ରାୟଗଡ, ୦୧.୧୧.୨୦୨୬:ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ମଙ୍ଗଳ ବିଭାଗ ଅଧୀନରେ ରାୟଗଡ ଜିଲ୍ଲା ପାଇଁ ମୋଟ ୧୭୩ ଜଣଙ୍କୁ ନବନିଯୁକ୍ତି ମିଳିଛି। ଏହି ନବନିଯୁକ୍ତଙ୍କ ମଧ୍ୟରେ ୧୪୭ ଜଣ ସେବକ-ସେବିକା ଏବଂ ୨୬ ଜଣ ଭାଷାଭିତ୍ତିକ ଶିକ୍ଷକ ରହିଛନ୍ତି।
ଏହି ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାୟଗଡ ଜିଲ୍ଲା ପାଇଁ ନିଯୁକ୍ତ ୭୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅନ୍ୟ ୧୦୩ ଜଣ ନବନିଯୁକ୍ତଙ୍କୁ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର ନବନିଯୁକ୍ତମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ।


ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସଭାଗୃହଠାରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନବନିଯୁକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସହକାରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ମଙ୍ଗଳ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ବରଂ ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ସେବା ଓ ପିଢ଼ି ପରେ ପିଢ଼ିର ଜୀବନରେ ପରିବର୍ତ୍ତନ ଆଣିବାର ଏକ ସୁଯୋଗ। ବିଶେଷକରି ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ପ୍ରଥମ ପିଢ଼ିର ଶିକ୍ଷାର୍ଥୀମାନଙ୍କ ଜୀବନରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନୁନ୍ନତ ଅଞ୍ଚଳର ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବାକୁ ହେଲେ ଶିକ୍ଷା ଓ ସଚେତନତାର ପ୍ରସାର ଅପରିହାର୍ଯ୍ୟ।
ସେ ଆହୁରି କହିଥିଲେ ଯେ, ଅସ୍ୱଚ୍ଛତା, ସ୍ୱାସ୍ଥ୍ୟ ସମସ୍ୟା, ମଦ୍ୟପାନ, ପୁଷ୍ଟିହୀନତା ଓ ଅନ୍ଧବିଶ୍ୱାସ ଭଳି ସାମାଜିକ ସମସ୍ୟାର ମୂଳୋତ୍ପାଟନ ପାଇଁ ଲୋକଙ୍କ ଚିନ୍ତାଧାରା ଓ ମନୋଭାବରେ ପରିବର୍ତ୍ତନ ଆବଶ୍ୟକ। ବୟସ୍କଙ୍କ ଦୀର୍ଘଦିନର ଧାରଣା ବଦଳାଇବା କଷ୍ଟକର ହୋଇଥିଲେ ମଧ୍ୟ ଶିଶୁ ଓ କିଶୋରମାନଙ୍କ ମନ ଅଧିକ ଗ୍ରହଣଶୀଳ ଥିବାରୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିବା ଆବଶ୍ୟକ।
ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ନ ଦେଇ ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ସାହସ, ଆତ୍ମବିଶ୍ୱାସ, ଉତ୍ତମ ନୈତିକତା ଏବଂ ଠିକ୍ ଓ ଭୁଲ୍ ମଧ୍ୟରେ ପାର୍ଥକ୍ୟ ବୁଝିବାର କ୍ଷମତା ବିକଶିତ କରିବା ଉଚିତ। ଅନେକ ଶିକ୍ଷାର୍ଥୀଙ୍କ ପାଇଁ ବିଦ୍ୟାଳୟ ହିଁ ଜ୍ଞାନ ଓ ବ୍ୟାପକ ଦୁନିଆ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ। ତେଣୁ ସେମାନଙ୍କୁ ଏକ ସୁସ୍ଥ ଓ ସୁରକ୍ଷିତ ଶିକ୍ଷଣ ପରିବେଶ ଯୋଗାଇବା ସହ ନକାରାତ୍ମକ ପ୍ରଭାବରୁ ଦୂରେଇ ରଖିବା ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ। ଶିକ୍ଷକମାନେ ଏହାକୁ କେବଳ ନିଯୁକ୍ତି ଭାବେ ନ ଦେଖି ସମାଜର ସବୁଠାରୁ ଅବହେଳିତ ବର୍ଗର ପିଲାମାନଙ୍କୁ ଉନ୍ନତ ଭବିଷ୍ୟତର ଦିଗ ଦେଖାଇବାର ଏକ ମହତ୍ ସୁଯୋଗ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ଏହି ନିଯୁକ୍ତି ଦ୍ୱାରା ମଙ୍ଗଳ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପାଇବାରେ ଉପକୃତ ହେବେ ବୋଲି ଆଶା ପ୍ରକାଶ କରାଯାଇଛି।