛୁଆଙ୍କୁ ଧରି ସୀମା ପାର କରିବାକୁ ଚାହିଁ ବସିଛନ୍ତି। ବର୍ଷ ବର୍ଷ ଧରି ଏମାନେ ପଶ୍ଚିମବଙ୍ଗରେ ରହୁଥିଲେ, ବିଭିନ୍ନ କାମ ଧନ୍ଦା କରୁଥିଲେ। କିଛି ଲୋକ ତ ସେଠାକାର ପରିଚୟପତ୍ର ବି ହାତେଇଥିଲେ। କିନ୍ତୁ ନୂଆ ବିଜେପି ସରକାର ଆସିବା ପରେ ଏବେ ମନରେ ଛନକା ପଶିଛି। ଅନୁପ୍ରବେଶକାରୀଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆଉ ବରଦାସ୍ତ କରାଯିବନି, ତୁରନ୍ତ ଦେଶ ଛାଡ଼। ନହେଲେ ଗିରଫ କରାଯିବନି ଅଲଗା ବ୍ୟବସ୍ଥା ହେବ। ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ‘ଡିପୋର୍ଟ’ ସେଣ୍ଟର ବି ଖୋଲିଲାଣି। ଏହାପରେ ଦେଶ ଛାଡିବା ଛଡ଼ ଅନ୍ୟ ବାଟ ନାହିଁ ଅନୁପ୍ରବେଶକାରୀଙ୍କ ପାଖରେ।

ପଶ୍ଚିମବଙ୍ଗରେ ହେଲା ଓଡ଼ିଶାରେ କେବେ ? ରାଜ୍ୟରୁ କେବେ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ? ଉପକୂଳ ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂଇଁ ପାଲଟିଛି କେନ୍ଦ୍ରାପଡ଼ା। ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକରେ ଲକ୍ଷାଧିକ ବଙ୍ଗଳା ଭାଷାଭାଷୀ ଲୋକ ରହୁଛନ୍ତି। ଏଠାରେ ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ବାଂଲାଦେଶୀ। କିଛି ଗାଁରେ ତ ପ୍ରାୟ ୯୦ ପ୍ରତିଶତ ବାଂଲାଦେଶୀ ଭର୍ତ୍ତି। ସେଥିରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ ହେଲାଣି ଆକଳନ କରିବା କଷ୍ଟ। ଅନେକଙ୍କ ପାଖରେ ରହିଛି ନାଗରିକ ପ୍ରମାଣ ପତ୍ର, ସରକାରୀ ଯୋଜନାର ଲାଭ ବି ଉଠାଉଛନ୍ତି। ମାଛଧରା ନାଁରେ ହଜାର ହଜାର ଅଣପଞ୍ଜୀକୃତ ଡଙ୍ଗା ଚାଲୁଥିବା ବେଳେ ରାଜନଗର ଓ ମହାକାଳପଡ଼ାରୁ ସିଧା କୋଲକାତାକୁ ଗଡୁଛି ବସ୍। ଉପକୂଳ ସୁରକ୍ଷା ମୁକୁଳା ପଡ଼ିଥିବାରୁ ଅନୁପ୍ରବେଶକାରୀ ଯେକୌଣସି ପଥରେ ପଶିଆସିବା ଆଶଙ୍କାକୁ ଏଡ଼ାଇଦେଇ ହେବନି। ସେପଟେ ଜଗତସିଂହପୁରରେ ବି ସମାନ ସ୍ଥିତି। ବାଂଲାଦେଶୀଙ୍କ ସଂଖ୍ୟା ଲକ୍ଷାଧିକ, ସେଥିରୁ ହଜାର ହଜାର ଅନୁପ୍ରବେଶକାରୀ କହିଲେ ଭୁଲ ହେବନି। ରାମ ନଗରରୁ ସାତଭାୟା ଦେଇ ଜଟାଧାର ମୁହାଁଣ ଏରସମା ଯାଏଁ। ଛାଇ ଯାଇଛନ୍ତି ବାଂଲାଦେଶୀ। ଜମି କିଣି ସମ୍ପତ୍ତି ବାଡି ବି କରିଛନ୍ତି। ଦିନକୁ ଦିନ ଆହୁରି ଠୁଳ ହେବାରେ ଲାଗିଛନ୍ତି।

ଗତବର୍ଷ ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୩ ହଜାର ୭୩୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ୧୬୪୯, ଜଗତସିଂହପୁର ୧୧୧୨, ମାଲକାନଗିରି ୬୫୫, ଭଦ୍ରକ ୧୯୯, ନବରଙ୍ଗପୁର ୧୦୬ ଏବଂ ଭୁବନେଶ୍ବରରେ ୧୭ ଜଣ ରହିଛନ୍ତି। ବାଂଲାଦେଶୀଙ୍କୁ ଚିହ୍ନଟ, ଅଟକ ଏବଂ ତଡ଼ି ପାର ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ କମିଟି। ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଜି ଆଇନ ମନ୍ତ୍ରୀ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ରାଜ୍ୟରୁ ବାହାର କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭାଗ କାମ କରୁଛି। ଗତବର୍ଷ କିଛି ଜଣଙ୍କୁ ଚିହ୍ନଟ କରି ବାହାର କରାଯାଇଛି, ଆଗକୁ ଅନୁପ୍ରବେଶକାରୀଙ୍କୁ ନିସ୍ତାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।

ଅନୁପ୍ରବେଶ ରୋକିବାକୁ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ଅନୁପ୍ରବେଶ କାରଣରୁ ହେଉଥିବା “ଅସ୍ବାଭାବିକ ଜନସଂଖ୍ୟା ପରିବର୍ତ୍ତନ”  ଜାତୀୟ ସୁରକ୍ଷା ଓ ଦେଶର ଭବିଷ୍ୟତ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ଏହାକୁ ରୋକିବା ପାଇଁ ସରକାର ‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’ ନୀତି ଆପଣେଇଛନ୍ତି।

Leave A Reply

Your email address will not be published.