ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା

ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ‌ଜୟପୁରରେ କାମ କରି ସ୍ବାମୀ ପଠାଉଥିବା ଟଙ୍କାରେ ରେଣୁ ନାମକ ଉକ୍ତ ମହିଳା ଜୁଆ ଖେଳନ୍ତି। ଲୁଡୁ ଖେଳଖୋର୍‌ ହୋଇଯାଇଥିବା ରେଣୁ ନିୟମିତ ଘରମାଲିକଙ୍କ ସହିତ ଖେଳନ୍ତି।

ଏମିତି ଦିନେ ଦୁହେଁ ଟଙ୍କା ବାଜି ଲଗାଇ ଲୁଡୁ ଖେଳୁଥିବା ବେଳେ ରେଣୁଙ୍କ ପାଖରୁ ଟଙ୍କା ଶେଷ ହୋଇଯିବାରୁ ସେ ନିଜକୁ ବାଜି ଲଗାଇ ‌ଦେଲେ ଓ ଖେଳରେ ହାରିଗଲେ।

ଏହାପରେ ସେ ଫୋନ୍‌ ଯୋଗେ ସ୍ବାମୀଙ୍କୁ ସବୁକଥା ଜଣାଇଲେ। ସ୍ବାମୀ ପ୍ରତାପଗଡ଼ ଆସି ଥାନାରେ ଅଭିଯୋଗ ଦାଏର କଲେ। ଏଥିସହ ସେ ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ତାହା ଏବେ ଭାଇରାଲ୍‌ ହେଉଛି।

ରେଣୁଙ୍କର ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ଦେବକାଲିରେ ସେ ଘରଭଡ଼ା ନେଇ ରହୁଛନ୍ତି। ୬ ମାସ ତଳେ ସେ କାମ କରିବା ପାଇଁ ଜୟପୁର ଯାଇ ନିୟମିତ ପତ୍ନୀଙ୍କ ପାଖକୁ ଟଙ୍କା ପଠାଉଥିଲେ। ସେ ଟଙ୍କାରେ ସେ ଜୁଆ ଖେଳୁଥିଲେ। ଟଙ୍କା ସରିଯିବାରୁ ସେ ଲୁଡୁ ଖେଳରେ ନିଜକୁ ବାଜି ଲଗାଇ ଦେଲେ।

ସ୍ବାମୀଙ୍କ କହିବା ଅନୁସାରେ, ଏବେ ରେଣୁ ଘର ମାଲିକଙ୍କ ସହିତ ରହୁଛନ୍ତି। ଘର ମାଲିକଙ୍କୁ ଛାଡ଼ିବାକୁ ଯେତେ କହିଲେ ବି ସେ ତାଙ୍କୁ ଛାଡ଼ିବାକୁ ନାରାଜ ହେଉଛନ୍ତି।

ପୁଲିସ ଅଧିକାରୀ ସୁବୋଧ ଗୌତମ କହିଛନ୍ତି, ଆମେ ସେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରୁଛୁ। ଯୋଗାଯୋଗ ସମ୍ଭବ ହେବା କ୍ଷଣି ତଦନ୍ତ ଆରମ୍ଭ ହେବ।

ଦୁହିଁଙ୍କର ଯୋଡ଼ିଏ ପିଲା ଅଛନ୍ତି।

Comments are closed.